ମୁରିବାହାଲ ବିକାଶ ମଞ୍ଚର ତତ୍ପରତା ଫଳରେ ଅଳ୍ପକେ ବର୍ତ୍ତିଲା ୨ ପାଳଗଦା ।
ବଲାଙ୍ଗୀର,୦୪/୦୪ : ଖରା ଦିନର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗରମ ପବନ ଯୋଗୁଁ ଅଗ୍ନିକାଣ୍ଡର ଆଶଙ୍କା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ମୁରିବାହାଲ ବ୍ଲକ୍ ର ଏକ ସ୍ଥାନୀୟ ଅନୁଷ୍ଠାନ୍ ତଥା ମୁରିବାହାଲ ବିକାଶ ମଞ୍ଚ ସଦସ୍ୟ ମାନଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍ପରତା ଯୋଗୁଁ ସଂପୃକ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ତଥା ବ୍ଳକ୍ କାର୍ଯ୍ୟାଳୟ ପଛପଟେ ଥିବା ୨ ବିରାଟ ପାଳଗଦା ଅଗ୍ନିମୁଖରୁ ଅଳ୍ପକେ ବର୍ତ୍ତିଯାଇଛି ।
ସାମାନ୍ୟ ଅସାବଧାନତାରୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରିବେଶ ଶୁଷ୍କ ରହିଥିବା ବେଳେ ମୁରିବାହାଲ ବ୍ଲକ୍ କାର୍ଯ୍ୟାଳୟ ପଛପଟେ ଥିବା ୨ ବଡ଼ ପାଳଗଦା ନିକଟରେ ଆଜି ଅପରାହ୍ନ ୪ ଟା ସମୟରେ ହଠାତ୍ ନିଆଁ ଲାଗିଥିବା ଦେଖାଦେଇଥିଲା। ପବନର ବେଗ ଅଧିକ ଥିବାରୁ ନିଆଁ ଖୁବ୍ ଶୀଘ୍ର ବ୍ୟାପିବାର ଭୟ ଥିଲା। ଠିକ୍ ସେହି ସମୟରେ ମୁରିବାହାଲ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀଙ୍କ ସମେତ ସମ୍ପାଦକ ଥବିର ସା ଏବଂ କୋଷାଧ୍ୟକ୍ଷ ହରିଦାସ ତାଣ୍ଡି କୌଣସି କାମରେ ମୁରିବାହାଲ ଷ୍ଟେସନ୍ ପଟୁ ସେହି ବାଟଦେଇ ଯାଉଥିବା ବେଳେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।
ଫଳରେ ସେମାନେ ବିଳମ୍ବ ନକରି ତୁରନ୍ତ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ମୁରିବାହାଲ ଅଗ୍ନିଶମ ବିଭାଗ ନିଆଁ ଲିଭା ଗାଡ଼ି ସହ ଘଟଣା ସ୍ଥଳରେ ପହଞ୍ଚି ସଂଗେସଂଗେ ନିଆଁକୁ ଆୟତ୍ତ କରିଥିଲେ।
ସ୍ଥାନୀୟ ବ୍ଲକ୍ ର ସଂପୃକ୍ତ ଅନୁଷ୍ଠାନ ଏବଂ ଅଗ୍ନିଶମ ବିଭାଗର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨ ପାଳଗଦାଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହେବାରୁ ରକ୍ଷା ପାଇବା ସହ ନିକଟରେ ଥିବା ଗୁହାଳ ଓ ଘରଗୁଡ଼ିକ ମଧ୍ୟ ସୁରକ୍ଷିତ ରହିଛି।
ତେବେ ମୁରିବାହାଲ ବିକାଶ ମଞ୍ଚର ଏଭିଲି ଉଦ୍ୟମକୁ ନିଆଁ ଲାଗିଥିବା ପାଖ ପଡ଼ୋଶୀ ଉଚ୍ଚ ପ୍ରଶଂସା କରିଛନ୍ତି।

