ଓଲଟିଲା ମେଲୋଡି ଗାଡି; ୫ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୨୫ ମେଲୋଡି ଗ୍ରୁପ୍ ସଦସ୍ୟ ।।
ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଧୀନରେ ରବିବାର ସକାଳୁ ସକାଳୁ ଜାତୀୟ ରାଜପଥରେ ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ। ସଇଁତଲା ଥାନା ଅଧୀନସ୍ଥ ୨୬ ନମ୍ବର ଜାତୀୟ ରାଜପଥର କନ୍ଦକେଲଗା ଛକ ନିକଟରେ ଏକ ମେଲୋଡି ଗାଡ଼ି ଓଲଟି ପଡ଼ିବାରୁ ଏଥିରେ ବସିଥିବା ୫ ଜଣ ମେଲୋଡି ପାର୍ଟିର ସଦସ୍ୟ ଗୁରୁତର ହୋଇଥିବା ବେଳେ ପ୍ରାୟ ୨୫ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ବରଗଡ଼ ଜିଲ୍ଲା ବିର୍ଜାମପୁର ଗ୍ରାମର “ମା ଲଙ୍କେଶ୍ୱରୀ ମେଲୋଡି ଦୁଲଦୁଲି ପାର୍ଟି” ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଜୁନାଗଡ଼ ଅଭିମୁଖେ ଯାଉଥିଲେ। କନ୍ଦକେଲଗା ଛକ ନିକଟରେ ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ସମୟରେ ହଠାତ୍ ଏକ କୁକୁର ରାସ୍ତା ସାମ୍ନାକୁ ଚାଲି ଆସିଥିଲା। କୁକୁରକୁ ବଞ୍ଚାଇବାକୁ ଯାଇ ଚାଳକ ଜଣକ ହଠାତ୍ ଗାଡ଼ିର ବ୍ରେକ୍ ମାରିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଖବର ପାଇ ସଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା। ଏହି ଦୁର୍ଘଟଣାରେ ସଂପୃକ୍ତ ଗାଡ଼ିରେ ବସିଥିବା ମେଲୋଡି ପାର୍ଟିର ୫ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଏହି ଦୁର୍ଘଟଣାର ଏହି ମେଲୋଡି ପାର୍ଟିର ଅନ୍ୟ ୨୫ ଜଣ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମେଲୋଡି ପାର୍ଟିର ଯନ୍ତ୍ରପାତି ଗୁଡ଼ିକ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥରେ ଗାଡ଼ିର ଅନିୟନ୍ତ୍ରିତ ଗତି ଓ ଅସତର୍କତା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି।

