ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ସ୍କୁଲ ନିକଟରେ ସର୍ଟ ସର୍କିଟ୍ ଯୋଗୁଁ ଜଳିଗଲା କାର ।
ବଲାଙ୍ଗୀର,୧୪।୪:
ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଂଚଳରେ ଗତକାଲି ସର୍ଟ ସର୍କିଟ ଯୋଗୁଁ ରାସ୍ତାରେ ଯାଉଥିବା ଏକ କାରରେ ନିଆଁ ଲାଗି ହୁତୁ ହୁତୁ ହୋଇ ଉକ୍ତ କାର ଜଳିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି କାର ରେ ବସିଥିବା ଉଭୟ ସ୍ବାମୀ ଏବଂ ସ୍ତ୍ରୀ ନିଆଁ ରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ନ ସାଢ଼େ ୧୨ ସମୟରେ ସିନ୍ଧେକେଲା ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ସିନ୍ଧେକେଲା ଥାନା ଗନ୍ଧର୍ଲ୍ଲା ପଞ୍ଚାୟତ ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ସ୍କୁଲ ନିକଟରେ ଉକ୍ତ କାର ର ଇଞ୍ଜିନ୍ ରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ଉକ୍ତ କାର ରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । କାର ରେ ନିଆଁ ଲାଗିଥିବା ଜାଣି ଏଥିରେ ବସିଥିବା ଉଭୟ ସ୍ୱାମୀ ସ୍ତ୍ରୀ ସାଙ୍ଗେ ସାଙ୍ଗେ କାରରୁ ଓହ୍ଲାଇ ପଡ଼ିଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୀର୍ଘ ସମୟ ଧରି ଉକ୍ତ କାର ନିଆଁ ଲାଗି ଜଳୁଥିବା ବେଳେ ସିନ୍ଧେକେଲା ପୋଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଭବାନୀପାଟଣା-ରାୟପୁର ଜାତୀୟ ରାଜପଥ ନଂ ୧୬ ରେ ଏହି ଘଟଣା ଘଟିଥିବାରୁ କିଛି ସମୟ ଧରି ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ଏନେଇ ସିନ୍ଧେକେଲା ଥାନାରେ କୌଣସି ଅଭିଯୋଗ ହୋଇନଥିବା ସିନ୍ଧେକେଲା ଥାନା ଅଧିକାରୀ ଫୁଲଜେନ୍ସ ଲାକ୍ରା ସୂଚନା ଦେଇଛନ୍ତି ।

