ଟିକ୍ରାପଡ଼ା ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଜାତିସୂଚକ ଆକ୍ଷେପ ଅଭିଯୋଗ; LDA ପକ୍ଷରୁ ତୀବ୍ର ନିନ୍ଦା, ଫାଣ୍ଡି ପରିସରରେ ଉତ୍ତେଜନା ।
ବଲାଙ୍ଗୀର,୧୩।୫: ବଲାଙ୍ଗୀର ଜିଲ୍ଲା ଟିକ୍ରାପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ କୁମୁରାଙ୍କ ନାମରେ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କୁ ଜାତିସୂଚକ ଶବ୍ଦ ପ୍ରୟୋଗ କରି ଅସଦାଚରଣ ଏବଂ ଧମକ ଦେଇଥିବା ନେଇ LDA ର ପ୍ରତିଷ୍ଠାତା ଲବ ସୁନା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଟିକ୍ରାପଡ଼ା ଫାଣ୍ଡି ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟିକ୍ରାପଡ଼ା ଶିବ ମନ୍ଦିର ଟ୍ରଷ୍ଟ ଅଧୀନରେ ଥିବା ଏକ ଜାଗାରେ ସ୍ଥାନୀୟ ଦଳିତ ସମ୍ପ୍ରଦାୟର କିଛି ଯୁବକ ଏକ ସେମାନଙ୍କ ସମ୍ପ୍ରଦାୟର କମ୍ୟୁନିଟୀ ହଲ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ମନ୍ଦିରର ପୂଜକ ଏହି ଜାଗାକୁ ସେହି ଗାଁର ଜଣେ ମହିଳାଙ୍କ ଠାରେ ବିକ୍ରୟ କରି ଦେଇଥିବା ବେଳେ ସେହି ଜମି କିଣିଥିବା ମହିଳା ଜଣକ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଏହି ବିବାଦର ସମାଧାନ ପାଇଁ ଫାଣ୍ଡି ଅଧିକାରୀ ଶ୍ରୀ କୁମୁରା ସଂପୃକ୍ତ ପକ୍ଷଙ୍କୁ ଫାଣ୍ଡିକୁ ଡାକିଥିଲେ। ସେଠାରେ ଆଲୋଚନା ବେଳେ ଫାଣ୍ଡି ଅଧିକାରୀ ସାମ୍ବିଧାନିକ ମର୍ଯ୍ୟାଦା ଲଂଘନ କରି ଜାତିସୂଚକ ଶବ୍ଦ ପ୍ରୟୋଗ କରିଥିବା ନେଇ LDA ପ୍ରତିଷ୍ଠାତା ଲବ ସୁନା ଅଭିଯୋଗ କରିବା ସହ ଏହି ଘଟଣାକୁ ନିନ୍ଦା କରିଛନ୍ତି ।
ଅଭିଯୋଗକୁ ନେଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ କୁମୁରା ଙ୍କୁ ପଚାରିବାରୁ ସ୍ଥାନୀୟ ଶିବ ମନ୍ଦିର ଜମିରେ କମ୍ୟୁନିଟୀ ହଲ୍ ନିର୍ମାଣକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଥିଲା। ମୁଁ ସେମାନଙ୍କୁ ଆଲୋଚନା ପାଇଁ ଡାକିଥିବା ବେଳେ କିଛି ଯୁବକ ଫାଣ୍ଡି ଭିତରେ ପାଟିତୁଣ୍ଡ କରିଥିଲେ। ସେମାନଙ୍କୁ “ଏଠାରେ ବଜାର ବସାଅ ନାହିଁ” ବୋଲି କହିଛି ବୋଲି କହିଛନ୍ତି ।
ତେବେ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ଦାବି ହେଉଛି।

