ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।
ବଲାଙ୍ଗୀର,୧୫।୫: କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ହାଜି ମହମ୍ମଦ ଆୟୁବ ଖାଁଙ୍କ ବିୟୋଗରେ ସ୍ଥାନୀୟ ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରେସ କ୍ଲବ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଦିବଙ୍ଗତ ନେତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ଶୋକ ସଭାରେ ଉପସ୍ଥିତ ସାମ୍ବାଦିକମାନେ ସ୍ୱର୍ଗତ ଖାଁଙ୍କ ସହ ଜଡ଼ିତ ସ୍ମୃତିଚାରଣ କରିଥିଲେ। ବକ୍ତାମାନେ ତାଙ୍କୁ ଜଣେ ବିକାଶମୁଖୀ, ପରୋପକାରୀ ଓ ଜନପ୍ରିୟ ଜନନାୟକ ଭାବେ ଅଭିହିତ କରିଥିଲେ। କଣ୍ଟାବାଞ୍ଜି ଅଞ୍ଚଳର ପ୍ରଗତି ଏବଂ ସାମାଜିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଉପ-ସଭାପତି ମନୋଜ ଶର୍ମା, କୋଷାଧ୍ୟକ୍ଷ କମଳଜିତ ସିଂ ମାଖିଜା, ଅଫିସ ସମ୍ପାଦକ ବିଶିକେସନ୍ ମାଝୀ, ପରାମର୍ଶଦାତା ଆଶିଷ ଖଇତାନ ଓ ଦୁର୍ଗାପ୍ରସାଦ ଗୁପ୍ତା ଏବଂ ସଦସ୍ୟ କମଲ ଅଗ୍ରୱାଲ ଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ।
ସଭା ଶେଷରେ ସମସ୍ତ ସଦସ୍ୟ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।

