ଆଜି ଦ୍ଵିତୀୟ କ୍ଵାଲିଫାୟର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ୍ ଟାଇଟନ୍ସ ମଧ୍ୟରେ ହେବ କଡ଼ା ମୁକାବିଲା


ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ଏବଂ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପରେ ଚଳିତ ଆଇପିଏଲର ଦୁଇ ଫାଇନାଲିଷ୍ଟର ଚିତ୍ର ସ୍ପଷ୍ଟ ହୋଇଯିବ। ପ୍ରଥମ କ୍ଵାଲିଫାୟର ମ୍ୟାଚ୍ ଜିତି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପହଞ୍ଚି ସାରିଛି। ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ କ୍ଵାଲିଫାୟରର ବିଜେତା ମେ ୨୮ରେ ଚେନ୍ନାଇକୁ ଭେଟିବ।

ଆଇପିଏଲ୍ ୨୦୨୩ର ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଗୁଜରାଟ୍ ଟାଇଟନ୍ସ ପ୍ରଥମ କ୍ଵାଲିଫାୟର ମ୍ୟାଚରେ ଚେନ୍ନାଇ ହାତରୁ ୧୫ ରନରେ ପରାସ୍ତ ହୋଇଛି। ଚେନ୍ନାଇ ବିପକ୍ଷରେ ଦଳର ବ୍ୟାଟିଂ ଏବଂ ବୋଲିଂ ବହୁତ ଫିକା ନଜର ଆସିଥିଲା। ଦଳର ମଧ୍ୟକ୍ରମ ବ୍ୟାଟିଂ ଭୁଶୁଡ଼ି ପଡ଼ିଥିଲା। ଦଳ ପାଇଁ ବଡ଼ ଆଶ୍ଵସ୍ତିକର ଖବର ଶୁଭମନ ଗିଲ୍ ଜବରଦସ୍ତ ଫର୍ମରେ ଅଛନ୍ତି। ଗୁଜରାଟ ନିକଟରେ ଲଗାତାର ଦ୍ଵିତୀୟ ଥର ଫାଇନାଲ୍ ଖେଳିବାର ଏହା ଶେଷ ସୁଯୋଗ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଶିବିର ଉତ୍ସାହରେ ଭରି ରହିଛି। ୫ ଥରର ଚାମ୍ପିଅନ ଏମଆଇର ସିଜିନରେ ଆରମ୍ଭ ଆଦୌ ଭଲ ନଥିଲା। କିନ୍ତୁ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟାର୍ଦ୍ଧରେ ଦଳ ଯେଉଁଭଳି ପ୍ରତ୍ୟାବର୍ତ୍ତନ କଲା ତାହା ମୁମ୍ବାଇର ୫ ଥରର ଚାମ୍ପିଅନକୁ ଦର୍ଶାଇଛି। ଏଲିମିନେଟର ମୁକାବିଲାରେ ଦଳର ସମସ୍ତ ଖେଳାଳି ଉଭୟ ବ୍ୟାଟ୍ ଏବଂ ବୋଲିଂରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ତେଣୁ ଦଳ ଏହାକୁ ବଜାୟ ରଖି କ୍ଵାଲିଫାୟର-୨ ଜିତିବାକୁ ଲକ୍ଷ୍ୟ ରଖିଛି।

ଗୁଜରାଟ ଏବଂ ମୁମ୍ବାଇ ମଧ୍ୟରେ ଏ ପର୍ଯ୍ୟନ୍ତ ଆଇପିଏଲରେ ୩ଟି ମୁକାବିଲା ଖେଳାଯାଇଛି। ଏଥିରୁ ଦୁଇ ଥର ମୁମ୍ବାଇ ଜିତି ନିଜର ଦବଦବା ବଜାୟ ରଖିଛି। ଆଇପିଏଲ୍ ୨୦୨୩ରେ ଉଭୟ ଦଳ ପରସ୍ପରକୁ ଥରୁଟିଏ ଲେଖାଏଁ ହରାଇବାରେ ସଫଳ ରହିଛନ୍ତି। ଏମିତିରେ ଆଜି ଗୁଜରାଟ୍ ଏବଂ ମୁମ୍ବାଇ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ। ଗୁଜରାଟ୍ ପ୍ରଥମ କ୍ଵାଲିଫାୟର ପରାଜିତ ହୋଇଥିଲେ ହେଁ ଦଳ ଉଭୟ ବିଭାଗରେ ବେଶ ସନ୍ତୁଳନ ରହିଛି। ଅନ୍ୟପଟେ ମୁମ୍ବାଇକୁ ପ୍ଲେ ଅଫ ରାଉଣ୍ଡରେ ଖେଳିବାର ବେଶ ଅନୁଭବ ରହିଛି।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.