ଅଫିସ୍ରେ ବସି ନିର୍ବାହୀ ଯନ୍ତ୍ରୀଙ୍କ ‘ଅଲ୍ ଇଜ୍ ୱେଲ୍’: ବାସ୍ତବରେ ଦୁର୍ନୀତିର ଆଖଡ଼ାଶାଳ ପାଲଟିଛି ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ !
ବଲାଙ୍ଗୀର,୧୫।୫: ସରକାରୀ ଯୋଜନାର ଅର୍ଥକୁ କିଭଳି ଭାବେ ନିର୍ମମ ଭାବେ ଲୁଟ୍ କରାଯାଏ, ତାହାର ଏକ ନଗ୍ନ ଚିତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକରେ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଏବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ସ୍ୱାହା ହେବାକୁ ବସିଛି। ବାଞ୍ଜିପଦରରୁ ଘୋଡ଼ାର ହାଇସ୍କୁଲ ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତାରେ ନିୟମକୁ ଜଳାଞ୍ଜଳି ଦିଆଯାଇ ଦୁର୍ନୀତିର ଏକ ନୂଆ ଅଧ୍ୟାୟ ଲେଖାଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
ପ୍ରାୟ ୪ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପରେ ସବୁଠାରୁ ବଡ଼ ଜାଲିଆତି ପୋଲ ନିର୍ମାଣରେ ଦେଖିବାକୁ ମିଳିଛି। ନୂତନ ପୋଲ ନିର୍ମାଣ ପାଇଁ ସରକାରୀ ଅନୁଦାନ ଥିଲେ ହେଁ, ଠିକାଦାର ଇଂ. ଅତୁଲ କୁମାର ଜୈନ ଅତି ଚତୁରତାର ସହ ପୁରୁଣା ଓ ଜରାଜୀର୍ଣ୍ଣ ପୋଲ ଉପରେ ସିମେଣ୍ଟର ପ୍ରଲେପ ଚଢ଼ାଇ ଏହାକୁ “ନୂଆ” ବୋଲି ଦର୍ଶାଇବାକୁ ପ୍ରୟାସ କରୁଛନ୍ତି। ଏହା କେବଳ ଆଖିଠାରୁ ନୁହେଁ, ବରଂ ଭବିଷ୍ୟତରେ ଏକ ଭୟଙ୍କର ଦୁର୍ଘଟଣାକୁ ସିଧାସଳଖ ନିମନ୍ତ୍ରଣ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।
ରାସ୍ତା ନିର୍ମାଣ କ୍ଷେତ୍ରରେ ବିଭାଗୀୟ ନିୟମାବଳୀକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି।
ଉନ୍ନତମାନର ଚିପ୍ସ ବଦଳରେ ହାତ ତିଆରି ନିମ୍ନମାନର ମେଟାଲ ବ୍ୟବହାର କରି କାମ ସାରିଦେବାକୁ ଉଦ୍ୟମ ହେଉଛି।
ନିୟମ ଅନୁଯାୟୀ ନିୟମିତ ପାଣି ସିଞ୍ଚନ କରିବାର ବ୍ୟବସ୍ଥା ଥିଲେ ହେଁ, ଧୂଳିର ଆସ୍ତରଣରେ ଅତିଷ୍ଠ ହୋଇପଡ଼ିଲେଣି ସ୍ଥାନୀୟ ବାସିନ୍ଦା ଓ ପଥିକ।
ରାସ୍ତାର ଲମ୍ବ ଏବଂ ଓସାର ମଧ୍ୟ ନିର୍ଦ୍ଧାରିତ ମାପଠାରୁ ଯଥେଷ୍ଟ କମ୍ ରହୁଥିବା ଅଭିଯୋଗ ହୋଇଛି।
ଆଶ୍ଚର୍ଯ୍ୟର କଥା ହେଉଛି, ଗ୍ରାମ୍ୟ ନିର୍ମାଣ ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନରେ ଯାଉନାହାନ୍ତି। ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମାଝୀଙ୍କ ଭୂମିକା ଏଠାରେ ସନ୍ଦେହଘେରରେ। ଘଟଣା ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ଅଭିଯୋଗର ତଦନ୍ତ କରିବା ପରିବର୍ତ୍ତେ ଠିକାଦାରଙ୍କ ସଫେଇ ଦେବା ସହ “କାମ ଠିକ୍ ହୋଇଛି” ବୋଲି କହି ନିଜ ଦାୟିତ୍ୱରୁ ମୁକ୍ତ ହେବାକୁ ଚେଷ୍ଟା କରିଛନ୍ତି। ବିଭାଗୀୟ ମୁଖ୍ୟଙ୍କ ଏଭଳି ପକ୍ଷପାତମୂଳକ ଆଚରଣ “ପିସି” କାରବାରର ଗନ୍ଧକୁ ଆହୁରି ସ୍ପଷ୍ଟ କରୁଛି।
ସରକାରୀ ରାଜକୋଷକୁ ଚୂନ ଲଗାଉଥିବା ଏହି ଠିକାଦାର-ଅଧିକାରୀ ଗୋଷ୍ଠୀଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଦି ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏହା ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

