ବିନା ସୂଚନା ଫଳକରେ ଚାଲିଛି ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାସ୍ତା କାମ ! ତଥ୍ୟ ମାଗିଲେ ସାମ୍ବାଦିକଙ୍କୁ ତଥ୍ୟ ବଦଳରେ ମିଳୁଛି ଯନ୍ତ୍ରୀଙ୍କ ଧମକ ।
ବଲାଙ୍ଗୀର,୨୪:୫: ରାଜ୍ୟ ସରକାର ସ୍ୱଚ୍ଛତା ଓ ସୁଶାସନର ଡିଣ୍ଡିମ ପିଟୁଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ସରକାରୀ ବ୍ୟବସ୍ଥାକୁ ଖୋଲାଖୋଲି ବୁଢ଼ା ଆଙ୍ଗୁଠି ଦେଖାଇ ଅନ୍ଧାରରେ କୋଟି କୋଟି ଟଙ୍କାର କାର୍ଯ୍ୟ ସାଉଁଟିବାକୁ ଚେଷ୍ଟା କରୁଛନ୍ତି ଖୋଦ୍ ବିଭାଗୀୟ ଯନ୍ତ୍ରୀ। ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା ନିର୍ମାଣ ଚାଲିଥିବା ବେଳେ, କାମର ସବିଶେଷ ତଥ୍ୟ ମାଗିବାରୁ ଓଲଟା ସାମ୍ବାଦିକଙ୍କୁ ମିଳିଛି ମିଥ୍ୟା ମାମଲା ରୁଜୁ କରିବାର ଖୋଲା ଧମକ। ଗ୍ରାମ୍ୟ ନିର୍ମାଣ ବିଭାଗର ଏଭଳି ସଂଗୀନ ତଥା ଚାଞ୍ଚଲ୍ୟକର କାର୍ଯ୍ୟଶୈଳୀ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଟିଟିଲାଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ମୁରିବାହାଲ ବ୍ଲକ୍ ଅଧୀନସ୍ଥ “ସିଙ୍ଗପାଲି ଟଙ୍କଯୋର୍ରୁ ତେନ୍ତୁଳିଖୁଣ୍ଟି ଭାୟା ବାଗପଡ଼ା କନ୍ଦାଖାଲ” ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ପାଇଁ ୩ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରୀ ନିୟମ ମୁତାବକ, ଯେକୌଣସି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସେଠାରେ ପ୍ରକଳ୍ପର ନାମ, ଅଟକଳ ମୂଲ୍ୟ, ଠିକାଦାରଙ୍କ ନାମ ଏବଂ କାର୍ଯ୍ୟ ଶେଷ ହେବାର ଅବଧି ଉଲ୍ଲେଖ ଥିବା ଏକ ସୂଚନା ଫଳକ (ସାଇନ୍ ବୋର୍ଡ) ଲାଗିବା ବାଧ୍ୟତାମୂଳକ। ମାତ୍ର ଏଠାରେ ସବୁ ନିୟମକୁ ଫୁ’ କରି ଉଡ଼ାଇ ଦିଆଯାଇଛି। ସାଧାରଣ ଜନତାଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ ଶେଷ କରିବା ଅଭିପ୍ରାୟରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଛି। ରାସ୍ତାରେ ଥିବା ପୁରୁଣା ଓ ବିପଦସଙ୍କୁଳ ପୋଲକୁ ନହଟାଇ, ସେହି ଦଦରା ପୋଲ ଉପରେ ହିଁ ନୂଆ ରାସ୍ତା ନିର୍ମାଣ କରାଯାଉଛି। ପୁରୁଣା ଭଙ୍ଗା ପୋଲକୁ ସାମାନ୍ୟ ମଲାମତ କରି ଏହାକୁ ନୂଆ ପୋଲର ରୂପରେଖ ଦେବାକୁ ନିର୍ମାଣକାରୀ ବିଭାଗ ପକ୍ଷରୁ ହୀନ ପ୍ରୟାସ କରାଯାଉଛି, ଯାହା ଆଗାମୀ ଦିନରେ ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଏହି କାର୍ଯ୍ୟରେ ସଂପୃକ୍ତ ଯନ୍ତ୍ରୀ ଜଣକ ଜନସାଧାରଣଙ୍କ ସୁରକ୍ଷା ଓ ସ୍ୱାର୍ଥ ଅପେକ୍ଷା ଠିକାଦାରଙ୍କ ଲାଭକୁ କାହିଁକି ଅଧିକ ଗୁରୁତ୍ଵ ଦେଉଥିବା ନେଇ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ଦାୟିତ୍ୱରେ ଥିବା ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଅଜିତ୍ କୁମାର ସ୍ବାଇଁଙ୍କୁ ଯୋଗାଯୋଗ କରି ସଂପୃକ୍ତ ରାସ୍ତା କାମର ତଥ୍ୟ ମାଗିଥିବା ବେଳେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେବା ବଦଳରେ ନିଜ ଅଜ୍ଞତା ପ୍ରକାଶ କରିଥିଲେ ଏବଂ “ଛୁଟି ଅଛି” ବୋଲି ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ।
ଜଣେ ସରକାରୀ ପଉତ୍ତରଦାୟୀ ପଦବୀରେ ଥିବା ଅଧିକାରୀଙ୍କୁ ରାସ୍ତା କାମ ତଥ୍ୟ ମାଗିବାରୁ ସେ ଓଲଟା ନିଜର ସୀମା ଟପିଯାଇ ଯନ୍ତ୍ରୀ ଜଣକ ନିଜ ସରକାରୀ ପଦବୀର ଅପବ୍ୟବହାର କରି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଥିଲେ। “ଛୁଟି ଦିନରେ ଆମକୁ କାହିଁକି ଫୋନ୍ କରୁଛନ୍ତି” ବୋଲି ପ୍ରଶ୍ନ କରିବା ସହ ସତ୍ୟ ପଦାକୁ ଆଣିବାକୁ ଚେଷ୍ଟା କରୁଥିବା ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା (କେଶ୍) ରୁଜୁ କରିବାକୁ ସେ ଖୋଲାଖୋଲି ଧମକ ଦେଇଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯଦି ନିର୍ମାଣ କାର୍ଯ୍ୟ ସ୍ୱଚ୍ଛ ଓ ନିୟମାନୁଯାୟୀ ଚାଲିଛି, ତେବେ ସୂଚନା ଦେବାକୁ ଯନ୍ତ୍ରୀଙ୍କର ଏତେ ଭୟ କାହିଁକି?
୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସରକାରୀ ପ୍ରକଳ୍ପ କ’ଣ ଯନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଯେ, ସେ ଏହାର ହିସାବ ସାଧାରଣ ଜନତା କିମ୍ବା ଗଣମାଧ୍ୟମକୁ ଦେବେ ନାହିଁ?
ଛୁଟି ଦିନରେ ସରକାରୀ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିପାରୁଛି, ହେଲେ ସେହି କାମର ଜବାବଦେହିତା ଦେବା ପାଇଁ ଯନ୍ତ୍ରୀଙ୍କୁ ଛୁଟି ବାଧୁଛି କେମିତି?
ସାମ୍ବାଦିକଙ୍କୁ କେଶ୍ର ଧମକ ଦେଇ ନିଜ ଦୁର୍ନୀତି ଏବଂ ଅପାରଗତାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଏଭଳି ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ। ବିନା ସୂଚନା ଫଳକରେ ଚାଲିଥିବା ଏହି ବେଆଇନ୍ କାର୍ଯ୍ୟ ଓ ପୁରୁଣା ପୋଲ ଉପରେ ପିଚୁ ଢାଳିବା ପଛରେ କେଉଁ ଅଧିକାରୀ-ଠିକାଦାର ମଧୁଚନ୍ଦ୍ରିକା ରହିଛି, ତାହାର ଏକ ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

