Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ଦିନ ଦ୍ଵିପ୍ରହରରେ ସିନ୍ଧି ଚୋରି ଉଦ୍ୟମ ପଣ୍ଡ: ଅଳ୍ପକେ ବର୍ତ୍ତିଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ ।

ବଲାଙ୍ଗୀର,୧୭।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ଼ଧରଣର ଚୋରି ଉଦ୍ୟମ ପଣ୍ଡ ହୋଇଯାଇଛି। ସ୍ଥାନୀୟ ଏକ ମୋବାଇଲ୍ ରିପାରିଂ ଦୋକାନର ପଛପଟ କାନ୍ଥ ତାଡ଼ି ଦୁର୍ବୃତ୍ତମାନେ ଲୁଟ୍‌ କରିବାକୁ ଚେଷ୍ଟା କରିଥିବା ବେଳେ ଏଥିରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସୌଭାଗ୍ୟବଶତଃ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଚଣାବାହାଲ ପଞ୍ଚାୟତ କୁମ୍ଭାରୀ ଗ୍ରାମର ଯଜ୍ଞେଶ୍ଵର ଖେତୀ (୩୦) ମୁରିବାହାଲ ରାଧାକୃଷ୍ଣ ଏବଂ ଶିବ ମନ୍ଦିର ମାର୍କେଟ୍ କମ୍ପ୍ଲେକ୍ସର ଷ୍ଟଲ୍ ନମ୍ବର-୬ ରେ ବିଗତ ୨୦୧୭ ମସିହାରୁ ‘ଜେ.କେ ମୋବାଇଲ୍’ ନାମକ ଏକ ମୋବାଇଲ୍ ରିପାରିଂ ଦୋକାନ କରି ଆସୁଛନ୍ତି। ପ୍ରତିଦିନ ଭଳି ଆଜି ରବିବାର ମଧ୍ୟ ସେ ଦୋକାନ ଖୋଲିଥିଲେ ଏବଂ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ।
ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ଯଜ୍ଞେଶ୍ଵର ପୁନର୍ବାର ଦୋକାନକୁ ଖୋଲିବାକୁ ଆସିଥିବା ବେଳେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ସେ ଦୋକାନ ଭିତରକୁ ଯାଇ ଦେଖିବାକୁ ପାଇଥିଲେ ଯେ, ପଛପଟ କାନ୍ଥ ଅର୍ଥାତ୍ ମନ୍ଦିର ପ୍ରାଙ୍ଗଣ ପଟୁ କେହି ଦୁର୍ବୃତ୍ତ ଶାବଳ ସାହାଯ୍ୟରେ ଇଟା ଫୋଡ଼ି ଏକ ବଡ଼ ସିନ୍ଧି କାଟିଛନ୍ତି। ଦୁର୍ବୃତ୍ତମାନେ ସେହି ସିନ୍ଧି ଦେଇ ଦୋକାନ ଭିତରକୁ ପଶି ଚୋରି କରିବାକୁ ହୀନ ଉଦ୍ୟମ କରିଥିଲେ ମଧ୍ୟ କୌଣସି କାରଣ ବଶତଃ ସେମାନେ ସାମଗ୍ରୀ ଲୁଟିବାରେ ସଫଳ ହୋଇପାରି ନଥିଲେ।
ଜେ.କେ ମୋବାଇଲ୍ ଦୋକାନରେ ପ୍ରାୟ ୭ ରୁ ୮ ଲକ୍ଷ ଟଙ୍କାର ବିଭିନ୍ନ ମଡେଲର ନୂତନ ମୋବାଇଲ୍ ପାର୍ଟସ, ଗ୍ରାହକମାନଙ୍କର ମରାମତି ପାଇଁ ଥିବା ମୋବାଇଲ୍ ଏବଂ ଅନ୍ୟାନ୍ୟ ଦାମୀ ଯନ୍ତ୍ରାଂଶ ରହିଥିଲା। ମାତ୍ର ଚୋରମାନେ ସେଥିରୁ କିଛି ବି ନେଇପାରି ନାହାନ୍ତି, ସମସ୍ତ ସାମଗ୍ରୀ ସୁରକ୍ଷିତ ରହିଛି।
ଏହି ସଂଘାତିକ ଘଟଣା ସମ୍ପର୍କରେ ଦୋକାନ ମାଲିକ ଯଜ୍ଞେଶ୍ଵର ଖେତୀ ସ୍ଥାନୀୟ ମୁରିବାହାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ମାତ୍ରେ ମୁରିବାହାଲ ପୋଲିସ ତତ୍କାଳ ସକ୍ରିୟ ହୋଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।
ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ମନ୍ଦିର ପ୍ରାଙ୍ଗଣ ନିକଟରେ ଏଭଳି ସାହସିକ ସିନ୍ଧି ଚୋରି ଉଦ୍ୟମ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ସାଧାରଣ ଜନତାଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories