ରାସ୍ତା ନାହିଁ ତ ଜୀବନ ନାହିଁ: ଖପ୍ରାଖୋଲରେ ପ୍ରଶାସନିକ ଅବହେଳାର କରୁଣ ପରିଣତି, ଚାଲିଗଲା ନବଜାତକର ପ୍ରାଣ
ବଲାଙ୍ଗୀର,୨୭।୫: ଆଜିର ଡିଜିଟାଲ୍ ଯୁଗରେ ବିକାଶର ନାରା ଦିଆଯାଉଥିବା ବେଳେ, ବଲାଙ୍ଗିର ଜିଲ୍ଲା ଉପାନ୍ତ ଖପ୍ରାଖୋଲ ବ୍ଲକରୁ ଆସିଛି ଏକ ଅଭାବନୀୟ ତଥା ହୃଦୟବିଦାରକ ଖବର। ଗାଁକୁ ରାସ୍ତାଟିଏ ନଥିବାରୁ ମୁମୂର୍ଷୁ ଅବସ୍ଥାରେ ଗର୍ଭବତୀଙ୍କ ପାଖରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ଶେଷରେ ଖଟରେ ବୁହା ହୋଇ ଡାକ୍ତରଖାନା ଗଲେ ମା’, କିନ୍ତୁ ବିଳମ୍ବିତ ଚିକିତ୍ସା ଯୋଗୁଁ ଜଣେ ନବଜାତକର ମୃତ୍ୟୁ ଘଟିଛି। ପ୍ରଶାସନିକ ଅବହେଳା କିପରି ଏକ ପରିବାରର ହସଖୁସିକୁ ଉଜାଡ଼ି ଦିଏ, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ।
ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଘୁନସର ଗ୍ରାମପଞ୍ଚାୟତ ଚଚରାଭଟା ଗ୍ରାମର କୋଶଲପଡା ନିବାସୀ ରୋହିତ ଧରୁଆଙ୍କ ସ୍ତ୍ରୀ ସୀମା ଧରୁଆଙ୍କୁ ଗତକାଲି ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଗାଁ ଭିତରକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ବାଧ୍ୟ ହୋଇ ଗାଁ ଲୋକେ ଓ ପରିବାର ସଦସ୍ୟ ଏକ ଖଟରେ ଭାର କରି ପ୍ରାୟ ଦେଢ଼ କିଲୋମିଟର ପଥ ବୋହି ସୀମାଙ୍କୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଖପ୍ରାଖୋଲ ଡାକ୍ତରଖାନାରେ ସୀମା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ମାତ୍ର ତାଙ୍କ ଗର୍ଭରେ ଆଉ ଏକ ଶିଶୁ ଥିବା ଜଣାପଡ଼ିବା ପରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦ୍ୱିତୀୟ ଶିଶୁଟି ଜନ୍ମ ହୋଇଥିଲେ ହେଁ ତାର ଅବସ୍ଥା ଗୁରୁତର ଥିଲା। ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବାଟରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା।
ଦୀର୍ଘ ଦିନରୁ କୋଶଲପଡାକୁ ଏକ ସଜଡ଼ା ରାସ୍ତା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। “ରାସ୍ତା ଥିଲେ ଆଜି ମୋ ପିଲା ବଞ୍ଚିଥାନ୍ତା” ବୋଲି କୋହଭରା କଣ୍ଠରେ କହିଛନ୍ତି ପରିବାର ଲୋକେ। ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଛି। ଖପ୍ରାଖୋଲ ବ୍ଲକ ସହକାରୀ ଯନ୍ତ୍ରୀ ରାଜକିଶୋର ନାଏକ କୋଶଳ ପଡାକୁ ଯାଇ ତଦାରଖ କରିଛନ୍ତି।
ଏହି ଘଟଣା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଉପଯୁକ୍ତ ରୋଡ୍ କନେକ୍ଟିଭିଟି ଓ ଚିକିତ୍ସା ସେବା ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଯଦି ପ୍ରଶାସନ ଏବେ ବି ସତର୍କ ନହୁଏ, ତେବେ ଆଗାମୀ ଦିନରେ ଏଭଳି ଅନେକ ନିରୀହ ଜୀବନ ଅକାଳରେ ଝଡ଼ିଯିବାର ଆଶଙ୍କା ରହିଛି।

