ବଲାଙ୍ଗୀର ପାଟଣାଗଡ଼ରେ କାଳ ବୈଶାଖୀର ପ୍ରଭାବ; ପ୍ରବଳ ବର୍ଷା ଓ କୁଆପଥର ମାଡ଼ ସହ ବଜ୍ରପାତ ଘଟି ବ୍ୟାପକ କ୍ଷୟକ୍ଷତି।
ବଲାଙ୍ଗୀର,୦୬/୦୪: ବଲାଙ୍ଗୀର ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ମଧ୍ୟରେ ହଠାତ୍ ବଦଳିଛି ପାଗର ରୂପ। ଆଜି ଅପରାହ୍ନରେ କାଳବୈଶାଖୀ ଫଳରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଏହି ଅଞ୍ଚଳରେ ଆଜି ଧୂଳି ଝଡ଼ ସାଙ୍ଗକୁ ପ୍ରବଳ ବର୍ଷା, କୂଆପଥର ମାଡ଼ ଏବଂ ପ୍ରବଳ ବଜ୍ରପାତ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷ କରି ପ୍ରବଳ ପବନ ଯୋଗୁଁ ବିଶାଳକାୟ ଗଛ ଉପୁଡ଼ି ଘର ଉପରେ ପଡ଼ିବାରୁ ଅନେକ ଘର ଭାଙ୍ଗି ଯାଇଛି । ଆଜି ପାଟଣାଗଡ଼ ଅଞ୍ଚଳରେ ଦିନ ପ୍ରାୟ ମଧ୍ୟାହ୍ନ ୨ ଟା ବେଳକୁ ହଠାତ୍ ଆକାଶ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଯାଇଥିଲା। ଦେଖୁ ଦେଖୁ ପ୍ରବଳ ବେଗରେ ପବନ ବହିବା ସହ କୂଆପଥର ବର୍ଷା ହୋଇଥିଲା । ବଜ୍ରପାତର ଶବ୍ଦରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସବୁଠାରୁ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପାଢେଲ ଗାଁରେ, କାଳବୈଶାଖୀ ପ୍ରଭାବରେ ଅନେକ ଗଛ ଉପୁଡ଼ି ପଡ଼ି ଅନେକ ଗରିବ ପରିବାରର ଘର ଉପରେ ମାଡ଼ି ବସିଛି। ଫଳରେ କ୍ଷତିଗ୍ରସ୍ତ ହୋଇଥିବା ଘରର କାନ୍ଥ ଓ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟ। ପ୍ରବଳ କୂଆପଥର ମାଡ଼ରେ ଏହି ଅଞ୍ଚଳରେ କାଶ୍ମୀରର ଭ୍ରମ ସୃଷ୍ଟି କରିଥିବା ବେଳେ ଚାଷ ଜମି ଗୁଡିକରେ ଚାଷ ହୋଇଥିବା ଫସଲ ଓ ପନିପରିବା ନଷ୍ଟ ହୋଇଯାଇଥିବାରୁ ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇଛନ୍ତି। ପ୍ରକୃତିର ଏହି ତାଣ୍ଡବ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଚିନ୍ତାରେ ରହିଛନ୍ତି । ଘର ହରାଇଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ପଲିଥିନ୍ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ (RI) ଏବଂ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଅନୁରୋଧ କରାଯାଇଛି।

