ବେଆଇନ ବାଲି ମାଫିଆଙ୍କ କବଜାରେ ସିନ୍ଧେକେଲା ଉଁନ୍ଦେର ନଦୀ, ସବୁକିଛି ଜାଣିଶୁଣି ପ୍ରଶାସନ ଚୁପ୍ କାହିଁକି ?
ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲାର ଉଁନ୍ଦେର ନଦୀରେ ବାଲି ମାଫିଆଙ୍କ ଆଧିପତ୍ୟ ପ୍ରଶାସନର କର୍ତ୍ତୃତ୍ୱକୁ ଚ୍ୟାଲେଞ୍ଜ କରୁଛି। ନଦୀର ସ୍ୱାଭାବିକ ଗତିପଥକୁ ଅବରୋଧ କରି ମାଫିଆ ମାନେ ବାଲି ଚୋରାଚାଲାଣ କରିବା ପାଇଁ ବେଆଇନ ଭାବେ ରାସ୍ତା ନିର୍ମାଣ କରିଛନ୍ତି, ଏବଂ ଏସବୁ ସ୍ଥାନୀୟ ପ୍ରଶାସନର ଆଖି ସାମ୍ନାରେ ଘଟୁଛି। କୌଣସି ସରକାରୀ ଲିଜ୍ କିମ୍ବା ବୈଧ କାଗଜପତ୍ର ନଥାଇ ପ୍ରତିଦିନ ହଜାର ହଜାର ଟ୍ରିପ୍ ବାଲି ହାଇୱା ଯୋଗେ ଦିନରାତି ଚୋରାଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ମୂକ ମନୋଭାବ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ନଦୀପଠାରୁ ବାଲି ଲୁଟ୍ କରିବା ପାଇଁ ବଙ୍ଗୋମୁଣ୍ଡାର ଚାନ୍ଦ ଅଗ୍ରୱାଲ ନାମକ ଜଣେ ବାଲି ମାଫିଆ ନିଜେ ନଦୀ ଭିତରେ ବାଲି ପକାଇ ବଡ଼ ବଡ଼ ହାଇୱା ଯିବା ଭଳି ରାସ୍ତା ନିର୍ମାଣ କରିଛି। ସେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ହାଇୱା ବାଲି ଚୋରା ଚାଲାଣ କରୁଛି। ସରକାରୀ ନିୟମ ଅନୁଯାୟୀ, ବାଲି ଉତ୍ତୋଳନ ଏବଂ ପରିବହନ ପାଇଁ ୱାଇ-ଫର୍ମ (Y-Form) ର ବ୍ୟବହାର ଅନିବାର୍ଯ୍ୟ। କିନ୍ତୁ ବାଲି ମାଫିଆ ଚାନ୍ଦ ଅଗ୍ରୱାଲ ଏହି ନଦୀରୁ ବିନା କୌଣସି ବୈଧ କାଗଜପତ୍ରରେ ବାଲି ଉତ୍ତୋଳନ ଏବଂ ଚୋରାଚାଲାଣ ଚାଲିଛି। ଫଳରେ ସରକାର ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସେମାନେ ରହସ୍ୟଜନକ ଭାବେ ଚୁପ୍ ରହୁଛନ୍ତି। ମାଫିଆ ଏବଂ ଅସାଧୁ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ହିଁ ଏହି ବେଆଇନ କାରବାର ଏତେ ବଡ଼ ରୂପ ନେଇଥିବା ଚର୍ଚ୍ଚା ହେଉଛି। ଏହି ନଦୀରୁ ଅହେତୁକ ବାଲି ଉତ୍ତୋଳନ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବେଳେ ସ୍ଥାନୀୟ ନଦୀ କୂଳିଆ ଗାଁ ସିନ୍ଧେକେଲା, ଚାନ୍ଦୋତରା, ତେଲ ସରେଇ, ଭତାସଡ, ସାଲେବରଡ, ମମିଆଁ, ତୁରେକେଲା, ଗନ୍ଧର୍ଲା, ଶ୍ରୀରାମ ଏବଂ ଘର୍ଲା ଗାଁ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଅତ୍ୟଧିକ ଭାରୀଯାନ ଚଳାଚଳ ଯୋଗୁଁ ଗ୍ରାମାଞ୍ଚଳର ପକ୍କା ରାସ୍ତା ଗୁଡ଼ିକ ଖାଲଖମାରେ ଭରିଗଲାଣି, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଠାରେ ପ୍ରଶ୍ନ ଉଠୁଛି ନଦୀ ଭିତରେ ବେଆଇନ ରାସ୍ତା ତିଆରି ହେଉଥିବା ବେଳେ ସ୍ଥାନୀୟ ରାଜସ୍ୱ ବିଭାଗ କାହିଁକି ଚୁପ୍ ରହିଛି ? କ’ଣ ଏହା ସରକାରୀ କର୍ତ୍ତବ୍ୟର ଅବହେଳା ନୁହେଁ ?
ପ୍ରତିଦିନ ଶହ ଶହ ହାଇୱା ବିନା ବୈଧ କାଗଜପତ୍ରରେ ଚଳାଚଳ କରୁଥିଲେ ମଧ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ କାହିଁକି ଗାଡ଼ି ଜବତ କରୁନାହିଁ ? ଏହା କ’ଣ ମାଫିଆଙ୍କୁ ସୁରକ୍ଷା ଦେବାର ସଂକେତ କି ? ସରକାରୀ ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ମାଫିଆଙ୍କୁ କିଏ ସାହସ ଦେଉଛି ? ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀମାନେ କାହିଁକି ସେମାନଙ୍କ ଦାୟିତ୍ୱ ପାଳନ କରୁନାହାଁନ୍ତି ? ଏହାକୁ ନେଇ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀଙ୍କୁ ପଚାରିବାରୁ ଏହା ମାଇନିଂ ବିଭାଗକୁ ଶିଫ୍ଟ ହୋଇଗଲାଣି ଆମେ ଏନେଇ ମାଇନିଂ ବିଭାଗକୁ ବହୁତ୍ ଦିନ ହେଲା ଜଣାଇ ଦେଇଛୁ ବୋଲି କହିଛନ୍ତି । ବଲାଙ୍ଗୀର ଖଣି ଉପ-ନିର୍ଦ୍ଦେଶକ ବୀରକିଶୋର ତିର୍କୀଙ୍କୁ ପଚାରିବାରୁ ବଙ୍ଗୋମୁଣ୍ଡା ତହସିଲଦାର ମତେ ନୁହେଁ ଆମର ବିଭାଗୀୟ ଅନ୍ୟ ଅଧିକାରୀଙ୍କୁ ଏନେଇ ଜଣାଇଥିବେ ମୁଁ ତାଙ୍କୁ ପଚାରି କହୁଛି ବୋଲି କହିଛନ୍ତି । ବଲାଙ୍ଗୀର ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ଙ୍କୁ ଉକ୍ତ ଘଟଣା ବାବଦରେ ପଚାରିବାରୁ ମତେ ବଙ୍ଗୋମୁଣ୍ଡା ତହସିଲଦାର ଆଜି ବୋଧେ ଏନେଇ ମ୍ୟାସେଜ୍ କରିଛନ୍ତି ମୁଁ ଟିକେ ବ୍ୟସ୍ତ ଅଛି ଦେଖିନି ବୋଲି କହିଥିଲେ ? ତେବେ ଆପଣ ଯଦି ଦେଖି ନାହାନ୍ତି ତ କେମିତି କହୁଛନ୍ତି ଆଜି ବୋଧେ ମ୍ୟାସେଜ କରିଛନ୍ତି ବୋଲି ପଚାରିବାରୁ ମ୍ୟାସେଜ୍ ଆସିଥିଲା ମୁଁ ପୁରା ଭାବେ ଦେଖି ପାରିନି କହିବା ସହ ଗାଡ଼ିକୁ ଧରିବା ପାଇଁ ତହସିଲଦାରଙ୍କୁ ବି କ୍ଷମତା ଦିଆଯାଇଛି । ତହସିଲଦାର ଏନେଇ ଟ୍ରାଞ୍ଜିଟ୍ ପାସ ଚେକ୍ କରିପାରିବେ ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧରି ପାରିବେ । ଏନେଇ ଆମେ ବଙ୍ଗୋମୁଣ୍ଡା ଏବଂ ସିନ୍ଧେକେଲା ପୋଲିସକୁ ବି ଜଣାଇଛୁ ବୋଲି କହିଥିଲେ । ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନଙ୍କୁ ଏନେଇ ପଚାରିବାରୁ କେତେଦିନର କଥା ସେମିତି କିଛି ସଠିକ୍ ନଜାଣି କହିପାରିବି ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏନେଇ ସିନ୍ଧେକେଲା ଥାନା ଅଧିକାରୀ ଫୁଲଜେନ୍ସ ଲାକ୍ରାଙ୍କୁ ପଚାରିବାରୁ ଏବେ ନୁହେଁ ସେମାନେ ପୂର୍ବରୁ ଏନେଇ ଜଣାଇଥିଲେ ଏବଂ ଖଣି ଅଧିକାରୀ ନିଜେ ଆସିଥିଲେ ବୋଲି କହିବା ସହ ଏବେ ବାଲି ଚୋରାଚାଲାଣ ଗାଡ଼ି କୁ ଧରିବୁ ବୋଲି କହିଥିଲେ । ଅଭିଯୋଗକୁ ନେଇ ଚାନ୍ଦ ଅଗ୍ରୱାଲଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ୯ ଟା ପରେ କଥା ହେଉଛି କହି ଘଟଣାକୁ ଏଡ଼ାଇ ଦେଇଥିଲେ । ତେବେ ଏହି ବେଆଇନ୍ ବାଲି ଚୋରାଚାଲାଣ ଘଟଣାରେ ଅଞ୍ଚଳର ଜନସାଧାରଣ ବଲାଙ୍ଗୀର ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି ତୁରନ୍ତ ଏହି ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

