Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋଲିବକି ଯୁଯୋମୁରା ମୁକ୍ତାକାଶ ଜେଲର ଭାଗ୍ୟ !

ସମ୍ବଲପୁର:ପ୍ରତି ଜିଲ୍ଲାରେ ହେବ ମୁକ୍ତାକାଶ ଜେଲ। ଜେଲ ସଂସ୍କାର ସମ୍ପର୍କିତ ମାମଲାରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏପରିକି ଅନ୍ୟ ରାଜ୍ୟରେ ଥିବା ମୁକ୍ତାକାଶ ଜେଲ ସମ୍ପର୍କରେ ଅନୁଧ୍ୟାନ କରି ଓଡ଼ିଶାରେ ତାହା କିପରି ଲାଗୁ କରାଯାଇପାରିବ ସେ ନେଇ ଜେଲ ଡ଼ିଜିଙ୍କୁ ମାନ୍ୟବର ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ଦୀର୍ଘ ଦିନର ପ୍ରସ୍ତାବିତ ଯୁଯୋମୁରା ମୁକ୍ତାକାଶ ଜେଲ ନିର୍ମାଣ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।
ଓଡିଶାର ପ୍ରଥମ ମୁକ୍ତାକାଶ ଜେଲ ସମ୍ବଲପୁର ଜିଲ୍ଲାର ଯୁଯୋମୁରା ବ୍ଲକରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ହୋଇଥିଲା। ଏଥିପାଇଁ ସମ୍ବଲପୁର-କଟକ ୫୬ ନମ୍ବର ଜାତୀୟ ରାଜପଥ ବାମ କଡ଼ ପାର୍ଶ୍ଵ ଗଡ଼ଗଡ଼ବାହାଲରୁ କଂସର ପାହାଡିଆ ଅଞ୍ଚଳକୁ ବଛା ଯାଇଥିଲା। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି କରାଯାଇ ଅର୍ଥ ବ୍ୟବସ୍ଥା କରାଯାଇ କାର୍ଯ୍ୟ ପ୍ରକ୍ରିୟା ମଧ୍ୟ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କାହିଁକି କେଜାଣି ଓଡ଼ିଶାର ପ୍ରଥମ ପ୍ରସ୍ତାବିତ ଯୁଯୋମୁରା ମୁକ୍ତାକାଶ ଜେଲର ଅନ୍ତରାୟ ଘଟିଲା। ଏହାକୁ ନେଇ ସେହି ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାମାଜିକ କର୍ମୀ ସ୍ୱର ଉଠାଇ ଏହି ମହତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ସରକାରଙ୍କ ଠାରେ ଚାପ ପକାଇଥିଲେ। ଏପରିକି ସମସ୍ତ ସାଧାରଣ ନିର୍ବାଚନ ସମୟରେ ଜଣେ ୨ ଜଣ ନେତୃସ୍ଥାନୀୟ ଏହି ମୁକ୍ତାକାଶ ଜେଲ ନିର୍ମାଣ ସହିତ ନୀଳଡୁଙ୍ଗୁରି ବୃହତ ମାର୍କେଟ ଟରମିନାଲ, ଦ୍ଵିତୀୟ ଚିଡିଆଖାନା ପ୍ରଭୃତି ଉପରେ ସ୍ୱର ଓ ଦାବି ଉଠାଇ ପ୍ରସ୍ତାବିତ ଯୋଜନା ସବୁକୁ ଉଜ୍ଜୀବିତ କରାଇବାରେ ପ୍ରୟାସ ବଜାୟ ରଖିଛନ୍ତି। ବର୍ତ୍ତମାନ ମାନ୍ୟବର ହାଇକୋର୍ଟଙ୍କ ପରାମର୍ଶ ରାଜ୍ୟ ସରକାର ପାଇଁ ଏକ ଚ୍ୟାଲେଞ୍ଚ ହୋଇଥିବା ବେଳେ ଓଡିଶାର ପ୍ରଥମ ମୁକ୍ତାକାଶ ଜେଲ ପ୍ରସ୍ତାବକୁ ସମ୍ମାନ ଜଣାଇ ଯୁଯୋମୁରା ଠାରେ ପରୀକ୍ଷାମୂଳକ ଭାବେ ଏହା ନିର୍ମାଣ କରିବାକୁ ସାମାଜିକ କର୍ମୀ ଡା. ରାଜାରାମ ଷଡ଼ଙ୍ଗୀ ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନେ ପକାଇ ଦେବା ସହିତ ଜିଲ୍ଲା ବା ରାଜ୍ୟ ସ୍ତରୀୟ ଆନୁଷ୍ଠାନ ନଥିବା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଦୀର୍ଘ ଦିନର ପ୍ରସ୍ତାବିତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଧାନସଭାରେ ପ୍ରସ୍ତାବ ଦେବାକୁ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରେ ମଧ୍ୟ ଦାବି ଜଣାଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କରିବା ପାଇଁ ଗୁରୁବାର ଶୁଣାଣି ବେଳେ ମାନ୍ୟବର କୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।ଏପରିକି ରାଜ୍ୟର ସମସ୍ତ କଏଦୀଙ୍କ ଏଆଇ ସଂଯୋଗୀକୃତ ୱେବ ବେସଡ଼ ଡାଟା ତିଆରି କରିବାକୁ ହାଇକୋର୍ଟ ପରାମର୍ଶ ଦେଇ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲ ବିଭାଗ ଓ ଏନଆଇସି ମଧ୍ୟରେ ଏନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି ସରକାର।
ମୁକ୍ତାକାଶ ଜେଲ ନିର୍ମାଣ ପାଇଁ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ପରେ ଓଡିଶାରେ ନିର୍ମାଣ ହେବାକୁ ଥିବା ଯୁଯୋମୁରା ମୁକ୍ତାକାଶ ଜେଲ ନିର୍ମାଣ ର ଆଶା ଉଜ୍ବଳ ହେବ ବୋଲି ଜନ ସାଧାରଣ ଆଶାବାଦୀ ରହିଛନ୍ତି।