Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ଧାରରେ ବଲାଙ୍ଗୀର: ବାରମ୍ବାର ବିଦ୍ୟୁତ୍ କାଟ୍‌ରେ ଅତିଷ୍ଠ ଜନତା; ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗୀର,୨୨।୫: ବଲାଙ୍ଗୀର ସହରରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ବାରମ୍ବାର ଏବଂ ଦୀର୍ଘ ସମୟ ଧରି ବିଦ୍ୟୁତ୍ କାଟ୍ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆଜି ସ୍ଥାନୀୟ ବାସିନ୍ଦା ବଲାଙ୍ଗୀର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଶତାଧିକ ମହିଳା ଓ ପୁରୁଷ ଏହି ପ୍ରତିବାଦରେ ସାମିଲ ହୋଇ ବିଦ୍ୟୁତ୍ ବିଭାଗର କାର୍ଯ୍ୟଶୈଳୀ ପ୍ରତି ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି।

ଗତ ଦୁଇ ଦିନ ହେବ ସହରର ବିଭିନ୍ନ ପଡ଼ାରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ପ୍ରବଳ ତାତି ଯୋଗୁଁ ଘରେ ରହିବା ଅସମ୍ଭବ ହୋଇପଡ଼ିଥିବା ବେଳେ ବିଶେଷ କରି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତିଷ୍ଠ ହୋଇ ଅନେକ ମହିଳା ନିଜର ଛୋଟ ଶିଶୁମାନଙ୍କୁ ହାତରେ ଧରି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ବିଦ୍ୟୁତ୍ ଅଭାବରୁ ସହରର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସମସ୍ୟାକୁ ଦ୍ଵିଗୁଣିତ କରିଛି।

ବିଭାଗ ପ୍ରତିମାସରେ ସଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ଆଦାୟ କରୁଥିଲେ ସୁଦ୍ଧା ସର୍ବନିମ୍ନ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।

ବିଭାଗ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ୍ ଅଭିଯୋଗ ନମ୍ବର ପ୍ରାୟତଃ ଅଚଳ ରହୁଛି କିମ୍ବା କେହି ଫୋନ୍ ଉଠାଉନାହାନ୍ତି।

ମେଣ୍ଟେନାନ୍ସ ନାଁରେ ଦିନ ଦିପହରରେ ଘଣ୍ଟା ଘଣ୍ଟା ଲାଇନ୍ କାଟି ଦିଆଯାଉଛି, ହେଲେ ଏହାର କୌଣସି ସୁଫଳ ମିଳୁନାହିଁ। ଆମେ କେଉଁ ଅପରାଧ ପାଇଁ ଏଭଳି ଅମାନୁଷିକ ସ୍ଥିତି ସହିବୁ?” ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଥିଲେ ।

ଉତ୍ତେଜନାମୂଳକ ସ୍ଥିତି ମଧ୍ୟରେ ଜଣେ ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟାଳୟ ସମୟରେ ମଧ୍ୟ କୌଣସି ଦାୟିତ୍ଵବାନ ଉଚ୍ଚପଦସ୍ଥ ଅଧିକାରୀ ଅଫିସରେ ଉପସ୍ଥିତ ନଥିଲେ, ଯାହା ଜନସାଧାରଣଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଥିଲା।

ଏହି ସମୟରେ ବିଦ୍ୟୁତ୍ ବିଭାଗର ଏକ ବୈଦ୍ୟୁତିକ ଗାଡ଼ି (EV) କାର୍ଯ୍ୟାଳୟ ପରିସରରେ ଚାର୍ଜ ହେଉଥିବା ଦେଖି ଲୋକେ ପ୍ରତିବାଦ କରିଥିଲେ। ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ସାଧାରଣ ଲୋକଙ୍କ ଘର ଅନ୍ଧାରରେ ରହୁଥିବା ବେଳେ ଏବଂ ଶିଶୁମାନେ ଗରମରେ କାନ୍ଦୁଥିବା ବେଳେ, ସରକାରୀ ବାବୁମାନଙ୍କ ଗାଡ଼ି ଚାର୍ଜ କରିବା ପାଇଁ ବିଭାଗ ପାଖରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ରହିଛି।

ପରବର୍ତ୍ତୀ ସମୟରେ ଲୋକମାନେ ଉପସ୍ଥିତ ଅଧିକାରୀମାନଙ୍କୁ ଘେରି ବିଦ୍ୟୁତ୍ ସେବା ସ୍ଵାଭାବିକ କରିବା ପାଇଁ କଡ଼ା ପ୍ରଶ୍ନ କରିଛନ୍ତି। ଆନ୍ଦୋଳନକାରୀମାନେ ସ୍ପଷ୍ଟ ଜିଦ୍ ଧରିଛନ୍ତି ଯେ, ଯେପର୍ଯ୍ୟନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହୋଇଛି ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣର ପ୍ରତିଶ୍ରୁତି ନ ମିଳିଛି, ସେପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ। ଯଦି ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଜନ-ଆନ୍ଦୋଳନ ଆହୁରି ବ୍ୟାପକ ଓ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories