ବଲାଙ୍ଗୀରରେ କ୍ୱାକ୍ ସାମ୍ରାଜ୍ୟର ‘ଡେଥ୍ ଜୋନ୍’: ହଳଦୀ ପରେ ଏବେ ରେଙ୍ଗାଲି, ସ୍ୱାସ୍ଥ୍ୟ ସେବା ନାଁରେ କେତେ ନେବେ ବଳି?
ବଲାଙ୍ଗୀର,୩୦।୫: ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସାରା ଜିଲ୍ଲା ଉଠୁଛି ପଡୁଛି, ପ୍ରଶାସନର ‘ଏନଫୋର୍ସମେଣ୍ଟ ଟିମ୍’ ତଦନ୍ତ ରିପୋର୍ଟ କାଗଜପତ୍ରରେ ଦାଖଲ କରୁଛି, ଆଉ ଠିକ୍ ସେତିକି ବେଳେ ବଲାଙ୍ଗୀରରୁ ଆସିଛି ଆଉ ଏକ ସାଙ୍ଘାତିକ ଖବର। ହଳଦୀ ଗାଁର ମସିହା ନଶୁଖୁଣୁ ଗତକାଲି ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ରେଙ୍ଗାଲି ଗ୍ରାମରେ ଆଉ ଜଣେ ନିରୀହ ରୋଗୀ ଜଣେ ସ୍ଥାନୀୟ କ୍ୱାକ୍ର ଭୂଲ୍ ଚିକିତ୍ସାର ଶିକାର ହୋଇ ଜୀବନ ହରାଇଥିବା ଅଭିଯୋଗ ହୋଇଛି। ଏହା କେବଳ ସଂଯୋଗ ନୁହେଁ, ବରଂ ଜିଲ୍ଲାର ଗଳିକନ୍ଦିରେ ଚାଲିଥିବା ‘ମରଣର ବ୍ୟବସାୟ’ର ଜ୍ୱଳନ୍ତ ପ୍ରମାଣ।
ମୁରିବାହାଲର ହଳଦୀ ଗାଁ ହେଉ କି ପାଟଣାଗଡ଼ର ରେଙ୍ଗାଲି— ସବୁଠି ଚିତ୍ର ସମାନ। ସରକାରୀ ସ୍ୱାସ୍ଥ୍ୟ ସେବାର ଅଭାବ ଏବଂ ପ୍ରଶାସନିକ ଶିଥିଳତାର ସୁଯୋଗ ନେଇ ଏହି ନକଲି ଡାକ୍ତରମାନେ ଗାଁ ଗାଁରେ ନିଜର ଯମଦୂତ ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ହଳଦୀ ଗାଁର ଅଭିଯୁକ୍ତ କ୍ୱାକ୍ ଟୁନୁ ବଗର୍ତ୍ତୀଙ୍କ ଙ୍କ ଭୂଲ୍ ଇଞ୍ଜେକ୍ସନ ଯୋଗୁଁ କର୍ଲାପିଟା ଗାଁର ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ସିଡିଏମ୍ଓ(CDMO)ଙ୍କ ନିକଟରେ ରିପୋର୍ଟ ଦାଖଲ ହେବା ଭିତରେ ରେଙ୍ଗାଲି ଗାଁରେ ଆଉ ଜଣେ ନକଲି ଡାକ୍ତର କ୍ୱାକ୍ ଙ୍କ ରୋଗୀ ସେବା ଯୋଗୁଁ ସେଠାକାର ଜଣେ ନିରୀହ ରୋଗୀଙ୍କ ଜୀବନ ଚାଲିଯିବା ସ୍ପଷ୍ଟ କରୁଛି ଯେ, ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଏହି କ୍ୱାକ୍ ମାନେ ତିଳେମାତ୍ର ଭୟ କରୁନାହାନ୍ତି।
ହଳଦୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ କ୍ୱାକ୍ ଗଣମାଧ୍ୟମ ସାମ୍ନାରେ କିଛି ‘ତଥାକଥିତ ସାମ୍ବାଦିକ’ଙ୍କ ନାଁ ନେଇ ଖୋଲାଖୋଲି କହିଥିଲା— “କେହି ଫୋନ୍ କଲେ ଆମକୁ ଜଣାଇବ”। ଏହି ବୟାନ ଏବଂ ମୃତଦେହକୁ ବାଇକରେ ବୋହି ଫିଙ୍ଗିଦେବା ପରେ ମୁହଁ ବନ୍ଦ ରଖିବାକୁ ୧ ଲକ୍ଷ ଟଙ୍କାର ‘ଡିଲ୍’ କରିବା ପଛରେ ଥିବା ପ୍ରଭାବଶାଳୀ ମଧ୍ୟସ୍ଥିମାନଙ୍କର ପ୍ରକୃତ ଚେହେରା ଏବେ ସାମ୍ନାକୁ ଆସିବା ଦରକାର। ରେଙ୍ଗାଲି ଗ୍ରାମର ଘଟଣା ପଛରେ ମଧ୍ୟ ଏଭଳି କୌଣସି ଦଲାଲ ସିଣ୍ଡିକେଟ୍ କାମ କରୁଛି କି, ତାହାର ବି ଖୋଳତାଡ଼ ହେବା ଜରୁରୀ।
ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଥବୀର ମେହେର ଏବଂ ପୋଲିସଙ୍କୁ ନେଇ ‘ଏନଫୋର୍ସମେଣ୍ଟ ଟିମ୍’ ଗଠନ ହୋଇ ତଦନ୍ତ ଚାଲିଥିବା ବେଳେ, ପାଟଣାଗଡ଼ର ରେଙ୍ଗାଲିରେ କେମିତି ଆଉ ଜଣେ କ୍ୱାକ୍ ସର୍ବସାଧାରଣରେ ଜୀବନ ନେଇଗଲା?
ପ୍ରମାଣ ନଷ୍ଟର ଚେଷ୍ଟା ଏବଂ ଲଗାତାର ଜୀବନହାନି ପରେ ବି ପୋଲିସ ଏହି ନକଲି କ୍ଲିନିକ୍ ଏବଂ ବେଆଇନ ମେଡିକାଲ ଷ୍ଟୋର ଗୁଡ଼ିକ ଉପରେ ଜିଲ୍ଲାବ୍ୟାପୀ ଚଢ଼ାଉ କାହିଁକି କରୁନାହିଁ?ଗରିବ, ଅସହାୟ ଏବଂ ନିରୀହ ଗ୍ରାମବାସୀ। ସହରକୁ ଆସି ଚିକିତ୍ସିତ ହେବାର ସାମର୍ଥ୍ୟ ନଥିବାରୁ ଏହି ଗ୍ରାମୀଣ ଜନତା ଆଜି ରେଙ୍ଗାଲି ଏବଂ ହଳଦୀ ଭଳି ଗାଁ ମାନଙ୍କରେ କ୍ୱାକ୍ମାନଙ୍କ ହାବୁଡ଼ରେ ପଡ଼ି ଜୀବନ ହରାଉଛନ୍ତି।
ବଲାଙ୍ଗୀର ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଏବେ କୋମାରେ। ହଳଦୀ ଏବଂ ରେଙ୍ଗାଲିର ଦୁଇଟି ଯାକ ସାଙ୍ଘାତିକ ଘଟଣା ପ୍ରଶାସନର ଆଖି ଖୋଲିଦେବା ପାଇଁ ଯଥେଷ୍ଟ। ଯଦି ବର୍ତ୍ତମାନ ସୁଦ୍ଧା ଜିଲ୍ଲାପାଳ ଏବଂ ସିଡିଏମ୍ଓ (CDMO) କଠୋର ଆଭିମୁଖ୍ୟ ଗ୍ରହଣ କରି ସାରା ଜିଲ୍ଲାରୁ ଏହି କ୍ୱାକ୍ ସିଣ୍ଡିକେଟ୍କୁ ଉପାଡ଼ି ନଫିଙ୍ଗନ୍ତି, ତେବେ ଆଗାମୀ ଦିନରେ ବଲାଙ୍ଗୀରବାସୀ ପ୍ରଶାସନକୁ କେବେ ମାଫ୍ କରିବେ ନାହିଁ। ଦେଖିବାକୁ ବାକି ରହିଲା, ଏହି ଦୁଇ ପୀଡ଼ିତ ପରିବାରକୁ ନ୍ୟାୟ ମିଳୁଛି ନା ସଫେଦ ପୋଷାକଧାରୀଙ୍କ ଚାପରେ ସତ୍ୟ ପୋତି ହୋଇଯାଉଛି।

