ଯାଜପୁର:ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ସ୍ଥିତ ଗାୟତ୍ରୀ ମନ୍ଦିରରେ ପବିତ୍ର ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି| ପୂଜକଙ୍କ ସୂଚନା ଅନୁସାରେ ଶୁକ୍ରବାର ସକାଳ 4.30 ରୁ ମନ୍ଦିର ଖୋଲାଯିବା ସହ ପ୍ରଥମେ ମଙ୍ଗଳ ଆଳତୀ, ସକାଳ ଧୂପ ନୈବେଦ୍ୟ, ବାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ନୀତି, ଆଳତୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଆଦି ପୂଜା ଵିଧି ରହିଛି| ଦୂର ଦୁରାନ୍ତ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ଏହି ମନ୍ଦିରରେ| ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବିବାହିତା ସ୍ତ୍ରୀ ମାନେ ପୂଜା କରିଥିବା ଜଣାଯାଇଛି| ପ୍ରକାଶ ଥାଉ କି 1986 ମସିହାରେ ଭଦ୍ରକ ଜିଲ୍ଲା ଅସୁରାଳୀ ସ୍ଥିତ ଦେବୀ ଆଶ୍ରମର ମୁଖ୍ୟ ଶ୍ରୀ ବୈରାଗୀ ବାବାଙ୍କ ଉଦ୍ୟମରେ ଏବଂ ମଙ୍ଗଳପୁର ଚେତନା ସଙ୍ଘର ସହଯୋଗରେ ମଙ୍ଗଳପୁର ଠାରେ ଏକ ମହାଲକ୍ଷ୍ମୀ ମନ୍ଦିର ସ୍ଥାପନା କରାଯାଇଥିଲା| ଏହି ମନ୍ଦିରରେ ମୁଖ୍ୟତଃ ଗାୟତ୍ରୀ ମହୋତ୍ସବ ଏବଂ ଯଜ୍ଞ ଆଦି ଖୁବ ଆଡମ୍ବର ସହକାରେ ପାଳନ ହୋଇଆସୁଥିଲା| ତେଣୁ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଏହି ପୀଠକୁ ଗାୟତ୍ରୀ ମନ୍ଦିର ଭାବେ ଏକ ନୂତନ ପରିଚୟ ମିଳିଛି| ବାର ମାସରେ ତେର ପର୍ବ ଏହି ମନ୍ଦିରରେ ପାଳନ କରାଯାଉଥିବା ବେଳେ ବିବାହ ଓ ବ୍ରତ ଆଦି କାର୍ଯ୍ୟ ମଧ୍ୟ ଏଠାରେ ସମ୍ପନ୍ନ ହୋଇଥାଏ| ଏହି ମନ୍ଦିରରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କୁ ଶ୍ରଦ୍ଧାଳୁ ମାନେ ଖୁବ ଭକ୍ତି ସହକାରେ ପୂଜା କରିଥାନ୍ତି| ଆଜି ପବିତ୍ର ସାବିତ୍ରୀ ବ୍ରତ ଅବସରରେ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ ଏବଂ ପୂଜା କରିବେ ସେଥିଲାଗି ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି| ଧାଡି ରେ ଦର୍ଶନ ସହ ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ଲାଗି ପୋଲିସ ମଧ୍ୟ ମୁତୟନ କରାଯାଇଛି| ତେବେ ବହୁ ଶ୍ରଦ୍ଧାଳୁ ଦର୍ଶନ ଏବଂ ପୂଜା ପୂର୍ବକ ମା’ ଙ୍କର ସାନିଧ୍ୟ ଲାଭ କରିଛନ୍ତି