ସମ୍ବଲପୁର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରି ସୌଭାଗ୍ୟ ଲାଭ କରିଥିବା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମା’ ସମଲେଶ୍ୱରୀଙ୍କ ପୀଠ ଆମ ଆସ୍ଥା ଓ ବିଶ୍ୱାସର ଅନନ୍ୟ କେନ୍ଦ୍ର । ଆଜି ସମଲେଶ୍ୱରୀ ମନ୍ଦିରରେ ପରିଚାଳନା ବ୍ୟବସ୍ଥା ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ପୁନଃ ପ୍ରଚଳନ ହୋଇଛି । ଆଜିର ଅବସରରରେ ମା’ଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ସେବନ କରିବା ମୋର ସୌଭାଗ୍ୟ । ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କ୍ରିୟାନ୍ୱୟନ କରୁଛନ୍ତି । ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି । ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରକଳ୍ପକୁ କେନ୍ଦ୍ରରେ ରଖି ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ହେଉଛି । ସମ୍ବଲପୁର ଭଳି ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ଅଞ୍ଚଳକୁ ଆଧୁନିକ ବ୍ୟବସ୍ଥା ସହ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ସଞ୍ଜୟ ବାବୁ, ପ୍ରଫୁଲ୍ଲ ହୋତା, ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ, ରମ୍ ଚନ୍ଦ୍ର ମେହେର, ଦାମୋଦର କର, ମାନସ ରଞ୍ଜନ ବକ୍ସି, ସୁଶାନ୍ତ ପୁରୋହିତ, ସମ୍ଭୁ ବରେଲିଆ, ସମୀର ରଞ୍ଜନ ଵାବୁ, ଫଣି ଭୂଷଣ ମିଶ୍ର, ସୁଧୀର ରଞ୍ଜନ ବହିଦାର, ମୋତିଲାଲ ତନ୍ତୀ, ଦୁଲାଲ ପ୍ରଧାନ, ରାମଦାସ ପଣ୍ଡା, ମୋହନ ଦାଶ, ସବିତା ନନ୍ଦ, ରୁନୁ ପ୍ରଧାନ, ସୀତାକାନ୍ତି ମେଶୁଆ, ଆରତୀ ବରାଡ, ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବଲପୁର ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।