ବଲାଙ୍ଗୀରରେ ବିକାଶର ନୂଆ ଅଧ୍ୟାୟ; ଚିନିକଳ ଓ ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
ବଲାଙ୍ଗୀର,୨୫।୪: ବଲାଙ୍ଗୀର ଜିଲ୍ଲାର ଶିଳ୍ପ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଗତକାଲି ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଜାତୀୟ ପଞ୍ଚାୟତିରାଜ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାବାସୀଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ‘ ଚିନିକଳ ଏବଂ ଟେକ୍ସଟାଇଲ୍ ପାର୍କ ‘ପ୍ରତିଷ୍ଠା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ବଲାଙ୍ଗୀର ଜିଲ୍ଲା ପାଇଁ ମୋଟ ୫୨୦ କୋଟି ଟଙ୍କାର ୩୦୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ସେହିପରି ୩୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୮ଟି ପ୍ରକଳ୍ପ ଲୋକାର୍ପଣ ଏବଂ ୧୯୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୭୬ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଗାଁ ହେଉଛି ଦେଶର ଆତ୍ମା” ବିକଶିତ ଓଡ଼ିଶା ଗଠନ ପାଇଁ ସମୃଦ୍ଧ ଗାଁର ଆବଶ୍ୟକତା ରହିଛି।” ସେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ଭାଗିଦାରୀ ଉପରେ ଗୁରୁତ୍ୱ ଦେବା ସହ ନିଜର ସରପଞ୍ଚ ସମୟର ଅଭିଜ୍ଞତା ବଖାଣି ଜନପ୍ରତିନିଧି ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ବୋଲି ସରକାରଙ୍କ ଉପଲବ୍ଧି ବାବଦରେ ପ୍ରକାଶ କରିଥିଲେ ।
ସେହିପରି ପଞ୍ଚାୟତିରାଜ ବିଭାଗର ‘ଇ-ପଞ୍ଚାୟତ ସଭା’ ଏବଂ ‘ଇଣ୍ଟରନାଲ ଅଡିଟ୍ ରିପୋର୍ଟ’ ଆପ୍ର ଶୁଭାରମ୍ଭ ନେଇ ସୂଚନା ଦେଇଥିଲେ । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିବା ସହ ମନରେଗା ଓ ଗ୍ରାମୀଣ ଆବାସ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜିଲ୍ଲା ପରିଷଦ (ସୁନ୍ଦରଗଡ଼, କନ୍ଧମାଳ, ନୂଆପଡ଼ା, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ) ଓ ବିଭିନ୍ନ ପଞ୍ଚାୟତକୁ ସମ୍ମାନିତ କରାଯାଇଛି ବୋଲି ସୂଚନା ଦେଇଥିଲେ । ଏହି ମେଗା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସମେତ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ ଜୈନ୍ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ବିଶାଳ ସମାବେଶକୁ ସମ୍ବୋଧିତ କରି ‘ଟିମ୍ ଓଡ଼ିଶା’ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି।

