ପୁଇଁନ୍ତଲା ଥାନା ପରିସରରୁ ରାତି ଅଧିଆ ବାଲି ବୋଝେଇ ଟ୍ରକ୍ ଗାଏବ୍ ଘଟଣା; ବାଲି ମାଫିଆଙ୍କ ଆଗରେ ଆଣ୍ଠେଇଲା କି ପୋଲିସ ?
ବଲାଙ୍ଗୀର,୧୩।୫: ରକ୍ଷକ ଯେତେବେଳେ ଭକ୍ଷକ ସାଜେ, ସେତେବେଳେ ଆଇନର ଶାସନ କେବଳ ପ୍ରହସନରେ ପରିଣତ ହୁଏ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ଏବେ ସ୍ଥାନୀୟ ପୋଲିସ ପ୍ରଶାସନର ସ୍ଵଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲି ମାଫିଆଙ୍କ ସହ ପୋଲିସର ‘ମଧୁଚନ୍ଦ୍ରିକା’ ଯୋଗୁଁ ସରକାରୀ ରାଜସ୍ଵ ହରିଲୁଟ୍ ହେବା ସହ ‘ଖାକି’ ପୋଷାକରେ କଳା ଦାଗ ଲାଗିଥିବା ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଗତ ରବିବାର ଦିନ ଚୋରା ବାଲି ଚାଲାଣ ଅଭିଯୋଗରେ ପୁଇଁତଳା ପୋଲିସ ଦୁଇଟି ବାଲି ବୋଝେଇ ଟ୍ରକ୍କୁ ଜବତ କରି ଥାନା ପରିସରରେ ରଖିଥିଲା। ନିୟମ ଅନୁଯାୟୀ, ଏହି ବେଆଇନ କାର୍ଯ୍ୟ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ମୋଟା ଅଙ୍କର ଜରିମାନା ଆଦାୟ ହେବାର ଥିଲା। ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ମଧ୍ୟ ସୋମବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ରବିବାର ରାତିଅଧିଆ ଥାନା ପରିସରରୁ ସେହି ଗାଡ଼ିଗୁଡ଼ିକ ରହସ୍ୟଜନକ ଭାବେ ଗାଏବ ହୋଇଯାଇଛି।
ଜିଲ୍ଲା ଖଣି ଅଧିକାରୀଙ୍କ ଚନ୍ଦ୍ରକାନ୍ତ ମହନ୍ତଙ୍କ କହିବା ଅନୁଯାୟୀ, ଜରିମାନା କାଟିବା କ୍ଷମତା କେବଳ ଖଣି ବିଭାଗ ପାଖରେ ରହିଛି। ପୋଲିସ ଗାଡ଼ି ଧରିବା ପରେ ତାହାକୁ ଖଣି ବିଭାଗକୁ ହସ୍ତାନ୍ତର କରିବା କଥା। ମାତ୍ର ବିନା କୌଣସି ଜରିମାନା କିମ୍ବା ଆଇନଗତ ପ୍ରକ୍ରିୟାରେ କେଉଁ ସ୍ୱାର୍ଥ ରଖି ପୋଲିସ ଗାଡ଼ି ଗୁଡ଼ିକୁ ଛାଡ଼ିଲା? ଏହା କୌଣସି ‘ବ୍ଲାକ୍ ଡିଲ୍’ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଅଜାଣତରେ ହୋଇଥିବା ଅଭିସନ୍ଧିମୂଳକ କାର୍ଯ୍ୟ ନୁହେଁ ତ? ପ୍ରଶାସନିକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ପୋଲିସ ନିଜେ କିଭଳି ସାଜିଲା ବିଚାରପତି?
ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବଲାଙ୍ଗୀର ଜିଲ୍ଲାରେ ବାଲି ମାଫିଆଙ୍କ ପ୍ରଭାବ ଏତେ ଯେ ସେମାନେ ଥାନା ଭିତରୁ ମଧ୍ୟ ନିଜର ବେଆଇନ ସାମ୍ରାଜ୍ୟ ଚଳାଇବାରେ ସଫଳ ହେଉଛନ୍ତି। ପୋଲିସର ଏଭଳି ଦାୟିତ୍ୱହୀନତା ବା ମାଫିଆ ପ୍ରୀତି ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି। ଖଣି ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବିନା ପୋଲିସ ସହାୟତାରେ ଏଭଳି ବଡ଼ ମାଫିଆଙ୍କ ବିରୁଦ୍ଧରେ ଚଢ଼ାଉ କରିବା ସମ୍ଭବ ନୁହେଁ। କିନ୍ତୁ ଯଦି ସହାୟତା କରିବା ବଦଳରେ ପୋଲିସ ହିଁ ମାଫିଆଙ୍କୁ ‘ସେଫ୍ ପାସେଜ୍’ ଦେବ, ତେବେ ସାଧାରଣ ଜନତା ନ୍ୟାୟ ପାଇଁ କାହା ପାଖକୁ ଯିବେ?
ଘଟଣାକୁ ନେଇ ଜିଲ୍ଲା ଖଣି ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଦାୟୀ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନା ଘଟଣାକୁ ଚପାଇ ଦିଆଯିବ? ଏହା କେବଳ ବାଲି ଚୋରି ନୁହେଁ, ବରଂ ଜନସାଧାରଣଙ୍କ ବିଶ୍ୱାସର ଚୋରି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।

