ବ୍ରିଟିଶ ଅମଳରୁ ପ୍ରତିଷ୍ଠିତ କଣ୍ଟାବାଞ୍ଜି ଗଙ୍ଗାମାଇ ପୂଜାର ୫ମ ଦିନ: ଦୁଲଦୁଲି ବାଜାରେ ଦୁଲୁକିଲା ସାଂସ୍କୃତିକ ମଞ୍ଚ, କଳସ ଯାତ୍ରାର ଯୁବତୀଙ୍କୁ ସମ୍ମାନ
ବଲାଙ୍ଗିର,୨୧।୫: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଐତିହାସିକ ତଥା ପାରମ୍ପରିକ ଗଙ୍ଗାମାଇ ପୂଜା ମହୋତ୍ସବ ଏବେ ଶ୍ରଦ୍ଧା ଓ ଉତ୍ସାହର ସହ ଆଗେଇ ଚାଲିଛି। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ପୂଜା ମହୋତ୍ସବ ମଙ୍ଗଳବାର ଦିନ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ମା’ ଗଙ୍ଗାମାଇଙ୍କ ପୀଠରେ ମନସ୍କାମନା ପୂରଣ ହେଉଥିବାରୁ କଣ୍ଟାବାଞ୍ଜି ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଆଶୀର୍ବାଦ ନେବା ପାଇଁ ଛୁଟି ଆସୁଛନ୍ତି।
ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ମୀନା ବଜାର, ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଷ୍ଟଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଦୋକାନ ବଜାର ବସିଛି। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେଉଥିବା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ‘ଦୁଲଦୁଲି’ ବାଜାର ତାଳେ ତାଳେ ସାଂସ୍କୃତିକ ମଞ୍ଚ ଦୁଲୁକି ଉଠିଥିଲା, ଯାହାର ଭରପୂର ମଜା ଉଠାଇଥିଲେ ସହରବାସୀ ଓ ଆଗନ୍ତୁକ ଭକ୍ତଗଣ।
ଏହି ପୂଜା ଅବସରରେ ଏକ ଶୋଭାଯାତ୍ରାରେ ଭବ୍ୟ କଳସ ଯାତ୍ରା ବାହାରି ପୂରା ସହର ପରିକ୍ରମା କରିଥିଲା। ଏହି ଯାତ୍ରାରେ ଅନେକ ଯୁବତୀ ନିଷ୍ଠାର ସହ ଖାଲି ପାଦରେ ପ୍ରାୟ ୫ କିଲୋମିଟର ରାସ୍ତା ଅତିକ୍ରମ କରି ସହର ପରିକ୍ରମା କରିଥିଲେ। ଯୁବତୀ ମାନଙ୍କର ଏହି ଅପୂର୍ବ ନିଷ୍ଠା ଓ ଭକ୍ତିଭାବକୁ ସମ୍ମାନ ଜଣାଇ ପୂଜା କମିଟି ଓ ଅତିଥିମାନଙ୍କ ସହଯୋଗରେ ସେମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।
ମଙ୍ଗଳବାର ସନ୍ଧ୍ୟା କାର୍ଯ୍ୟକ୍ରମରେ ସ୍ଥାନୀୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ମଞ୍ଚାସୀନ ଥିଲେ । ସେହିପରି ସ୍ଥାନୀୟ ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସମେତ ବିଶିଷ୍ଟ ସମାଜସେବୀ
ଡାକ୍ତର ଗୋବିନ୍ଦ ଅଗ୍ରୱାଲ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ସଭାପତି ମୋହନ ସୋନି, ସ୍ଥାନୀୟ ଅଗ୍ରୱାଲ ସଭା ସମ୍ପାଦକ ଲଳିତ ଅଗ୍ରୱାଲ, ପୂଜା କମିଟି ଆଇନ ପରାମର୍ଶଦାତା, ରମାକାନ୍ତ ଦାସ, ପୂଜା କମିଟୀ ଉପସଭାପତି କୈଳାଶ ବନଛୋର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ।
ମୁଖ୍ୟ ଅତିଥି ଶ୍ରୀ ସାଲୁଜା ନିଜ ବକ୍ତବ୍ୟରେ ଗଙ୍ଗାମାଇ ପୂଜା ବ୍ରିଟିଶ ଅମଳରୁ ଏଠାରେ ଅନୁଷ୍ଠିତ ହୋଇଆସୁଛି ଏବଂ ଏହାର ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ମା’ଙ୍କ ଅପାର କରୁଣା ଯୋଗୁଁ ସହରରେ ଶାନ୍ତିର ପରିବେଶ ରହିବା ସହ ଲୋକେ ପୂଜାପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସୁନ୍ଦର ସମନ୍ୱୟ ଉପଭୋଗ କରିପାରୁଛନ୍ତି ବୋଲି କହିଥିଲେ ।
ସମଗ୍ର କାର୍ଯ୍ୟକ୍ରମକୁ ପୂଜା କମିଟିର ବରିଷ୍ଠ ପରାମର୍ଶଦାତା ମନୋଜ ଦାଶ ସଫଳତାର ସହ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ମହୋତ୍ସବକୁ ସର୍ବାଙ୍ଗୀନ ସଫଳ କରିଥିବାରୁ ସହରବାସୀ, ପୁଲିସ ପ୍ରଶାସନ ଓ ସମସ୍ତ ସହଯୋଗୀଙ୍କୁ ସାଧୁବାଦ ସହ ଧନ୍ୟବାଦ ଅର୍ପଣ କରିଥିଲେ।

