Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିରରେ ପ୍ରସ୍ତାବିତ ଇଞ୍ଜିନିୟରିଂ କଲେଜ ପାଇଁ କ୍ଷେତ୍ର ପରିଦର୍ଶନ; ଭିତ୍ତିଭୂମିର ସମୀକ୍ଷା କଲେ ବଲାଙ୍ଗୀର ଜିଲ୍ଲାପାଳ

ବଲାଙ୍ଗିର,୨୬।୫: ବଲାଙ୍ଗିର ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ତଥା ପ୍ରସ୍ତାବିତ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପନ ପ୍ରକ୍ରିୟା ଏବେ ଗତିଶୀଳ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର୍ ଜିଲ୍ଲାର ବିଭିନ୍ନ ସମ୍ଭାବ୍ୟ ସ୍ଥଳ ପରିଦର୍ଶନ କରିବା ସହ ଆବଶ୍ୟକ ଭିତ୍ତିଭୂମି ଓ ସ୍ଥାନର ଉପଯୋଗିତା ସମ୍ପର୍କରେ ସମୀକ୍ଷା କରିଛନ୍ତି।
ପ୍ରସ୍ତାବିତ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ଉପଯୁକ୍ତ ପରିବେଶ ଓ ଯୋଗାଯୋଗ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଉଛି। ଶ୍ରୀ ଇସଲୱାର୍ ପ୍ରସ୍ତାବିତ ସ୍ଥାନଗୁଡିକ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ସରକାରୀ ଜମି, ଜଳ ଯୋଗାଣ, ବିଦ୍ୟୁତ ସଂଯୋଗୀକରଣ ଏବଂ ଗମନାଗମନ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ଉନ୍ନତମାନର ଇଞ୍ଜିନିୟରିଂ କଲେଜ ପାଇଁ ସର୍ବନିମ୍ନ କେତେ ଜମି ଆବଶ୍ୟକ ଏବଂ ଭବିଷ୍ୟତରେ ଏହାର ସମ୍ପ୍ରସାରଣ ପାଇଁ କିଭଳି ସୁଯୋଗ ରହିଛି, ସେ ସମ୍ବନ୍ଧରେ ସେ ବିଶେଷଜ୍ଞ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି।
ଆଲୋଚନା ସମୟରେ ଶ୍ରୀ ଇସଲୱାର୍ ମତ ପ୍ରକାଶ କରିଛନ୍ତି ଯେ, କେବଳ କୋଠାବାଡ଼ି ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।
ବଲାଙ୍ଗିରରେ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ସ୍ଥାପିତ ହେଲେ ଏହା ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସୁଯୋଗ ଆଣିଦେବ। ସ୍ଥାନୀୟ ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ବଲାଙ୍ଗୀରଙ୍କ ଏହି ପରିଦର୍ଶନ ଓ ସମୀକ୍ଷା ପରେ ଖୁବଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପ୍ରଶାସନିକ ସ୍ତରରେ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ସମୟରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିକ୍ଷାବିତ୍ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories