କଣ୍ଟାବାଞ୍ଜିରେ ଆମ୍ବେଦକର ଜୟନ୍ତୀ ପାଳିତ ।
ବଲାଙ୍ଗୀର, ୧୫।୪ : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ବିଭିନ୍ନ ଅନୁଷ୍ଠାନ୍ ପକ୍ଷରୁ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଏନେଇ ମଙ୍ଗଳବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆମ୍ବେଦକର ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକ ମାନଙ୍କ ସହ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ରାଜେଶ ସାଗର, ମୁକେଶ ବାଗ, ଯୋଗେଶ ଅଗ୍ରୱାଲ, ପପୁ ଜୁଏଡ଼, ବେଣୁଧର ବେହେରା, ଦେବଦତ୍ତ ମଜଖଣ୍ଡଙ୍କ ସହ ଅନ୍ୟମାନେ ସାମିଲ୍ ଥିଲେ । ସେହିପରି ଆମ୍ବେଦକର ଛକରେ ବି.ଆର୍.ୟୁ.ଏସ୍.ବି କ୍ଲବ୍ ସଭାପତି ଦେବଦତ୍ତ ମଜଖଣ୍ଡଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରେ ଆମ୍ବେଦକର ଜୟନ୍ତୀ ପାଳନ କମିଟି ସଭାପତି ଗୋବିନ୍ଦ ତାଣ୍ଡିଙ୍କ ନେତୃତ୍ଵରେ କଣ୍ଟାବାଞ୍ଜିରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ଗୋରୁ ବଜାର ପଡିଆରୁ ବାହାରି ରେଳବାଇ ପଡିଆ ପର୍ଯ୍ୟନ୍ତ ପହଞ୍ଚିଥିଲା । ସେହିପରି ଚଟୁଅନକା ଓ ସ୍ଥାନୀୟ ଗାନ୍ଧୀନଗର ପଡାରୁ ଏହି ରାଲି ବାହାରିଥିଲା | ଏହି ଅବସରରେ ରେଳବାଇ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବକ୍ତା ମାନେ ଡା.ଆମ୍ବେଦକରଙ୍କ ସ୍ମୃତୀ ଚାରଣ କରିଥିଲେ। ଏହି ଶୋଭାଯାତ୍ରାକୁ ବିଭିନ୍ନ ସଂଗଠନ ଦ୍ୱାରା ସ୍ୱାଗତ କରିବା ସହ ଶୀତଳ ପାଣି, ଆଇସ୍ କ୍ରିମ୍ ସହ ସରବତ ବ୍ୟବସ୍ଥା କରାଯାଇଥିଲା । ଆମ୍ୱେଦକର ଜୟନ୍ତୀ ରାଲିରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକଯ୍ୟୁକ୍ୟୁଟିଭ ମାଜିଷ୍ଟ୍ରେଟ ତଥା କଣ୍ଟାବାଞ୍ଜି ତହସିଲଦାର ବିସନାଥ ଖାଲକୋ ସମେତ ସ୍ଥାନୀୟ ପୋଲିସ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଆଇଆଇସି ଗୋପାଳ କର୍ଣ୍ଣ , ତୁରେକେଲା ଆଇଆଇସି ରାକେଶ ବେହେରା, ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ସହ ଏକାଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିଲେ ।

