Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନୁଟମାଲ୍ ହାତୀ ମୃତ୍ୟୁ ମାମଲା ! ପ୍ରଥମେ ୪ ଏବେ ୩ , ଚାର୍ଜସିଟ୍‌ରୁ କେମିତି ହଟିଲା ବିଦ୍ୟୁତ୍ ବିଭାଗ ଏସ୍.ଡି.ଓ.ଙ୍କ ନାଁ ? କେଉଁ ସ୍ୱାର୍ଥରେ ବାଲିଆ ଛାଡ଼ି କେରାଣ୍ଡି ଧରିଛି ବନ ବିଭାଗ ?

ବଲାଙ୍ଗୀର,୨୪।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଡିଘାଟ ସେକ୍ସନ୍ ଗତ ଏପ୍ରିଲ୍ ୩୦ ତାରିଖରେ ଚାନୁଟମାଲ୍ ଗାଁରେ ଘଟିଥିବା ଦନ୍ତା ହାତୀ ମୃତ୍ୟୁ ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବଡ ବଡିଆ କର୍ମଚାରୀକୁ ବାଦ୍ ଦେଇ ୩ ଜଣଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ମାମଲା ରୁଜୁ ହେବା ଦିନଠାରୁ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗର ଏସ୍.ଡି.ଓ. ସଞ୍ଜୟ ତିର୍କିଙ୍କ ନାଁରେ ମଧ୍ୟ ମାମଲା ଚାଲିଛି ବୋଲି କହୁଥିବା ବନ ବିଭାଗ କୋର୍ଟରେ ଚାର୍ଜସିଟ୍ ଦାଖଲ ସମୟରେ କେମିତି ଓ କିଭଳି ପରିସ୍ଥିତିରେ ତାଙ୍କ ନାଁକୁ ବାଦ୍ ଦେଲା, ସେନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଡ଼ ବଡ଼ିଆ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ତଦନ୍ତକାରୀ ବନ ବିଭାଗ ଏଠାରେ ‘ବାଲିଆ ଛାଡ଼ି କେରାଣ୍ଡି ଧରିବା’ ନୀତି ଆପଣାଇଥିବା ସ୍ପଷ୍ଟ ହୋଇଛି, ଯାହା ବିଭାଗର କାର୍ଯ୍ୟଶୈଳୀକୁ ସମ୍ପୂର୍ଣ୍ଣ ସନ୍ଦେହ ଘେରକୁ ଟାଣି ଆଣିଛି। ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଘଟଣା ଘଟିବା ଦିନଠାରୁ ଲଗାତାର ଛୁଟିରେ ଥିବା ବିଦ୍ୟୁତ୍ ବିଭାଗର ଏସ୍.ଡି.ଓ. ସଞ୍ଜୟ ତିର୍କିଙ୍କ କାର୍ଯ୍ୟକଳାପ। ବନବିଭାଗ ଯେଉଁଦିନ ହାତୀ ମୃତ୍ୟୁ ମାମଲାର ଚାର୍ଜସିଟ୍ କୋର୍ଟରେ ଦାଖଲ କଲା, ଠିକ୍ ସେହି ଦିନ ହିଁ ଏସ୍.ଡି.ଓ. ନିଜ ଡ୍ୟୁଟିରେ ଯୋଗଦାନ କରିଛନ୍ତି। ଏହି ରହସ୍ୟମୟ ସଂଯୋଗ ସାଧାରଣରେ ସନ୍ଦେହକୁ ଆହୁରି ଘନୀଭୂତ କରିଛି। ପ୍ରଶ୍ନ ଉଠୁଛି, କୋର୍ଟରେ କେସ୍ ଦାଖଲ ହେବା ଏବଂ ଏସ୍.ଡି.ଓ.ଙ୍କ ଛୁଟି ଶେଷ ହେବା ଭିତରେ କି ସଲାସୁତୁରା ଚାଲିଥିଲା ? କାହା ଇସାରାରେ ଏହି ସେଟିଂ ହୋଇଛି?
ଗତ ଅପ୍ରେଲ ୩୦ ତାରିଖ ଗୁରୁବାର ସକାଳେ ଚାନୁଟମାଲ୍ ଗ୍ରାମର ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରେ ଏକ ଦନ୍ତା ହାତୀ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବୋର୍‌ୱେଲ୍ ପାଇଁ ବେଆଇନ ଭାବେ ଟଣାଯାଇଥିବା ନଗ୍ନ ବିଦ୍ୟୁତ୍ ତାର ବିଛା ଯାଇଥିବାରୁ ହାତୀଟି ସେହି ତାର ସଂସ୍ପର୍ଶରେ ଆସିଥିବା ପ୍ରଥମରୁ ହିଁ ଅନୁମାନ କରାଯାଉଥିଲା। ତେବେ ସେହି ସମୟରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବା କହି ଖସିଯିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ୍) ରିପୋର୍ଟ ଏହି ମିଥ୍ୟା ଦାବିର ପର୍ଦ୍ଦାଫାଶ କରିଦେଇଛି। ବିଶ୍ଵସ୍ତ ସୂତ୍ର ଅନୁଯାୟୀ, ମୃତ ହାତୀର ଶୁଣ୍ଢରେ ବିଦ୍ୟୁତ୍ ଆଘାତର ସ୍ପଷ୍ଟ ଚିହ୍ନ ରହିଛି ଏବଂ କରେଣ୍ଟ ଲାଗିବା ଯୋଗୁଁ ହିଁ ଦନ୍ତାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ସମ୍ବେଦନଶୀଳ ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କୋର୍ଟ ୩ ଜଣ ସଞ୍ଜୀବ ପୁଟେଲ (ଜମି ମାଲିକ), ଅଜିତ୍ କୁମାର ତରିଆ (ଲାଇନ୍‌ମ୍ୟାନ୍), ମହମ୍ମଦ ଜୁନେଦ (ମୁରିବାହାଲ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ J.E ) ନାଁରେ ଜାମିନ ବିହୀନ ଗିରଫ ପରୱାନା (NBW) ଜାରି କରିଛନ୍ତି ।
ବନ ବିଭାଗ ପକ୍ଷରୁ ପ୍ରଥମେ ଅଭିଯୁକ୍ତ ତାଲିକାରେ ୪ ଜଣଙ୍କ ନାଁ ଥିବା କୁହାଯାଉଥିବା ବେଳେ ଚାର୍ଜସିଟ୍ ବେଳକୁ ଏହା ୩ କୁ ଖସି ଆସିଛି । ଏଥିରୁ ଏସ୍.ଡି.ଓ.ଙ୍କ ନାଁ ସୁଚିନ୍ତିତ ଭାବେ ଗାୟବ କରି ତାଙ୍କୁ “କ୍ଲିନ୍ ଚିଟ୍” ଦେବାରେ ତଦନ୍ତକାରୀ ବନ ବିଭାଗ କରିଛି କି ବଡଧରଣର ଡିଲ୍? ନା’ ଏହା ପଛରେ ରହିଛି ରାଜନୈତିକ ଚାପ? ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ ସହ ଟିଟିଲାଗଡ ବିଦ୍ୟୁତ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ୍ ଙ୍କ ସହ ଭଲ ସମ୍ପର୍କ ଥିବା କଥାବି ଚର୍ଚ୍ଚା ହେଉଛି । ଯାହା ଫଳରେ ଉକ୍ତ ମାମଲାର ଚାର୍ଜସିଟ୍ ରୁ ଏସ୍.ଡି.ଓ ଙ୍କ ନାଁକୁ ଜାଣିଶୁଣି ହଟାଇ ଦେଇ କେବଳ ତଳିଆ କର୍ମଚାରୀ ଓ ଜମି ମାଲିକଙ୍କୁ ବଳିର ବୋଦା ସଜାଇ ଏସ୍.ଡି.ଓ.ଙ୍କୁ ଛାଡ଼ି ଦିଆଯିବା ବନ ବିଭାଗର ସ୍ୱଚ୍ଛତା ଉପରେ ଏକ ବଡ଼ ଦାଗ ଲଗାଇଛି।
ଏନେଇ ତଦନ୍ତକାରୀ ବନବିଭାଗର ଜଣେ ବିଶ୍ଵସ୍ତ ଅଧିକାରୀଙ୍କୁ ପଚାରିବାରୁ ମୁଁ ଭୂଲରେ ଏସ୍.ଡି.ଓ ଙ୍କ ନାଁ ଥିବା କହିଥିଲି କହିଛନ୍ତି । ସେହିପରି ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାର ଙ୍କୁ ପଚାରିବାରୁ କେବେ (ସେଦିନ) ଆପଣ ଭୂଲ୍ ଶୁଣିଥିବେ ମୁଁ ଏବେ କହିଛି ମୁଁ କେବେବି କହିନି ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଘଟଣା ପରଠାରୁ ଛୁଟିରେ ଥିବା ଏବଂ ମାମଲା କୋର୍ଟ ରେ ଦାଖଲ ହେବା ଦିନ ଛୁଟି ସାରି ନିଜ ଡ୍ୟୁଟିରେ ଯୋଗଦେଇଥିବା କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗର ଏସ୍.ଡି.ଓ ସଞ୍ଜୟ ତିର୍କିଙ୍କୁ ଏନେଇ ଯୋଗାଯୋଗ କରାଯାଇଥିବା ବେଳେ ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହି ଘଟଣାରେ ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରକୃତ ଦୋଷୀ ବଡ଼ବାବୁ ମାନଙ୍କୁ ଆଇନର କାଠଗଡ଼ାକୁ ଅଣାଯାଉ ବୋଲି ସାଧାରଣରେ ଦୃଢ଼ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ