Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନୁଟମାଲ୍ ଦନ୍ତାହାତୀ ମୃତ୍ୟୁ ମାମଲା: କାଠଗଡ଼ାରେ ଡିଏଫ୍ଓ ତଥା ବନ୍ୟଜନ୍ତୁ ୱାର୍ଡେନଙ୍କ ‘ନୀରବ ସଲାସୁତୁରା’ ! ଦାୟିତ୍ୱ ଠେଲିବା ନୀତି କ’ଣ ପଦବୀ ପ୍ରତି ବିଶ୍ୱାସଘାତକତା ନୁହେଁ?

ବଲାଙ୍ଗୀର,୨୭।୫: ବଲାଙ୍ଗୀର ବନଖଣ୍ଡ ମୁରିବାହାଲ ରେଞ୍ଜ ଗୁଡିଘାଟ ଫରେଷ୍ଟ ସେକ୍ସନ୍ ଚାନୁଟମାଲ୍ ଗାଁରେ ବିଦ୍ୟୁତ୍ ଆଘାତରେ ଏକ ଅସହାୟ ଦନ୍ତାହାତୀର ମୃତ୍ୟୁ ଘଟଣା ଏବେ ବଲାଙ୍ଗୀର ବନ ବିଭାଗରେ ଚାଲିଥିବା ମହାଘୋଟାଲା ଓ ପାତର ଅନ୍ତର ନୀତିକୁ ପଦାରେ ପକାଇ ଦେଇଛି। ତଳିଆ କର୍ମଚାରୀଙ୍କୁ ବଳି ପକାଇ ରେଞ୍ଜର ଓ ବିଦ୍ୟୁତ୍ ବିଭାଗର ବଡ଼ ବାବୁମାନଙ୍କୁ ‘ସୁରକ୍ଷିତ ଢାଲ’ ଯୋଗାଇବାର ଯେଉଁ ଖେଳ ଚାଲିଛି, ତାର ମୁଖ୍ୟ ନାୟକ ସାଜିଛନ୍ତି ସ୍ୱୟଂ ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଅଜିତ୍ ବିଶି। ଏହି ଘଟଣାରେ ଗଣମାଧ୍ୟମର ପ୍ରଶ୍ନବାଣରୁ ବଞ୍ଚିବା ପାଇଁ ଡିଏଫ୍ଓ ସବୁ ଦାୟିତ୍ୱ ତଦନ୍ତକାରୀ ଅଧିକାରୀ ଏସିଏଫ୍ ମୁରାରୀ ପଣ୍ଡାଙ୍କ ଉପରକୁ ଦାୟିତ୍ଵ ଠେଲି ଦେଇ ନିଜ ମୁଣ୍ଡ ଉପରୁ ସବୁ ଦାୟିତ୍ଵ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି। ମାତ୍ର ବଡ଼ ପ୍ରଶ୍ନ ଉଠୁଛି—ଜିଲ୍ଲାର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ୱାଇଲ୍ଡ ଲାଇଫ୍ ୱାର୍ଡେନ୍) ଭାବେ ଡିଏଫ୍ଓ ନିଜ ଆଇନଗତ ଏବଂ ନୈତିକ ଦାୟିତ୍ୱରୁ ଏଭଳି ସହଜରେ ମୁକ୍ତ ହୋଇପାରିବେ କି?
ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ ଅନୁଯାୟୀ, ଜଣେ ଜିଲ୍ଲା ଡିଏଫ୍ଓ କେବଳ ଜଙ୍ଗଲ ଜଗିବା ବାବୁ ନୁହନ୍ତି, ସେ ହେଉଛନ୍ତି ସେହି ଜିଲ୍ଲାର ସର୍ବୋଚ୍ଚ ବନ୍ୟଜନ୍ତୁ ୱାର୍ଡେନ। ଜିଲ୍ଲା ଭିତରେ ବନ୍ୟଜନ୍ତୁଙ୍କ ସୁରକ୍ଷା, ସେମାନଙ୍କ କରିଡରର ତଦାରଖ ଏବଂ ଅପରାଧ ରୋକିବାର ସମ୍ପୂର୍ଣ୍ଣ ଆଇନଗତ ଜବାବ୍ ଦେହିତା ସ୍ୱୟଂ ଡିଏଫ୍ଓଙ୍କ ଉପରେ ନ୍ୟସ୍ତ। ତେଣୁ ଆଇନର ପାଠ ପଢ଼ନ୍ତୁ ବଲାଙ୍ଗୀର ଡିଏଫ୍ଓ ବାବୁ ! ‘ୱାଇଲ୍ଡ ଲାଇଫ୍ ୱାର୍ଡେନ’ ପଦବୀ କେବଳ ଚେୟାର୍ ଗରମ କରିବା ପାଇଁ ନୁହେଁ !
ଯଦି ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାର ନିଜ ବନ୍ୟାଞ୍ଚଳ (ରେଞ୍ଜ) ଅଞ୍ଚଳରେ ହାତୀର ଗତିବିଧି ନେଇ ଅଜ୍ଞ ଥିଲେ, ତେବେ ତାଙ୍କ ଉପରେ କଡ଼ା ନଜର ରଖିବାରେ ଡିଏଫ୍ଓ କେମିତି ବିଫଳ ହେଲେ? ମୁରିବାହାଲ ରେଞ୍ଜରଙ୍କ ନିଜ ଅଧୀନରେ ଥିବା ରେଞ୍ଜରେ ଏଭଳି ଚରମ ଅବହେଳା ଚାଲିଥିବା ବେଳେ, ଡିଏଫ୍ଓ ବାବୁ ଜିଲ୍ଲା ମୁଖ୍ୟାଳୟରେ ବସି କେଉଁ ସୁପ୍ତ ଅବସ୍ଥାରେ ଥିଲେ? ଏହା କେବଳ ବିଭାଗୀୟ ଅବହେଳା ନୁହେଁ, ବରଂ ବନ୍ୟଜନ୍ତୁ ୱାର୍ଡେନ ଭାବେ ନିଜ ପଦବୀ ଏବଂ ଆଇନଗତ କର୍ତ୍ତବ୍ୟ ପ୍ରତି ଚରମ ବିଶ୍ୱାସଘାତକତା।
ଏହି ସମଗ୍ର ସମ୍ବେଦନଶୀଳ ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଏସିଏଫ୍ ମୁରାରୀ ପଣ୍ଡାଙ୍କ ଭୂମିକା ଆରମ୍ଭରୁ ହିଁ ସନ୍ଦେହଜନକ ରହିଛି। ବିଦ୍ୟୁତ୍ ବିଭାଗ ଏସଡିଓ (SDO)ଙ୍କ ନାମ ଚାର୍ଜସିଟରୁ ଗାୟବ ହେବା ଏବଂ ରେଞ୍ଜରଙ୍କୁ ଖସାଇବା ପାଇଁ ହେଉଥିବା ଭିତିରି ଉଦ୍ୟମ ବିଷୟରେ ଯେତେବେଳେ ଡିଏଫ୍ଓଙ୍କୁ ପଚରାଯାଉଛି, ସେ ଅତ୍ୟନ୍ତ ଲଜ୍ୟା ଜନକ ଭାବେ “ମୁଁ କିଛି ଜାଣିନି, ତଦନ୍ତକାରୀ ଅଧିକାରୀ (ଏସିଏଫ୍) ଜାଣିଛନ୍ତି” ବୋଲି କହି ହାତ ଟେକି ଦେଉଛନ୍ତି। ପ୍ରଶ୍ନ ଉଠୁଛି ଏସିଏଫ୍ ଙ୍କ ଆଢୁଆଳରେ ଲୁଚୁଛନ୍ତି କାହିଁକି ଡିଏଫ୍ଓ ? ଏହା କଣ ତଦନ୍ତ ନା ଗୋଟିଏ ନାଟକ?
ଅନ୍ୟପକ୍ଷରେ ବଲାଙ୍ଗୀରର ଜନ ସାଧାରଣ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।
ଏସିଏଫ୍ କ’ଣ ଡିଏଫ୍ଓଙ୍କ ଅଧୀନସ୍ଥ କର୍ମଚାରୀ ନୁହନ୍ତି?
ଏସିଏଫ୍ କ’ଣ ବାହାର କୌଣସି ସଂସ୍ଥାରୁ ଆସିଛନ୍ତି ଯେ ତାଙ୍କ କାର୍ଯ୍ୟକଳାପ ଉପରେ ଡିଏଫ୍ଓଙ୍କର କୌଣସି ନିୟନ୍ତ୍ରଣ ନାହିଁ?
ଚାର୍ଜସିଟରୁ ବଡ଼ ବଡ଼ ଅଭିଯୁକ୍ତଙ୍କ ନାମ କାଟିବା ପାଇଁ ଏସିଏଫ୍ ଙ୍କୁ ସ୍ୱୟଂ ଡିଏଫ୍ଓ ହିଁ ଗୋପନୀୟ ନିର୍ଦ୍ଦେଶ ଦେଇନାହାନ୍ତି ତ?
ନିଜ ପିଅନ ବା କ୍ଲର୍କ ଭୁଲ୍ କଲେ ତାଙ୍କ ଉପରକୁ ଦୋଷ ଠେଲି ଦେଇ ନିଜେ ସୁରକ୍ଷିତ ରହିବାର ଏହି ବ୍ୟୁରୋକ୍ରାଟିକ୍ ପଦ୍ଧତି ଏବେ ବଲାଙ୍ଗୀର ବନ ବିଭାଗର ପ୍ରଶାସନିକ ଅପାରଗତାକୁ ଛାତିଫାଡ଼ି ଦେଖାଉଛି।
ଯଦି ଡିଏଫ୍ଓ ନିଜ ଜିଲ୍ଲାରେ ଘଟୁଥିବା ପାତରଅନ୍ତର ନୀତି ଏବଂ ମାମଲା ରଫାଦଫା ଷଡ଼ଯନ୍ତ୍ର ବିଷୟରେ ସତରେ ‘ଅବଗତ ନାହାନ୍ତି’, ତେବେ ଜଣେ ଜିଲ୍ଲା ବିଭାଗୀୟ ମୁଖ୍ୟ ଭାବେ ଏଭଳି ସ୍ଥାଣୁ ଏବଂ ଅପାରଗ ଅଧିକାରୀଙ୍କର ଆସନରେ ବସିବାର ନୈତିକ ଅଧିକାର କାହିଁକି ରହିବ ବୋଲି ବନ୍ୟଜନ୍ତୁ ପ୍ରେମୀଙ୍କ ପ୍ରଶ୍ନ ଉଠାଇଛନ୍ତି ।
ଏହି ଘଟଣାରେ କାଜୁ ବଗିଚା ମାଲିକ,ବିଦ୍ୟୁତ୍ ବିଭାଗର ଜେଇ (JE) ଏବଂ ଲାଇନମ୍ୟାନଙ୍କ ବିରୋଧରେ ଜାମିନ୍ ବିହୀନ ଗିରଫ ପରୱାନା (NBW) ଜାରି ହୋଇଥିବା ବେଳେ, ବନ ବିଭାଗର ତଳିଆ କର୍ମଚାରୀ ଗୁଡିଘାଟ ଫରେଷ୍ଟରଙ୍କୁ ନିଲମ୍ୱନ କରାଯାଇଛି । ତେବେ ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଧିକାରୀ ଓ ବନ ବିଭାଗର ରେଞ୍ଜର କେଉଁ ଅଦୃଶ୍ୟ ଶକ୍ତି ବଳରେ ଖସି ଯାଉଛନ୍ତି, ତାହା ସମସ୍ତେ ଜାଣନ୍ତି। ଏହି ଦୁଇ ବିଭାଗର ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ଥିବା ସଲାସୁତୁରା ଏବଂ ଏହାକୁ ମିଳିଥିବା ‘ପ୍ରଶାସନିକ ଆଶୀର୍ବାଦ’ ଯୋଗୁଁ ଆଜି ଆଇନ ତଳିଆ କର୍ମଚାରୀଙ୍କ ପାଇଁ କଠୋର ଏବଂ ଉପରିସ୍ଥ ବାବୁମାନଙ୍କ ପାଇଁ ଅଳଙ୍କାର ସାଜିଛି।
ଏହି ସମଗ୍ର ଘଟଣାରେ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶି ବନ୍ୟପ୍ରାଣୀ ସଂରକ୍ଷକ (Wildlife Warden) ଜିଲ୍ଲାର ବନ୍ୟଜନ୍ତୁ ସୁରକ୍ଷାର ମୁଖ୍ୟ ଓ ସର୍ବୋଚ୍ଚ ଜବାବଦେହିତା ହୋଇଥିବା ବେଳେ ଉକ୍ତ ମାମଲାରୁ ନିଜ ମୁଣ୍ଡ ଖସାଇ ଏସିଏଫ୍ ଙ୍କ ପଛରେ ଲୁଚିବା ଓ ନିଷ୍କ୍ରିୟ ରହିବା, ତଦନ୍ତକାରୀ ଅଧିକାରୀ ଏସିଏଫ୍ ମୁରାରୀ ପଣ୍ଡାଙ୍କ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ବେଳେ ବିଦ୍ୟୁତ୍ ବିଭାଗ SDOଙ୍କ ନାମ ଗାୟବ କରି ଓ ଗଣମାଧ୍ୟମର ଫୋନ୍ କଲ୍ ନ ଉଠାଇବା, ସେହିପରି ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାର ସ୍ଥାନୀୟ ଅଞ୍ଚଳରେ ହାତୀର ସୁରକ୍ଷା ଓ ପ୍ରତିଦିନର ଟ୍ରାକିଂ ତଥା ହାତୀର ସ୍ଥିତି ନେଇ ସମ୍ପୂର୍ଣ୍ଣ ଅଜ୍ଞ ରହି ତଥାପି ବିଭାଗୀୟ ଅନୁକମ୍ପାରୁ ସୁରକ୍ଷିତ ରହିବା କଣ ସୂଚାଉଛି ?
ଘଟଣାକୁ ନେଇ ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ପ୍ରେମ କୁମାର ଝା ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଘଟଣା କଣ ହେଇଛି ଦେଖୁଛି ବୋଲି କହିଛନ୍ତି ।
ବଲାଙ୍ଗୀର ବନ ବିଭାଗର ଏହି ପ୍ରହସନମୂଳକ ତଦନ୍ତ ଏବଂ ଡିଏଫ୍ଓଙ୍କ ସ୍ଥାଣୁତା ବିରୋଧରେ ଏବେ ଜନଅସନ୍ତୋଷ କୁହୁଳିବାରେ ଲାଗିଛି। ସମୟ ଆସିଛି, ରାଜ୍ୟ ସରକାର ଏବଂ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ। ନିଜ ଦାୟିତ୍ୱରୁ ମୁଣ୍ଡ ଖସାଉଥିବା ଡିଏଫ୍ଓ ଏବଂ ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଏସିଏଫ୍‌ଙ୍କ ସମେତ ଦୋଷୀ ରେଞ୍ଜରଙ୍କ ବିରୋଧରେ ଯଦି ତୁରନ୍ତ ଏକ ସ୍ୱାଧୀନ ଉଚ୍ଚସ୍ତରୀୟ ତଥା ରାଜ୍ୟ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନର ନିଆଁ ବଲାଙ୍ଗୀର ବନ ପ୍ରଶାସନକୁ ଭସ୍ମୀଭୂତ କରିଦେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories