ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ‘ଯମଦୂତ’ ସାଜିଛନ୍ତି କ୍ୱାକ୍: ମୃତ୍ୟୁ ପରେ ସତ୍ୟକୁ ଚାପିବାକୁ ‘ଡିଲ୍’, କାହା ଛତ୍ରଛାୟା ରେ ଚାଲିଛି ମରଣର ବେପାର ?
ବଲାଙ୍ଗୀର, ୩୧।୫: ଜଣେ ଅସହାୟ ବୃଦ୍ଧାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇ ମାରିଦେବା ପରେ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। କିନ୍ତୁ ଏହି ଘଟଣା କେବଳ ଏକ ‘ଚିକିତ୍ସା ଅବହେଳା’ ନୁହେଁ, ବରଂ ଏହା ପଛରେ ଥିବା ଏକ ବଡ଼ ଧରଣର ଅପରାଧିକ ସିଣ୍ଡିକେଟ୍କୁ ପଦାରେ ପକାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିଜ ଜିଲ୍ଲାରେ ଜଣେ ନକଲି ଡାକ୍ତର (କ୍ୱାକ୍)ର ଏଭଳି ଦୁଃସାହସ ଏବଂ ତାକୁ ସୁରକ୍ଷା ଦେଉଥିବା କିଛି ମୁଖାପିନ୍ଧା କଥାକଥିତ ତଥା ଆତ୍ମଘୋଷିତ ବରିଷ୍ଠ ସାମ୍ବାଦିକଙ୍କ ଭୂମିକା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
ଘଟଣାଟି ଯେତିକି ଦୁଃଖଦାୟକ, ତା’ଠୁ ଅଧିକ ଭୟଙ୍କର ହେଉଛି ଅଭିଯୁକ୍ତର କାର୍ଯ୍ୟକଳାପ। ବୃଦ୍ଧାଙ୍କ ମୃତ୍ୟୁ ପରେ ମୃତଦେହକୁ ବାଇକ୍ରେ ବସାଇ ନେଇ ଘର ଆଗରେ ଫିଙ୍ଗିଦେବା କ’ଣ ସଭ୍ୟ ସମାଜର ଲକ୍ଷଣ ? ମୃତକଙ୍କ ପରିବାର ଲୋକଙ୍କୁ ମୁହଁ ବନ୍ଦ ରଖିବା ପାଇଁ ୧ ଲକ୍ଷ ଟଙ୍କାର ‘ଡିଲ୍’ ପ୍ରସ୍ତାବ ଦିଆଯିବା ପ୍ରମାଣ କରୁଛି ଯେ, ଅଭିଯୁକ୍ତ କ୍ୱାକ୍ ଟୁନୁ ବଗର୍ତ୍ତୀର ପଛରେ କେଉଁ ପ୍ରଭାବଶାଳୀ ଗୋଷ୍ଠୀର ହାତ ରହିଛି ?
ଅଭିଯୁକ୍ତ କ୍ୱାକ୍ ଗଣମାଧ୍ୟମ ଆଗରେ ନିର୍ଭୟରେ ୨ ଜଣ ତଥାକଥିତ ସାମ୍ବାଦିକଙ୍କ ନାମ ନେବା ସହ “କେହି ଫୋନ୍ କଲେ ଆମକୁ ଜଣାଇବ” ବୋଲି କହିବା ସାମ୍ବାଦିକତା ପେଶାକୁ କଳଙ୍କିତ କରିଛି।
ଏଠି ପ୍ରଶ୍ନ ଉଠିଛି ଉକ୍ତ ଘଟଣାରେ ଏହି ୨ ଜଣ କଥାକଥିତ ସାମ୍ବାଦିକ ଅଭିଯୁକ୍ତ ଠାରୁ କେତେ ଟଙ୍କା ନେଇଛନ୍ତି କିମ୍ବା କେଉଁ ସ୍ୱାର୍ଥରେ ଉକ୍ତ ଘଟଣାକୁ ଚାପି ଦେବାକୁ ଏଭଳି ହୀନ ଉଦ୍ୟମ କରିଛନ୍ତି ?
କେଉଁ ଆଧାରରେ ଜଣେ ଅପରାଧୀ ଏଭଳି ଦମ୍ଭର ସହ ଗଣମାଧ୍ୟମର ନାମ ନେଉଛି?
ବଲାଙ୍ଗୀର ସିଡିଏମ୍ଓ (CDMO) ପୁଷ୍ପାଞ୍ଜଳି ମିଶ୍ରଙ୍କ ନିର୍ଦ୍ଦେଶରେ ଏନଫୋର୍ସମେଣ୍ଟ ଟିମ୍ ତଦନ୍ତ କରି ରିପୋର୍ଟ ଦାଖଲ କରିସାରିଛି। ମାତ୍ର ସାଧାରଣରେ ଆଶଙ୍କା ପ୍ରକାଶ ପାଉଛି ଯେ, ମଧ୍ୟସ୍ଥି ମାନଙ୍କ ଚାପରେ ଏହି ରିପୋର୍ଟ ଥଣ୍ଡା ବାକ୍ସକୁ ଚାଲିଯିବ ନାହିଁ ତ?
ଏଭଳି ଏକ ସଙ୍ଗୀନ ଅପରାଧିକ ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଜେଲ୍ ହାଜତକୁ ପଠାଯିବା ଦରକାର।
ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ସ୍ୱାସ୍ଥ୍ୟସେବା ନାଁରେ ଯମରାଜ ମାନେ ବୁଲୁଛନ୍ତି, ତେବେ ଲୋକେ କାହା ଉପରେ ଭରସା କରିବେ? ଗାଁ ଗାଁରେ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଏହି ବେଆଇନ କ୍ଲିନିକ୍ ଓ ନକଲି ଡାକ୍ତରଙ୍କ ସାମ୍ରାଜ୍ୟ ଉପରେ ସରକାର କେବେ ବୁଲଡୋଜର ଚଢ଼ାଇବେ ?
ଉକ୍ତ ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହଲିଙ୍ଗ୍ ଙ୍କୁ ଆପଣ ଏହି ଘଟଣା ବାବଦରେ ଅବଗତ ଅଛନ୍ତି କି ବୋଲି ପଚାରିବାରୁ “ମୁଁ କଣ ହେଇଛି ପଚାରି କହୁଛି ” ବୋଲି କହିଛନ୍ତି ।
ଟଙ୍କା ବଦଳରେ ଜୀବନର ସଉଦା କରୁଥିବା ଏହି କ୍ୱାକ୍ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ‘ମୁଖାପିନ୍ଧା’ ଦଲାଲ ମାନଙ୍କୁ ସମାଜ ଆଗରେ ନଗ୍ନ କରିବା ଜରୁରୀ। ପ୍ରଶାସନ ଯଦି ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନିଏ, ତେବେ ଆଗାମୀ ଦିନରେ ଏହା ଆହୁରି ଅନେକ ନିରୀହ ଜୀବନ ନେବାରେ ସାହାଯ୍ୟ କରିବ।

