Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ଆର୍.ଡି ରାସ୍ତା ଠାରୁ ସାଲେପରା ନିମ୍ନମାନର ପିଚୁ ରାସ୍ତା ମରାମତି ଘଟଣା ; ସରକାରୀ ନିୟମକୁ ଜଳାଞ୍ଜଳି, ଟେଣ୍ଡର ପ୍ରାପ୍ତ ମୁଖ୍ୟ ଠିକାଦାର ବଦଳରେ ପେଟି ଠିକାଦାରଙ୍କ ଭରସାରେ ବିଭାଗୀୟ ଅଧିକାରୀ ।

ବଲାଙ୍ଗୀର, ୦୪/୦୪: ସରକାରୀ ବିକାଶମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିବା ପାଇଁ କଠୋର ନିୟମାବଳୀ ରହିଥିଲେ ହେଁ, କିଛି ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଟେଣ୍ଡର ପାଇଥିବା ମୁଖ୍ୟ ଠିକାଦାରଙ୍କ ବଦଳରେ ଅଣ-ପଞ୍ଜୀକୃତ ‘ପେଟି ଠିକାଦାର’ଙ୍କ ଜରିଆରେ କାମ କରାଯାଇ ବିଭାଗୀୟ ଅର୍ଥ ହରିଲୁଟ୍ କରାଯାଉଥିବା ଜଣାପଡିଛି । କାର୍ଯ୍ୟ ନିର୍ବାହୀ ସଂସ୍ଥା ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହୋଇଥିବା ମୁରିବାହାଲ ଆର୍.ଡ଼ି ରାସ୍ତା ଠାରୁ ସାଲେପରା ପିଚୁ ରାସ୍ତା ମରାମତି ଘଟଣାରୁ ଏଭଳି ଏକ ବେଆଇନ୍ କାମ ଏବେ ନଜରକୁ ଆସିଛି । ଅଭିଯୋଗ ଅନୁଯାୟୀ, ଗତ ସପ୍ତାହେ ତଳେ ବେଆଇନ ପ୍ରକ୍ରିୟାରେ ଏହି ରାସ୍ତା ମରାମତି କରାଯାଇଥିବା ବେଳେ ସମ୍ପୃକ୍ତ ବିଭାଗର ଯନ୍ତ୍ରୀ, SDO ଏବଂ ସହକାରୀ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିଛି । ଏହି ରାସ୍ତା କାମ ପାଇଁ ଅନିଲ କୁମାର ଅଗ୍ରୱାଲ ଟେଣ୍ଡର ପାଇଥିବା ବେଳେ ଏହାକୁ ସନ୍ତୋଷ କୁମାର ଅଗ୍ରୱାଲ ନାମକ ଜଣେ ଅଣପଞ୍ଜିକୃତ ପେଟି ଠିକାଦାର ମରାମତି କରୁଥିବା ନେଇ ଖୋଦ୍ ସ୍ବୀକାର କରିଛନ୍ତି ସଂପୃକ୍ତ ବିଭାଗର ଏସ୍ ଡି ଓ (SDO) ପ୍ରଦୀପ୍ କୁମାର ଲାଲ୍। ତେବେ ଏହି ରାସ୍ତା ମରାମତି କେମିତି ଟେଣ୍ଡର ପ୍ରାପ୍ତ ଠିକାଦାର ବଦଳରେ ଅଣପଂଜିକୃତ ଠିକାଦାର ମରାମତି କରୁଛନ୍ତି ବୋଲି ଏସ ଡି ଓ (SDO) ଙ୍କୁ ପଚାରିବାରୁ ତାହା ସେମାନଙ୍କ ତଥା ଉଭୟ ଠିକାଦାରଙ୍କ ବୁଝାମଣାରେ ଅଣପଞ୍ଜିକୃତ ଠିକାଦାର କରୁଥିବା ଏସ ଡି ଓ (SDO) ଶ୍ରୀ ଲାଲ୍ କହିଛନ୍ତି ।
ତେବେ ଯେଉଁ ଠିକାଦାର ବା ସଂସ୍ଥା ଟେଣ୍ଡର ମାଧ୍ୟମରେ ପାଇଥାନ୍ତି ସେହି ଅଭିଜ୍ଞତା ସମ୍ପନ୍ନ ସଂସ୍ଥା ହିଁ କାର୍ଯ୍ୟ ସମ୍ପାଦନ କରିବା ନିୟମ ରହିଛି । କିନ୍ତୁ ଟେଣ୍ଡର ପ୍ରାପ୍ତ ମୁଖ୍ୟ ଠିକାଦାର କେବଳ କାଗଜପତ୍ରରେ ସୀମିତ ରହି କିଛି କମିଶନ ବଦଳରେ ସ୍ଥାନୀୟ ଅଣ-ପଞ୍ଜୀକୃତ ବ୍ୟକ୍ତି ବା ପେଟି ଠିକାଦାରଙ୍କୁ କାମ ହସ୍ତାନ୍ତର କରିଦେଉଛନ୍ତି ବିଭାଗୀୟ ଲାଞ୍ଚ ଖୋର୍ ବାବୁ । ଏହି ପେଟି ଠିକାଦାର ମାନଙ୍କର ନା କୌଣସି ବୈଷୟିକ ଜ୍ଞାନ ଅଛି ନା ଅଛି କୌଣସି ସରକାରୀ ପଞ୍ଜୀକରଣ।
କୌଣସି କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କର ଉପସ୍ଥିତି ଓ ତଦାରଖ ଅନିବାର୍ଯ୍ୟ। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ଅନ୍ୟ ଜଣେ ଅଣ-ଅଧିକୃତ ଠିକାଦାର ବ୍ୟକ୍ତି କାମ କରୁଛନ୍ତି ତେବେ ଏହି ଅଧିକାରୀମାନେ କେଉଁ ଆଧାରରେ ତାହାକୁ ଅନୁମତି ଦେଉଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ?
ବେଆଇନ୍ ଭାବେ ଏହି ରାସ୍ତା ମରାମତି କାର୍ଯ୍ୟ ସମ୍ପର୍କରେ ଜାଣି ସୁଦ୍ଧା SDO ଶ୍ରୀ ଲାଲ୍ କେଉଁ କାରଣ ପାଇଁ ଚୁପ୍ ରହୁଛନ୍ତି ? ତାହାକୁ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
ଅଭିଯୋଗ ହେଉଛି ଯେ, ଏହି ରାସ୍ତା ମରାମତି କାମରେ ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ଅଧିକାରୀମାନେ ପେଟି ଠିକାଦାରଙ୍କ ସହ ମିଶି ମୋଟା ଅଙ୍କର ପିସି (PC) କାରବାର କରିବା ସହ ନିମ୍ନମାନର କାର୍ଯ୍ୟକୁ ପ୍ରଶ୍ରୟ ଦେଇଥିଲେ ।
ଏଥିରେ ପେଟି ଠିକାଦାର ସନ୍ତୋଷ ଅଗ୍ରୱାଲ ଅଧିକ ଲାଭ ଆଶାରେ ଅତି ନିମ୍ନମାନର ପିଚୁ ବ୍ୟବହାର କରି ଥିବାରୁ ଏହି ରାସ୍ତା ମରାମତି ଅତି ନିମ୍ନ ମାନର କରାଯାଇଛି । ଯାହା କେବଳ ସରକାରୀ ତହବିଲର କ୍ଷତି କରୁନାହିଁ ବରଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି।
ଏହି ଦୁର୍ନୀତି ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ଯନ୍ତ୍ରୀ, SDO ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories