Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ହନୁମାନ ଜୟନ୍ତୀର ଭବ୍ୟ ସମାରୋହ: ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସହର, ସୁରକ୍ଷା ପାଇଁ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।

ବଲାଙ୍ଗୀର, ୧୪।୪ : ଆଜି ଅର୍ଥାତ୍ ମଙ୍ଗଳବାର ଦିନ ପବିତ୍ର ହନୁମାନ ଜୟନ୍ତୀ ଅବସରରେ ବଲାଙ୍ଗୀର ସହର ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ମ୍ରିୟମାଣ ହୋଇଉଠିଛି। ଏନେଇ ବଲାଙ୍ଗୀର ସହରର ବିଭିନ୍ନ ହନୁମାନ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସହରରେ ସଂଧ୍ୟାରେ ବଲାଙ୍ଗୀର ହନୁମାନ ଜନ୍ମୋତ୍ସବ ପାଳନ ସମନ୍ୱୟ ସମିତିର ଆବାହାକ କାହ୍ନା ଶତପଥୀଙ୍କ ନେତୃତ୍ୱରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ବଲାଙ୍ଗୀର ସହର ତଥା ଆଖପାଖ ଅଂଚଳର ବିଭିନ୍ନ ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସମେତ ହଜାର ହଜାର ସଂଖ୍ୟାରେ ହନୁମାନ ଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହାତରେ ହନୁମାନଙ୍କ ପତାକା ଏବଂ “ଜୟ ଶ୍ରୀରାମ” ଓ “ଜୟ ବଜରଙ୍ଗବଲୀ” ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇଥିଲା। ଡିଜେ ସାଉଣ୍ଡ, ପାରମ୍ପରିକ ବାଦ୍ୟ, ଘଣ୍ଟ ଓ ଶଙ୍ଖ ନାଦ ସହ କୋଶଳ କଳା ମଣ୍ଡଳ ଠାରୁ ବାହାରିଥିବା ଏହି ଶୋଭାଯାତ୍ରା ଭାଗିରଥି ଛକ, ଦେଇ ପିପି ଏକାଡେମୀ ଛକ, ଟିକ୍ରାପଡା ଛକ, ମାଲପଡ଼ା ଛକ, ଡେଲି ମାର୍କେଟ୍ ଦେଇ ସହରର ମୁଖ୍ୟ ରାସ୍ତା ପରିକ୍ରମା କରି ପୁଣି କୋଶଳ କଳା ମଣ୍ଡଳ ପଡିଆ ନିକଟରେ ପହଂଚି ଥିଲା ।ଏହି ଅବସରରେ ଭକ୍ତମାନଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଲାଙ୍ଗୀର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ବଲାଙ୍ଗୀର ଏସ୍.ପି ଙ୍କ ନେତୃତ୍ୱରେ ସହରର ସମ୍ବେଦନଶୀଳ ସ୍ଥାନ ଓ ଶୋଭାଯାତ୍ରା ମାର୍ଗରେ ମୋଟ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏଥିରେ ଏଡିସନାଲ୍ ଏସ୍.ପି ପିତାମ୍ବର ମଲ୍ଲିକ, ଏସ୍.ଡି.ପି.ଓ ସରୋଜ କୁମାର ଉପାଧ୍ୟାୟ, ସାଇବର ପୋଲିସ ଥାନା ଇନ୍ସପେକ୍ଟର ଭାରତୀ ନାୟକ, ହେଡ୍ କ୍ୱାର୍ଟର ଥାନା ଇନ୍ସପେକ୍ଟର, ସନାତନ ସାହୁ, ସଦର ପୋଲିସ୍ ଥାନା ଏଡିସିନାଲ ଆଇ.ଆଇ.ସି ସୁଦିପ୍ତା ରାଉତରାୟ, ଟାଉନ୍ ଥାନା ଭାରପ୍ରାପ୍ତ ଆଇ.ଆଇ.ସି ଏସ୍.ଏଫ୍ ଏକ୍କା, ଟ୍ରାଫିକ ଇନଚାର୍ଜ ବସନ୍ତ ପାତ୍ରଙ୍କ ସମେତ ୧୫ ଜଣ ଅଫିସର ରାଙ୍କ୍ ର ପୋଲିସ ଅଧିକାରୀ ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଶୋଭାଯାତ୍ରା ପାଇଁ ସହରର କିଛି ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରିତ କରାଯାଇଥିଲା ଯାହା ଫଳରେ ସାଧାରଣ ଜନତା ଓ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ସେହିପରି ସହରର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ମୁଖ୍ୟ ଛକ ସ୍ଥାନରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ଓ ସରବତର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ହନୁମାନ ଜୟନ୍ତୀର ଏହି ମହାମିଳନ ବଲାଙ୍ଗୀରରେ ଭାଇଚାରା ଓ ସାଂସ୍କୃତିକ ଏକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ