Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିଖାରୀ ସଂରକ୍ଷିତ ଜଙ୍ଗଲରୁ କେନ୍ଦୁ କାଠଗଣ୍ଡି ଜବତ୍: ବନ ବିଭାଗର ଚଢ଼ାଉ, ଚୋରା ମାଫିଆ ଫେରାର୍ ।

ବଲାଙ୍ଗୀର,୧୮।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି। ତିଖାରୀ ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର କେନ୍ଦୁ କାଠଗଣ୍ଡିକୁ ବନ ବିଭାଗ ଜବତ୍ କରିବାରେ ସକ୍ଷମ ହୋଇଛି। ତେବେ ଚଢ଼ାଉ ସମୟରେ କାଠ ମାଫିଆମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଆଜି ମୁରିବାହାଲ ରେଞ୍ଜ ଅଧୀନ ତିଖାରୀ ସଂରକ୍ଷିତ ଜଙ୍ଗଲର ଗୋବିନ୍ଦପୁର ନିକଟରେ କିଛି କାଠ ମାଫିଆ ଗଛ କାଟି ଚୋରା ଚାଲାଣ ଉଦ୍ଦେଶ୍ୟରେ ଗଚ୍ଛିତ ରଖିଥିଲେ। ଏ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଆଜି ଅପରାହ୍ନ ୪ ଟା ସମୟରେ ସେଠାରେ ହଠାତ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବେଆଇନ ଭାବେ କଟାଯାଇ ରଖାଯାଇଥିବା ୧୧ ଖଣ୍ଡ ମୂଲ୍ୟବାନ କେନ୍ଦୁ କାଠଗଣ୍ଡିକୁ ବନ ବିଭାଗ ଜବତ୍ କରିଛି। ଜବତ୍ ହୋଇଥିବା ଏହି କାଠର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦,୦୦୦ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସଫଳ ଚଢ଼ାଉରେ ଯଇଁତରା ଓ ମୁରିବାହାଲ ଫରେଷ୍ଟର ଧୃବ ଚରଣ ବଗର୍ତ୍ତୀ, ଗୋବିନ୍ଦପୁର ବିଟ୍‌ର ଫରେଷ୍ଟ ଗାର୍ଡ ସୁମନ୍ତ ଧରୁଆ, ଯଇଁତରା ବିଟ୍ ର ଫରେଷ୍ଟ ଗାର୍ଡ ଆକାଶ ପ୍ରଧାନ ଏବଂ ଆଇପିସିଇଏ ସ୍କ୍ୱାଡ୍‌ର ସଦସ୍ୟମାନେ ପ୍ରମୁଖ ସାମିଲ ରହିଥିଲେ।
ବନ ବିଭାଗର ତତ୍ପରତା ଯୋଗୁଁ ଏକ ବଡ଼ଧରଣର କାଠ ଚୋରାଚାଲାଣ ରୋକାଯାଇ ପାରିଥିଲେ ମଧ୍ୟ କାଠ ମାଫିଆମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି। ବନ ବିଭାଗ ସେମାନଙ୍କର କୌଣସି ସୁରାକ୍ ପାଇପାରି ନାହିଁ। ଏହି ବେଆଇନ କାରବାର ପଛରେ କେଉଁ ମାନଙ୍କର ହାତ ରହିଛି ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories