ନିର୍ଭୁଲ ଭୋଟର ତାଲିକା ପାଇଁ ବଲାଙ୍ଗିର ପ୍ରଶାସନର ବଡ଼ ପଦକ୍ଷେପ: ବ୍ରାଣ୍ଡ ଆମ୍ବାସେଡର ହେଲେ ଅନ୍ତର୍ଜାତୀୟ ପାରା ତୀରନ୍ଦାଜ ପାୟଲ ନାଗ
ବଲାଙ୍ଗିର,୨।୫: ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାରେ ସ୍ୱତନ୍ତ୍ର ସଦନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଜୋରଦାର ହୋଇଛି। ଏହି ଅଭିଯାନ ମାଧ୍ୟମରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକ୍ରିୟାକୁ ଜନସାଧାରଣଙ୍କ ନିକଟରେ ଅଧିକ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପାରା ତୀରନ୍ଦାଜ ଖେଳାଳି ପାୟଲ ନାଗଙ୍କୁ ଜିଲ୍ଲାର ‘ବ୍ରାଣ୍ଡ ଆମ୍ବାସେଡର’ ଭାବେ ନିଯୁକ୍ତ କରାଯାଇଛି।
ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଆନୁଷ୍ଠାନିକ ଭାବେ ପାୟଲଙ୍କ ନାମ ଘୋଷଣା କରିବା ସହ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ କରିଛନ୍ତି। ପାୟଲଙ୍କ ସଂଘର୍ଷମୟ ଜୀବନ ଓ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଥିବାରୁ, ତାଙ୍କ ଜରିଆରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ପାୟଲ ନିଜେ ପରିଗଣନା ଫର୍ମ ପୂରଣ କରି ଅଭିଯାନର ଶୁଭାରମ୍ଭ କରିବା ସହ ଜିଲ୍ଲାପାଳଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦାଦନ ଶିଶୁ ଭାବେ ନିଜ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଦୁର୍ଭାଗ୍ୟବଶତଃ ଦିବ୍ୟାଙ୍ଗ ସାଜିଥିବା ପାୟଲ କେବେ ହାର ମାନିନାହାନ୍ତି। ନିଜର କଠିନ ପରିଶ୍ରମ ବଳରେ ସେ ଜଣେ ଅନ୍ତର୍ଜାତୀୟ ପାରା ଅଲମ୍ପିଆନ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ସେ ଅତ୍ୟନ୍ତ ଉତ୍ସାହିତ ଥିବା କହିଛନ୍ତି।
ବ୍ରାଣ୍ଡ ଆମ୍ବାସେଡର ଭାବେ ପାୟଲ ସମସ୍ତ ଜିଲ୍ଲାବାସୀଙ୍କୁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ବିଶେଷ କରି ୧୮ ବର୍ଷରୁ ଅଧିକ ବୟସର ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜିକରଣ କରିବା, ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ଏବଂ ନାମ ଓ ଠିକଣା ସଂଶୋଧନ ପାଇଁ ସଠିକ ତଥ୍ୟ ପ୍ରଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ, ଡେପୁଟି କଲେକ୍ଟର (ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଅଧିକ ପରିଗଣନା ଫର୍ମ ବଣ୍ଟନ ସରିଥିବା ବେଳେ ବିଏଲଓ (BLO) ମାନେ ଏହି କାର୍ଯ୍ୟକୁ ଅଧିକ ସ୍ୱଚ୍ଛତାର ସହ ସମ୍ପାଦନ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

