ଏଟିଏମ୍ ରୁ ଟଙ୍କା ଉଠାଣ ବେଳେ ଲୁଟ୍, ଯୁବକ ଗିରଫ ।
ବଲାଙ୍ଗୀର,୧୪।୪
ଏଟିଏମ୍ ରୁ ଟଙ୍କା ଉଠାଉଥିବା ବେଳେ ଲୁଟ୍ ଘଟଣାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ୍ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀରର ବିଶ୍ୱଜିତ ଦାଶ। ଟିଟିଲାଗଡ଼ ସହରର ଏସବିଆଇ ଶାଖାର ଏକ ଏଟିଏମ୍ ରୁ ସର୍ଗିଗୁଡ଼ାର ଅନନ୍ତ ସାହୁ ନାମକ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ଜଣେ ଯୁବକ ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରି ଟଙ୍କା ଲୁଟି ଫେରାର ମାରିଥିଲା। ଏନେଇ ଅନନ୍ତ ତିତିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ଥାନାଧିକାରୀ ମନୋଜ ମୁଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ସବ୍ ଇନ୍ସପେକ୍ଟର କିରଣ ଯାନି ସମ୍ପୃକ୍ତ ଲୁଟେରାକୁ ବଲାଙ୍ଗୀରରୁ ଧରିବାରେ ସଫଳ ହୋଇଥିଲେ।
ଅଭିଯୁକ୍ତ ଠାରୁ ଏକ ଛୁରୀ ଏବଂ ୧୧୦୦ ଟଙ୍କା ଜବତ କରିବା ସହିତ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ନାମରେ ବଲାଙ୍ଗୀର ଜିଲ୍ଲାରେ ଅନେକ ମାମଲା ରହିଥିବା ନେଇ ପୁଲିସ୍ ସୂଚନା ଦେଇଛି। ତେବେ ଏଟିଏମ୍ ରୁ ଟଙ୍କା ଉଠାଉଥିବା ବେଳେ ସାବଧାନତା ଅବଲମ୍ବନ କରିବା ସହ ସଚେତନ ହେବାକୁ ଟିଟିଲାଗଡ଼ ଥାନାଧିକାରୀ ମନୋଜ ମୁଣ୍ଡା ଅନୁରୋଧ କରିଛନ୍ତି।

