ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।
ବଲାଙ୍ଗୀର,୨୩।୪: ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ କ୍ଷେତ୍ରରେ କିଛି ନୂତନ ପ୍ରକଳ୍ପ ଜନସାଧାରଣଙ୍କୁ ଉତ୍ସର୍ଗ କରାଯିବା ନେଇ ସୂଚନା ମିଳିଛି । ଏଥିସହ ସ୍ଥାନୀୟ ଜନସାଧାରଣଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ କିଛି ନୂତନ ଯୋଜନାର ଘୋଷଣା କରିପାରନ୍ତି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ବଲାଙ୍ଗୀର ଜିଲ୍ଲାର କୃଷି, ଜଳସେଚନ ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି। ବିଶେଷ କରି ମରୁଡ଼ି ପ୍ରପୀଡ଼ିତ ଏହି ଅଞ୍ଚଳ ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ହେବା ନେଇ ଚର୍ଚ୍ଚା ଜୋର ଧରିଛି।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବଲାଙ୍ଗୀରର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

