Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ହିତାଧିକାରୀ: ୩ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ପ୍ରଶାସନିକ ଅବହେଳା ବିରୁଦ୍ଧରେ ଧାରଣା

ବଲାଙ୍ଗୀର,୨୯।୫: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଦେଖାଦେଇଥିବା ଅନିୟମିତତା ବିରୁଦ୍ଧରେ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିବା ଶତାଧିକ ହିତାଧିକାରୀ ଦୀର୍ଘ ୩ ମାସ ହେଲା ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବାରୁ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଧାରଣା ଦିଆଯାଇଛି। ରାଜ୍ୟ ଯୁବ ବିଜେଡି ସାଧାରଣ ସଂପାଦକ ଅଜିତ ଯୋଷୀଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା ।ବଙ୍ଗୋମୁଣ୍ଡା ବ୍ଲକର ଅନେକ ପଞ୍ଚାୟତର ବୃଦ୍ଧବୃଦ୍ଧାମାନେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ପାଉଥିଲେ। କିନ୍ତୁ ଗତ ତିନି ମାସ ହେଲା ସେମାନଙ୍କ ଖାତାକୁ ଟଙ୍କା ଆସୁନାହିଁ, ଯାହାଫଳରେ ସେମାନେ ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ହିତାଧିକାରୀମାନେ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଧିକାରୀମାନେ କେବଳ ପ୍ରତିଶୃତି ଦେଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି।
ଯଦି ତୁରନ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ବକେୟା ଭତ୍ତା ଟଙ୍କା ପ୍ରଦାନ କରା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ରୂପ ଧାରଣ କରିବ ବୋଲି ଯୁବ ନେତା ଅଜିତ ଯୋଷୀ ଚେତାବନୀ ଦେଇଛନ୍ତି।
ଆଜିର ଏହି ଧାରଣାରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ହିତାଧିକାରୀଙ୍କ ସମେତ ସ୍ଥାନୀୟ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories