Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପଦ ଜନକ ଅବସ୍ଥାରେ ଇଛାପରା ରୁ ଅନ୍ତର୍ଲାକୁ ସଂଯୋଗ କରୁଥିବା କଞ୍ଚା ରାସ୍ତା ; ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ପ୍ରସ୍ତାବ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ !

ବଲାଙ୍ଗୀର,୦୫/୦୪: ବିପଦ ଜନକ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଇଛାପରା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସଦର ମହକୁମା ଗାଁରୁ ଅନ୍ତର୍ଲା ଗାଁକୁ ସଂଯୋଗ କରୁଥିବା କଞ୍ଚା ରାସ୍ତା । ଏନେଇ ସଂପୃକ୍ତ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି ବାରମ୍ବାର ସ୍ଥାନୀୟ ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ରଖୁଛନ୍ତି । ଅନେକ ଥର ଏହି ସମିତି ବୈଠକରେ ପ୍ରସ୍ତାବ ହେଉଛି, ପ୍ରସ୍ତାବ ଆସୁଛି, ପୁଣି ତାହା ଫାଇଲ୍ ତଳେ ଚାପି ହୋଇ ରହୁଛି। କିନ୍ତୁ ବଦଳୁନି ରାସ୍ତାର ଅବସ୍ଥା । ଦୀର୍ଘଦିନ ଧରି ମରଣଯନ୍ତା ପାଲଟିଥିବା ଏହି କଞ୍ଚା ରାସ୍ତା ଦେଇ ଯାତାୟାତ କରିବା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ବିପଦଜନକ ଅବସ୍ଥାରେ ଥିବା ଏହି ରାସ୍ତାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଇଛାପରା ସମିତିସଭ୍ୟ ତୋଫାନ୍ ନାଗଙ୍କ ଅଭିଯୋଗ ଅନୁସାରେ, ସେ ଉପରୋକ୍ତ ରାସ୍ତା ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି ବୈଠକରେ ବାରମ୍ବାର ଦାବି ଏବଂ ପ୍ରସ୍ତାବ ଉପସ୍ଥାପନା କରୁଛନ୍ତି । ହେଲେ ସ୍ଥାନୀୟ ଜନ ପ୍ରତିନିଧିମାନେ ପ୍ରତିଥର ଏହାକୁ ଗୁରୁତ୍ୱ ଦେବାକୁ କହୁଥିଲେ ହେଁ, ବାସ୍ତବ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରଶାସନିକ ଅବହେଳା ଯୋଗୁଁ ରାସ୍ତାଟି ଏବେ ଚଳପ୍ରଚଳ ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ଏହି ରାସ୍ତାଟି ମାଟି ତଥା କଞ୍ଚା ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଏହା କାଦୁଅରେ ପଚପଚ ହେଉଛି। ଫଳରେ ବର୍ଷାଦିନେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ସେବା ବାଧା ହେବା ସହ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଗ୍ରାମ ଭିତରକୁ ଆସିପାରୁ ନଥିବା ଅଭିଯୋଗ ହୋଇଛି । ସେହିପରି ଏହି ରାସ୍ତା ଦେଇ ପ୍ରତିଦିନ ଟିକ୍ରାପଡ଼ା, ଧୁମାଭଟାକୁ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏଥିସହ ସଂପୃକ୍ତ ଗାଁର ଚାଷୀମାନେ ନିଜର କୃଷିଜାତ ଦ୍ରବ୍ୟ ସ୍ଥାନୀୟ ଅଞ୍ଚଳର ବଜାରକୁ ଏହି ରାସ୍ତା ଦେଇ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରଶାସନର ଏଭଳି ନିଷ୍କ୍ରିୟତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। “ଯଦି ଆଗାମୀ ଦିନରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହୁଏ, ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ” ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ଏହି ଗ୍ରାମର କଞ୍ଚା ରାସ୍ତା କାହିଁକି ଅଣଦେଖା ହୋଇ ରହିଛି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆଗାମୀ ଦିନରେ ପ୍ରଶାସନ ତରଫରୁ ଏହି କଞ୍ଚା ରାସ୍ତାକୁ ସ୍ଥାୟୀ ପିଚୁ କିମ୍ବା କଂକ୍ରିଟ୍ ରାସ୍ତା କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ୍ କୁ ପଚାରିବାରୁ ମୁଁ ଏନେଇ ମୋ ଦଳୀୟ କର୍ମୀଙ୍କ ତରଫରୁ ଅବଗତ ଅଛି ଏବଂ ଏହି ରାସ୍ତା କାମ ପାଇଁ ମୁଁ ରାଜ୍ୟ ସରକାରଙ୍କ ଠାରେ ପ୍ରସ୍ତାବ ରଖି ସାରିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories