ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଗର ୪ କୋଟିର ରାସ୍ତା କାମରେ ମହା ଦୁର୍ନୀତି: ପୁରୁଣା ପୋଲରେ ସିମେଣ୍ଟ ପ୍ରଲେପ, ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ବଦଳରେ ଠିକାଦାର ପାଇଁ ଓକିଲାତି କରୁଛନ୍ତି ନିର୍ବାହୀ ଯନ୍ତ୍ରୀ ।
ବଲାଙ୍ଗୀର,୧୪।୫: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଏବଂ ବିଭାଗୀୟ ଅବହେଳାର ଏକ ନଗ୍ନ ଚିତ୍ର ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ବ୍ଲକରୁ ସାମ୍ନାକୁ ଆସିଛି। ଗ୍ରାମ୍ୟ ନିର୍ମାଣ ବିଭାଗ ଟିଟିଲାଗଡ ବିଭାଜନ ପକ୍ଷରୁ ବାଞ୍ଜିପଦରରୁ ଘୋଡ଼ାର ହାଇସ୍କୁଲ ପର୍ଯ୍ୟନ୍ତ ନିର୍ମାଣାଧୀନ ନୂତନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ରାସ୍ତାରେ ନିମ୍ନମାନର ସାମଗ୍ରୀ ବ୍ୟବହାର ସହ ନିର୍ମାଣ ନିୟମକୁ ଜଳାଞ୍ଜଳି ଦିଆଯାଉଥିବା ଦେଖିବାକୁ ମିଳିଛି।
ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ନୂତନ ପୋଲ ନିର୍ମାଣ ପାଇଁ ବ୍ୟବସ୍ଥା ଥିଲେ ହେଁ ଠିକାଦାର ପୁରୁଣା ଓ ଜରାଜୀର୍ଣ୍ଣ ପୋଲ ଉପରେ କେବଳ ସିମେଣ୍ଟର ପ୍ରଲେପ ଦେଇ ଏହାକୁ ନୂଆ ବୋଲି ଦର୍ଶାଇବାକୁ ପ୍ରୟାସ କରୁଛନ୍ତି। ଏହା କେବଳ ସରକାରୀ ରାଜକୋଷକୁ ଚୂନ ଲଗାଇବା ନୁହେଁ, ବରଂ ଭବିଷ୍ୟତରେ ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ପରି ମନେହେଉଛି।
ରାସ୍ତା ନିର୍ମାଣ ସମୟରେ ନିୟମିତ ପାଣି ସିଞ୍ଚନ କରିବା ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା ଏଠାରେ ଠିକାଦାର ସେଥିପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ଫଳରେ ରାସ୍ତାରେ ପ୍ରବଳ ଧୂଳି ଉଡ଼ି ଯାତାୟାତ କରୁଥିବା ଲୋକ ଓ ସ୍ଥାନୀୟ ବାସିନ୍ଦା ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ଏହାସହ ଚିପ୍ସ ବଦଳରେ ହାତ ତିଆରି ନିମ୍ନମାନର ମେଟାଲ ବ୍ୟବହାର କରି କାମ ସାରିଦେବାକୁ ଉଦ୍ୟମ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଯନ୍ତ୍ରୀ କିମ୍ବା ଉଚ୍ଚପଦସ୍ଥ ଅଧିକାରୀ କ୍ଷେତ୍ର ପରିଦର୍ଶନରେ ନଯିବା ଫଳରେ ଠିକାଦାର ଅତୁଲ କୁମାର ଜୈନ ନିଜ ମନମର୍ଜିରେ କାମ କରୁଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ରାସ୍ତା କାମ ଠିକ୍ ହୋଇଛି ଆପଣ ସାଇଟ୍ କୁ ଯାଇ ଦେଖନ୍ତୁ ବୋଲି ଠିକାଦାରଙ୍କ ପାଇଁ ଓକିଲାତି କରିଛନ୍ତି । ଅନ୍ୟ ପକ୍ଷରେ ଏନେଇ ସଂପୃକ୍ତ ଠିକାଦାର ଇଂ. ଅତୁଲ କୁମାର ଜୈନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରାସ୍ତାର ଦୈର୍ଘ୍ୟ ମଧ୍ୟ ମାପ ଅନୁଯାୟୀ କମ୍ ରହୁଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଏହି “ପିସି” କାରବାର ଓ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

