ମୁରିବାହାଲ ଆର୍.ଡି ରାସ୍ତା ଠାରୁ ସାଲେପଡ଼ା ନିମ୍ନ ମାନର ପିଚୁ ରାସ୍ତା ମରାମତି ଘଟଣା ! ଅଣ-ସ୍ୱୀକୃତିପ୍ରାପ୍ତ ପେଟି ଠିକାଦାରଙ୍କ ହାତରେ କାମ ” ମୁଁ ଜାଣିନାହିଁ ନିଜ ଦୋଷ ଲୁଚାଉଛନ୍ତି ବିଭାଗୀୟ ଏସଡିଓ ” ।
ବଲାଙ୍ଗୀର,୦୫/୦୪: ଗତ ସପ୍ତାହେ ତଳେ ମୁରିବାହାଲ ଆର.ଡି ରାସ୍ତା ଠାରୁ ସାଲେପଡ଼ା ରାସ୍ତା ପିଚୁ ମରାମତି ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଟିଟିଲାଗଡ଼ ବିଭାଜନ ପକ୍ଷରୁ ଏହି ରାସ୍ତାକୁ ଟେଣ୍ଡରରେ ପାଇଥିବା ଅନିଲ ଅଗ୍ରୱାଲ ବଦଳରେ ଅଣ ସ୍ଵୀକୃତିପ୍ରାପ୍ତ ପେଟି ଠିକାଦାର ସନ୍ତୋଷ କୁମାର ଅଗ୍ରୱାଲ ବେଆଇନ୍ ଭାବେ ଏହି ରାସ୍ତା ମରାମତି କାମ କରିଥିବା ଜଣା ପଡ଼ିଛି । ତେବେ ଉକ୍ତ ରାସ୍ତା ମରାମତି କାମରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଗ୍ରାମ୍ୟ ନିର୍ମାଣ ବିଭାଗରେ ଚାଲିଛି ମନୋମୁଖୀ ଶାସନ। ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ମୂଳ ଠିକାଦାରଙ୍କ ବଦଳରେ ଅନ୍ୟ ଜଣେ ଅଣ-ସ୍ୱୀକୃତିପ୍ରାପ୍ତ ପେଟି ଠିକାଦାର କିଭଳି ଏହି କାମ କରିଛନ୍ତି, ତାହାକୁ ନେଇ ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏ ସମ୍ପର୍କରେ ଗ୍ରାମ୍ୟ ନିର୍ମାଣ ବିଭାଗର ଏସଡିଓ (SDO) ପ୍ରଦୀପ କୁମାର ଲାଲ୍ ଗୋଟିଏ ଦିନ ପୂର୍ବରୁ ତାହା ଉଭୟ ଠିକାଦାରଙ୍କ ବୁଝାମଣାରେ ଅଣସ୍ଵୀକୃତି ପ୍ରାପ୍ତ ପେଟି ଠିକାଦାର କାମ କରୁଥିବା କହିଥିବା ବେଳେ ଏବେ ସେହି ଘଟଣାରେ ନିଜ ଛେପ ନିଜେ ଢୋକିଛନ୍ତି। ଏବେ ସେ ଏହି ଘଟଣାରେ ନିଜର ଅଜ୍ଞତା ପ୍ରକାଶ କରି କହିଛନ୍ତି ଯେ, “କିଏ ଅନୁମତି ଦେଲା ମୁଁ ଜାଣିନାହିଁ”। ଏସଡିଓଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଏବେ ବିଭାଗୀୟ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସରକାରୀ ନିୟମ ଅନୁଯାୟୀ, ଯେଉଁ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ କୃତକାର୍ଯ୍ୟ ହୋଇଥାନ୍ତି, ସେହି ଅନୁଷ୍ଠାନ ବା ବ୍ୟକ୍ତି ହିଁ କାର୍ଯ୍ୟ ସମ୍ପାଦନ କରିବା କଥା। ମାତ୍ର ଏଠାରେ ଜଣେ ଅଣ-ସ୍ୱୀକୃତିପ୍ରାପ୍ତ ପେଟି ଠିକାଦାରକୁ କାର୍ଯ୍ୟ ସମ୍ପାଦନ କରାଯିବାକୁ ଅନୁମତି ଦେବା ପଛରେ ସଂପୃକ୍ତ ଠିକାଦାର,ଏସଡିଓ ଏବଂ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଥିବା ସନ୍ଦେହ କରାଯାଉଛି। ବିନା କୌଣସି ଆଧିକାରିକ ଅନୁମତିରେ ଜଣେ ବାହାର ବ୍ୟକ୍ତି ସରକାରୀ ପାଣ୍ଠିର କାମ କିଭଳି କରୁଛନ୍ତି ? ତାହା ତଦନ୍ତ ସାପେକ୍ଷ !
କୌଣସି ବି କାମ କ୍ଷେତ୍ରରେ ହେବା ସମୟରେ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରହିବା ଜରୁରୀ। ଯଦି ଜଣେ ଅଜଣା ପେଟି ଠିକାଦାର କାମ କରୁଥିଲେ, ତେବେ କନିଷ୍ଠ ଯନ୍ତ୍ରୀ ଓ ଏସଡିଓ ଏବଂ ବିଭାଗୀୟ ସହକାରୀ ଯନ୍ତ୍ରୀ କାହିଁକି ଚୁପ୍ ରହିଥିଲେ ? ଏହି ଘଟଣାରେ ସଂପୃକ୍ତ ଏସଡିଓ ପ୍ରଦୀପ କୁମାର ଲାଲ୍ “ମୁଁ ଜାଣିନାହିଁ” କହିବା କେବଳ ନିଜର ଦୋଷ ଲୁଚାଇବା ପାଇଁ ଏକ ପ୍ରୟାସ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କଣ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଗୋଚରରେ ଏତେ ବଡ଼ ବେଆଇନ କାମ ଚାଲିବା ସମ୍ଭବ ? ନା ଏହା ପଛରେ କୌଣସି ବଡ଼ ଧରଣର ପିସି (PC) କାରବାର ରହିଛି ?
ଅଣ-ସ୍ୱୀକୃତିପ୍ରାପ୍ତ ଠିକାଦାରଙ୍କ ଦ୍ୱାରା କାମ କରାଯିବା ଅଧିକ ପିସି କାରବାର ଯୋଗୁଁ ତାହା ନିମ୍ନ ମାନର କରାଯାଇଛି । ଦାୟିତ୍ୱରେ ଥିବା ଯନ୍ତ୍ରୀ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏବେ ରାଜକୋଷର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିବାକୁ ଯାଉଛି।
ଏହି ଘଟଣାକୁ ନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଟିଟିଲାଗଡ଼ ବିଭାଜନର ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମାଝୀଙ୍କୁ ପ୍ରତିକ୍ରିୟା ନେବାକୁ ଚେଷ୍ଠା କରାଯାଇଥିବା ସେ ଫୋନ୍ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା ସହ ସମ୍ପୃକ୍ତ ଠିକାଦାର, ଏସଡିଓ, ସହକାରୀ ଯନ୍ତ୍ରୀ ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୁଦ୍ଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

