Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାସନର ନାକ ତଳେ ଚାଲିଛି ବେଆଇନ୍ ବାଲି ଲୁଟ୍; ଖବର ପ୍ରସାରଣ ପରେ ବି ଚେତୁନି ପ୍ରଶାସନ ।

ବଲାଙ୍ଗିର,୨୮।୪: ବଲାଙ୍ଗୀର ଜିଲ୍ଲାରେ ଆଇନର ଶାସନ ଚାଲିଛି ନା ମାଫିଆଙ୍କ ରାଜ୍? ବେଆଇନ୍ ବାଲି କାରବାର ନେଇ ବାରମ୍ବାର ଖବର ପ୍ରସାରଣ ହେବା ସତ୍ତ୍ୱେ ପ୍ରଶାସନର ନିଦ ନଭାଙ୍ଗିବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିନ୍ଧେକେଲା-ଚାନ୍ଦୋତରା ଅଞ୍ଚଳର ଉଁନ୍ଦେର ନଦୀ ଶଯ୍ୟାରୁ ଦିନ ଦ୍ୱିପ୍ରହରରେ ଶହ ଶହ ହାଇୱା ବାଲି ଲୁଟ୍ ହେଉଥିଲେ ମଧ୍ୟ ସ୍ଥାନୀୟ ରାଜସ୍ୱ ବିଭାଗ, ପୋଲିସ ଏବଂ ଜିଲ୍ଲା ଖଣି ବିଭାଗର “ନିଦାବିଷ୍ଣୁ” ସାଜିବା ସାଧାରଣରେ ସନ୍ଦେହକୁ ଘନୀଭୂତ କରୁଛି ।
ଗତ କିଛି ଦିନ ହେବ ଉଁନ୍ଦେର ନଦୀ ଶଯ୍ୟାରେ ବାଲି ମାଫିଆ ବଙ୍ଗୋମୁଣ୍ଡାର ଚାନ୍ଦ ଅଗ୍ରୱାଲ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଜେସିବି (JCB) ଏବଂ ହାଇୱା ଯୋଗେ ବାଲି ଲୁଟ୍ କରୁଛନ୍ତି। ପୂର୍ବରୁ ଏ ସମ୍ପର୍କରେ ତଥ୍ୟଭିତ୍ତିକ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ଜିଲ୍ଲା ଖଣି ବିଭାଗ, ସ୍ଥାନୀୟ ପୋଲିସ ଏବଂ ରାଜସ୍ବ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫଳରେ ମାଫିଆ ଚାନ୍ଦ ଅଗ୍ରୱାଲର ମନୋବଳ ଏବେ ଆକାଶଛୁଆଁ ହୋଇଛି।
ଅଭିଯୋଗ ହେଉଛି ଯେ, ବାଲି ମାଫିଆ ଏବଂ କିଛି ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ହୋଇଛି ବଡ ଡିଲ୍। ଯାହା ପ୍ରଶାସନକୁ ନୀରବ ରହିବାକୁ ବାଧ୍ୟ କରିଛି । କୋଟି କୋଟି ଟଙ୍କାର ସରକାରୀ ରାଜସ୍ୱ ହରିଲୁଟ୍ ହେଉଥିବା ବେଳେ ଖଣି ବିଭାଗ କାହିଁକି ଚୁପ୍ ପଡିଛି? ସ୍ଥାନୀୟ ପୋଲିସ ନାକ ତଳେ ପ୍ରତିଦିନ ଶହ ଶହ ହାଇୱା ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ କାହିଁକି ହାତ ବାନ୍ଧି ବସିଛି ।
ନଦୀର ସ୍ୱାଭାବିକ ଗତିପଥକୁ ଅବରୋଧ କରି ବାଲି ମାଫିଆଙ୍କ ଅନିୟନ୍ତ୍ରିତ ବାଲି ଉତ୍ତୋଳନ ଯୋଗୁଁ ନଦୀର ଗତିପଥ ପରିବର୍ତ୍ତନ ହେବା ସହ ଜଳସ୍ତର ହ୍ରାସ ପାଉଛି। ଏହାସହ ବାଲି ବୋଝେଇ ଭାରୀଯାନ ଯୋଗୁଁ ସ୍ଥାନୀୟ ରାସ୍ତାଘାଟ ଶୋଚନୀୟ ହୋଇପଡିଛି। ପ୍ରଶାସନର ଏହି ଅବହେଳା ବିରୋଧରେ ଏବେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏଠି ବଲାଙ୍ଗୀର ଜିଲ୍ଲାପାଳଙ୍କ ପ୍ରତି ଏକ ପ୍ରଶ୍ନ ଯେ ଜିଲ୍ଲାପାଳ ମହୋଦୟ ଆପଣଙ୍କ ଜିଲ୍ଲାରେ ସ୍ୱଚ୍ଛ ଶାସନର ନାରା ଦିଆଯାଉଥିବା ବେଳେ ଏହି ଖୋଲାଖୋଲି ରାଜସ୍ୱ ଚୋରି କିଭଳି ସମ୍ଭବ ହେଉଛି? ଖଣି ବିଭାଗ କଣ କେବଳ କାଗଜପତ୍ରରେ ସୀମିତ କି? ତହସିଲ ପ୍ରଶାସନ କାହିଁକି ଚଢ଼ାଉ କରିବାକୁ ପଛଘୁଞ୍ଚା ଦେଉଛି?
ଯଦି ଆଗାମୀ ଦିନରେ ଏହି ବେଆଇନ୍ କାରବାର ଉପରେ ରୋକ୍ ନଲାଗେ ଏବଂ ମାଫିଆଙ୍କୁ ଗିରଫ କରାନଯାଏ, ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରଶାସନ ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories