ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଜିଲ୍ଲା ପ୍ରଶାସନର ଅସମ୍ମାନ ଅଭିଯୋଗ: ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି କଲା କୋଶଳ ସଂଗଠନ
ବଲାଙ୍ଗୀର,୨୯।୫: ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କ ପ୍ରତି ଜିଲ୍ଲା ପ୍ରଶାସନର ରୁକ୍ଷ ବ୍ୟବହାରକୁ ନେଇ ଏବେ ବଲାଙ୍ଗୀରରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆଗଲପୁର ବ୍ଲକ ଜନଶୁଣାଣି ଶିବିରରେ କୋଶଳ ଆନ୍ଦୋଳନର ଭୀଷ୍ମ ପିତାମହ କୁହାଯାଉଥିବା ବାଲଗୋପାଳ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ନେଇ ଅଭିଯୋଗ କରିଛି ମିଳିତ କୋଶଳବାଦୀ ସଂଗଠନ ।
ସୂଚନା ଅନୁଯାୟୀ, ଗତକାଲି ଆୟୋଜିତ ଯୁଗ୍ମ ଜନଶୁଣାଣିରେ ୮୫ ବର୍ଷୀୟ ଶ୍ରୀ ମିଶ୍ର ଜନସାଧାରଣଙ୍କ ସମସ୍ୟା ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କୁ ସାମାନ୍ୟ ସୌଜନ୍ୟମୂଳକ ବ୍ୟବହାର ମଧ୍ୟ ପ୍ରଦର୍ଶନ କରାଯାଇନଥିଲା । ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ଛିଡ଼ା କରି ଜିଲ୍ଲାପାଳ ବସି ରହି ତାଙ୍କର ଆବେଦନ ଗ୍ରହଣ କରିବା ଘଟଣାକୁ ସଂଗଠନ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି ।
ଆଜି ବଲାଙ୍ଗୀରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, ଏହା କେବଳ ବାଲଗୋପାଳ ମିଶ୍ରଙ୍କ ପ୍ରତି ଅସମ୍ମାନ ନୁହେଁ, ବରଂ ସମଗ୍ର ପଶ୍ଚିମ ଓଡ଼ିଶାର ସମ୍ମାନ ଉପରେ ଏହା ଏକ ଶକ୍ତ ପ୍ରହାର । ଜିଲ୍ଲାପାଳ ଜଣେ ଦକ୍ଷ ପ୍ରଶାସକ ହୋଇଥାଇ ପାରନ୍ତି, ମାତ୍ର ସର୍ବସାଧାରଣରେ ଜଣେ ପୂର୍ବତନ ଜନପ୍ରତିନିଧି ତଥା ବୃଦ୍ଧ ବ୍ୟକ୍ତିଙ୍କୁ ଏଭଳି ଅଣଦେଖା କରିବା ତାଙ୍କର ଅବ୍ୟବହାରକୁ ପ୍ରମାଣିତ କରୁଛି ।
ସଂଗଠନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି କି, ଯଦି ଜିଲ୍ଲାପାଳ ଏହି ଘଟଣା ପାଇଁ ସର୍ବସାଧାରଣରେ କ୍ଷମା ନମାଗନ୍ତି, ତେବେ ଆଗାମୀ ଦିନରେ କୋଶଳାଞ୍ଚଳରେ ଥିବା ସମସ୍ତ ସଂଗଠନ ଏକଜୁଟ ହୋଇ ଜୋରଦାର ଆନ୍ଦୋଳନକୁ ଓହ୍ଲାଇବେ । ଏହି ସାମ୍ବାଦିକ ସମ୍ମିଳନୀରେ କୋଶରାଜ୍ୟ ମୁକ୍ତି ମୋର୍ଚ୍ଚା ସମେତ ଅନ୍ୟାନ୍ୟ କୋଶଳବାଦୀ ସଂଗଠନର ନେତୃତ୍ୱ ବୃନ୍ଦ ଉପସ୍ଥିତ ଥିଲେ ।
ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏବେ ସମଗ୍ର ଜିଲ୍ଲାରେ ଏହି ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି ।

