ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ ନିତାନ୍ତ ଜରୁରୀ; ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୩ ତମ ବାର୍ଷିକ ଉତ୍ସବ ସମାରୋହ ପାଳିତ ।
ବଲାଙ୍ଗୀର, ୨୬।୪: ସାମ୍ପ୍ରତିକ ସମାଜରେ ସାମ୍ବାଦିକତା ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ବୃତ୍ତି ହୋଇଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା, ସମ୍ମାନ ଓ ପେନସନ୍ ପ୍ରଦାନ ସରକାରଙ୍କ ପ୍ରାଥମିକତା ହେବା ଉଚିତ୍। ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୩ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହି ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେନିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଟି. କ୍ରିଷ୍ଣା ପାତ୍ର ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳନାଥ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ଗ୍ରାଉଣ୍ଡ ଜିରୋ’ରୁ ଖବର ସଂଗ୍ରହ କରିବାକୁ ଆହ୍ବାନ କରିଥିଲେ ।ସେହିପରି ଅଞ୍ଚଳର ଜଳନ୍ତ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସଂଘର ସଦସ୍ୟଙ୍କ ନିରନ୍ତର ପ୍ରୟାସକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ସାମ୍ବାଦିକ ମାନେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ଓ ପେନସନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଅତିଥିମାନେ ଦାବି କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟାକୁ ସରକାର ଓ ପ୍ରଶାସନ ପାଖରେ ପହଞ୍ଚାଇବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ସଂଘର ସାଧାରଣ ସମ୍ପାଦକ ହୁଲେଶ୍ୱର ହଂସ ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଖବରକାଗଜ ପାଠକ ଜଗଦା ତାଣ୍ଡି ଓ ରେଡ଼ିଓ ଶ୍ରୋତା ଭକ୍ତବନ୍ଧୁ ସାହୁଙ୍କୁ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମିନତୀ ରଥ ପ୍ରମୁଖ ଅତିଥି ମାନଙ୍କୁ ସଂଘ ପକ୍ଷରୁ ସ୍ମୃତିଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦୀପକ ଯାଦବ, ଉପଦେଷ୍ଟା ଅଶୋକ ଖମାରୀ, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, ନିତ୍ୟାନନ୍ଦ ପୃଷେଠ ଏବଂ ସ୍ୱେଚ୍ଛାସେବୀ ଭକ୍ତବନ୍ଧୁ ସାହୁଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

