କୂଅରୁ ବରାତି ଯୁବକଙ୍କ ମୃତଦେହ ଉଦ୍ଧାର; କଣ୍ଟାବାଞ୍ଜି ପୋଲିସର ତଦନ୍ତ ଜାରୀ ।
ବଲାଙ୍ଗୀର,୧୫।୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡୁମେରଚୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ମାଝୀ ପଡ଼ାସ୍ଥିତ ଏକ କୂଅରୁ ଜଣେ ବରାତି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ବେଲପଡା ଥାନା ବାଲିଖମାର ଗାଁର ସୁଶୀଲ ଶବର (୪୬)।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଡୁମେରଚୁଆଁ ଗାଁକୁ ବାଲିଖମାର ଗାଁରୁ ଏକ ବରଯାତ୍ରୀ ଦଳ ଆସିଥିଲା। ଏହି ବରାତିରେ ସୁଶୀଲ ମଧ୍ୟ ସାମିଲ ଥିଲେ। ବିବାହ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବା ପରେ ସମସ୍ତ ବରାତି ନିଜ ଗାଁକୁ ଫେରିଯାଇଥିଲେ, ମାତ୍ର ସୁଶୀଲ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ଆଜି ପରିବାର ଲୋକେ ଖୋଜାଖୋଜି କରିବା ସମୟରେ ଡୁମେରଚୁଆଁ ଗାଁର ଏକ କୂଅରେ ସୁଶୀଲଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ।
ଖବର ପାଇ କଣ୍ଟାବାଞ୍ଜି ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁବାର ସନ୍ଧ୍ୟା ପ୍ରାୟ ୭:୩୦ ମିନିଟ ସମୟରେ କୂଅରୁ ମୃତଦେହଟିକୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଏସଡିପିଓ (SDPO) ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ପ୍ରାଥମିକ ଛାନଭିନ୍ କରିଛନ୍ତି।
ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ମୃତଦେହକୁ ଜବତ କରାଯାଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
“କେଉଁ ପରିସ୍ଥିତିରେ ଏବଂ କିଭଳି ଭାବେ ସୁଶୀଲଙ୍କ ମୃତ୍ୟୁ ହୋଇଛି, ସେ ନେଇ ସଠିକ୍ ତଥ୍ୟ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ” ବୋଲି ଏସଡିପିଓ ଶ୍ରୀ ମାରାଣ୍ଡି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

