Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ମେ ୨୯ରୁ ବଡ଼ ପରଦାରେ ‘ଜଙ୍ଗଲ ଜଳୁଛେ’: ଶୁଭମୁକ୍ତି ପୂର୍ବରୁ କଣ୍ଟାବାଞ୍ଜିରେ ପ୍ରେସ୍ ମିଟ୍

ବଲାଙ୍ଗୀର,୨୧।୫: ପଶ୍ଚିମ ଓଡ଼ିଶାର କଳା, ମାଟି ଓ ସଂସ୍କୃତିର ପ୍ରତିଫଳନ ବହନ କରି ଖୁବଶୀଘ୍ର ପରଦାକୁ ଆସୁଛି ନୂତନ କୋଶଲି ଚଳଚ୍ଚିତ୍ର ‘ଜଙ୍ଗଲ ଜଳୁଛେ’। ଆସନ୍ତା ମେ ୨୯ ତାରିଖରେ ଏହି ସିନେମାର ଶୁଭମୁକ୍ତି ହେବାକୁ ଯାଉଥିବା ବେଳେ, ଏହି ଅବସରରେ କଣ୍ଟାବାଞ୍ଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏକ ଭବ୍ୟ ସାମ୍ବାଦିକ ସମ୍ମିଳନୀ ବା ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି।
ଡ଼. ସଞ୍ଜୟ ମିଶ୍ରଙ୍କ ଆବାହକତ୍ୱ ଏବଂ ଏସସିଟି ଏସ.ପ୍ରଡକ୍ସନର ଏହି ପ୍ରଥମ ନିବେଦିତ ଚଳଚ୍ଚିତ୍ରର ସହ-ପ୍ରଯୋଜିକା ମୀନା ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରେସ୍ ମିଟ୍‌ରେ ଚଳଚ୍ଚିତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଓ ଉଦ୍ଦେଶ୍ୟ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦିଆଯାଇଛି।
ସମ୍ପୂର୍ଣ୍ଣ କୋଶଲି ଭାଷାରେ ନିର୍ମିତ ଏହି ସିନେମାର ମୂଳ କାହାଣୀ ଉପରେ କାର୍ଯ୍ୟ କରିଛନ୍ତି ବିଗତ ୫୦ ବର୍ଷ ଧରି କୋଶଲି ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ନିରନ୍ତର ସଂଗ୍ରାମ ଜାରି ରଖିଥିବା ବିଶିଷ୍ଟ ସଂଗ୍ରାମୀ ଗୋରେଖନାଥ ସାହୁ। ସେହିପରି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଦକ୍ଷ ନିର୍ଦ୍ଦେଶକ ସରୋଜ ଭୂୟାଁ, ଯିଏ କି ବ୍ୟାପକ ଗବେଷଣା ଓ ବିଦ୍ୱାନମାନଙ୍କ ସହ ଆଲୋଚନା କରି କୋଶଲି ଭାଷା ଓ ପରମ୍ପରାକୁ ଅତି ନିକଟରୁ ଏହି ଚଳଚ୍ଚିତ୍ରରେ ରୂପାୟନ କରିଛନ୍ତି। ସିନେମାର ପ୍ରଯୋଜନା ଦାୟିତ୍ୱରେ ନିବେଦିତା ନାୟକ ଓ ମୀନା ମହାରଣା ରହିଛନ୍ତି।
ବିଶେଷ କରି ସୁବର୍ଣ୍ଣପୁରର ପ୍ରସିଦ୍ଧ ‘ବଳିଯାତ୍ରା’କୁ କେନ୍ଦ୍ର କରି ଏହାର ମୂଳ କାହାଣୀ ରଚିତ ହୋଇଛି। ଏହି ଚଳଚ୍ଚିତ୍ରର ସୁଟିଂ ସୋନପୁର ଏବଂ ସମ୍ବଲପୁର ଜିଲ୍ଲାର ବିଭିନ୍ନ ରମଣୀୟ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ମାନଙ୍କରେ କରାଯାଇଛି।
ସଙ୍ଗୀତ ନିର୍ଦ୍ଦେଶକ କୁମାର ଲବଙ୍କ ମଧୁର ସ୍ୱର ସଂଯୋଜନାରେ ସିନେମାର ଗୀତଗୁଡ଼ିକୁ ମାଟିର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଜାଲ, ରୁକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀଙ୍କ ସମେତ ମୁମ୍ବାଇର ପ୍ରତିଭାବାନ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଓ ସଂଜୁ ମହାନ୍ତି ପ୍ରମୁଖ ନିଜର ସୁମଧୁର କଣ୍ଠଦାନ କରିଛନ୍ତି।
ଅଭିନୟ ଜଗତର ତିନି କିମ୍ବଦନ୍ତୀ ତାରକା ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା ଓ ବିରେନ ମିଶ୍ରଙ୍କ ସମେତ ଦେବେନ୍ଦ୍ର ମିଶ୍ର, କୃଷ୍ଣ ବାବୁ, ମିଟୁ ମିଥୁନ, ବିନ୍ଦୁ ମଲ୍ଲିକ, ହାସ୍ୟ ଅଭିନେତା ମିଥୁନ ସାହୁ, ଗୋରେଖନାଥ ସାହୁ ଏବଂ ସରୋଜ ଭୂୟାଁ ଏଥିରେ ଚମତ୍କାର ଅଭିନୟ କରିଛନ୍ତି। ମୁଖ୍ୟ ଅଭିନେତ୍ରୀ ଭାବେ ନୈନା ଦାସ, ପ୍ରତିଭା ପଣ୍ଡା, ସଞ୍ଜୁ ମିଶ୍ର, ମୀନା ମହାରଣା, ଶ୍ରଦ୍ଧାଞ୍ଜଳି ମିଶ୍ର ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଏହା ସହିତ ଅଞ୍ଚଳର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗ ଏବଂ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ଭଳି ମହାନ ବ୍ୟକ୍ତିତ୍ୱ ମଧ୍ୟ ଏହି ଚଳଚ୍ଚିତ୍ର ସହ ଯୋଡ଼ି ହୋଇ ରହିଛନ୍ତି।
ଚଳଚ୍ଚିତ୍ରଟି ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ମେ ୨୯ ରୁକ୍ମିଣୀ ସିନେମା ହଲ୍ ବରଗଡ଼, ଜୁନ ୦୨ ଆଲିସାନ ସେଣ୍ଟ୍ରାଲ କଣ୍ଟାବାଞ୍ଜି, ଜୁନ ୦୪ ଏମ.ବି ମଣ୍ଡପ ନୂଆପଡ଼ା, ଜୁନ ୦୬ ଭାଗିରଥୀ ଟକିଜ୍ ଭବାନୀପାଟଣା ରେ ଶୁଭମୁକ୍ତି ହେବ ବୋଲି ସୂଚନା ଦିଆଯାଇଛି ।
ପ୍ରେସ୍ ମିଟ୍‌ରେ ଉପସ୍ଥିତ ସଂଳାପକାର ଗୋରେଖନାଥ ସାହୁ, ସଙ୍ଗୀତ ନିର୍ଦ୍ଦେଶକ କୁମାର ଲବ ଏବଂ ନିର୍ଦ୍ଦେଶକ ସରୋଜ ଭୂୟାଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏହି ସିନେମାର ମୂଳ ଉଦ୍ଦେଶ୍ୟ କେବଳ ବ୍ୟବସାୟିକ ମୁନାଫା କମାଇବା ନୁହେଁ ବରଂ କୋଶଲି ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିବା।
ଏହି ସାମାଜିକ ଅଭିଯାନରେ ସମସ୍ତେ ସହଯୋଗ କରି କୋଶଲି ସଂସ୍କୃତିର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ସମ୍ମିଳନୀରେ ନିବେଦନ କରାଯାଇଛି। ଶେଷରେ ମାଟିର କଳା ଓ ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନେ ସହଯୋଗର ହାତ ବଢ଼ାଇବାକୁ ସହ-ପ୍ରଯୋଜିକା ମୀନା ମହାରଣା ଆନ୍ତରିକ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories