କାର୍ଯ୍ୟକ୍ଷମ ହେଲା ୨ ମାସରୁ ଉର୍ଦ୍ଧ୍ବ ସମୟ ଧରୀ ବନ୍ଦ ପଡ଼ିଥିବା କଣ୍ଟାବାଞ୍ଜି ରକ୍ତ ଭଣ୍ଡାର ।
ବଲାଙ୍ଗୀର, ୧୪।୪ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତଥା ପାଖାପାଖ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଖୁସୀ ଖବର । ଆଜି ପୁଣି କାର୍ଯ୍ୟକ୍ଷମ ହୋଇଛି ଗତ ୨ ମାସରୁ ଉର୍ଦ୍ଧ୍ବ ସମୟ ହେବ ବନ୍ଦ ପଡ଼ିଥିବା କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର । ଗତ ୨ ମାସରୁ ଅଧିକ ସମୟ ହେବ ଲାଇସେନ୍ସ ନବୀକରଣ ହୋଇ ପାରୁନଥିବା କାରଣରୁ ଏହି ରକ୍ତ ଭଣ୍ଡାର ବନ୍ଦ ହୋଇ ଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ଅନୁମତି ମିଳି ଥିବାରୁ ଆଜି ଏହି ରକ୍ତ ଭଣ୍ଡାର ପୁଣି ସୁଚାରୁ ଭାବରେ ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ବିଧିବଦ୍ଧ ଭାବେ ଏହି ରକ୍ତଭଣ୍ଡାରକୁ ପୁଣି ଥରେ ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଛି । କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହା ଅଞ୍ଚଳର ଲୋକଙ୍କ ପାଇଁ ମହତ୍ୱପୂର୍ଣ୍ଣ ତଥା ଏକ ଆଶ୍ଵସ୍ତିକର ଖବର ବୋଲି ସେ କହିବା ସହ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ବିଧାୟକ । ଅନ୍ୟ ପକ୍ଷରେ ଏହି ବନ୍ଦ ପଡିଥିବା ରକ୍ତ ଭଣ୍ଡାରକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବିଜେଡ଼ି ଦଳର ଯୁବ ନେତା ଗିରିରାଜ ସିଂ ମାଝୀ, ମୁସଲିମ କମିଟି, ମାଳି ସମାଜ, କୋଶଳ ମୁକ୍ତି ମୋର୍ଚ୍ଚା , ପୂର୍ବତନ ବିଧାୟକ ଆୟୁବ ଖାଁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଦାବୀ କରିଥିଲେ । ସେହିପରି କଟକ ବାରବାଟୀ ବିଧାୟିକା ସୋଫିୟା ଫିର୍ଦୋଷ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ରକ୍ତ ଭଣ୍ଡାର ଉପରେ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ଲାଠୋର, ଖପ୍ରାଖୋଲ, ଖରିଆର, ବେଲପଡା ଅଞ୍ଚଳର ହଜାର ହଜାର ରୋଗୀ ନିର୍ଭରଶୀଳ ଥିବା ବେଳେ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ଧରୀ ଏହା ବନ୍ଦ ପଡ଼ିଥିବା କାରଣରୁ ଏଠାକାର ଜଣ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଥିଲେ । ତେବେ ଆଗାମୀ ଦିନରେ ଏ ପ୍ରକାର ଭୁଲ୍ ନହେବା ପାଇଁ ବିଧାୟକ ଶ୍ରୀ ବାଗ ସଂପୃକ୍ତ ଚିକିତ୍ସାଳୟ ଅଧିକାରୀ ଓ ରକ୍ତ ଭଣ୍ଡାର ପରିଚାଳନା କର୍ମଚାରୀ ମାନଙ୍କୁ ତାଗିଦ୍ କରିଥିଲେ ।

