Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ମରଣର ବ୍ୟବସାୟ: କ୍ୱାକ୍‌ଙ୍କ କବ୍‌ଜାରେ ଜିଲ୍ଲା, ଗୋଟିଏ ମାସ ଭିତରେ ଗଲାଣି ୩ ନିରୀହ ଜୀବନ, ପ୍ରଶାସନ କୋମାରେ ।

ବଲାଙ୍ଗୀର,୪।୬: ବଲାଙ୍ଗୀର ଜିଲ୍ଲାରେ ମଣିଷ ଜୀବନର ମୂଲ୍ୟ ଯେମିତି କିଛି ନାହିଁ। ଜିଲ୍ଲାର ଗଳିକନ୍ଦିରେ ଜାଲ ବିଛାଇଥିବା ‘ଜମଦୂତ’ ସଦୃଶ କ୍ୱାକ୍ ବା ନକଲି ଡାକ୍ତରମାନେ ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ନେଇ ଚାଲିଥିବା ବେଳେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନ କେବଳ ‘ଫାଇଲ୍’ କାମରେ ବ୍ୟସ୍ତ। ହଳଦୀ ଗାଁର ମସିହା ନଶୁଖୁଣୁ ଗତ ସପ୍ତାହ ତଳେ ପାଟଣାଗଡ଼ର ରେଙ୍ଗାଲି ପରେ ଆଜି ପୁଣି ମୁରିବାହାଲର ଅଏଁଲାଭଟା ଗ୍ରାମରୁ ଆସିଥିବା ସାଙ୍ଘାତିକ ଖବର ସାରା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି।
ଗୋଟିଏ ଜିଲ୍ଲା: ତିନି ମୃତ୍ୟୁ, ଶୈଳୀ ସମାନ ।
ଗତ ମେ’ ୧୦ ତାରିଖରେ ମୁରିବାହାଲ ବ୍ଲକ କର୍ଲାପିଟା ଗାଁର ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ଘଟଣାରେ ପ୍ରଶାସନର ‘ଏନଫୋର୍ସମେଣ୍ଟ ଟିମ୍’ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ, ଗତ ୨୯ ମେ’ ପାଟଣାଗଡ଼ ବ୍ଲକ ରେଙ୍ଗାଲି ଗ୍ରାମରେ ଜଣେ କ୍ୱାକ୍‌ଙ୍କ ଭୁଲ୍ ଚିକିତ୍ସାରେ ଆଉ ଜଣେ ରୋଗୀ ପ୍ରାଣ ହରାଇଛନ୍ତି। ଠିକ୍ ସେହିପରି ଆଜି ମୁରିବାହାଲ ଥାନା ଅଏଁଲାଭଟା ଗ୍ରାମର ଦକ୍ଷଣ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଲିମପରା ଗାଁର କ୍ୱାକ୍ ଶ୍ୟାମ ସାହୁଙ୍କ ‘ମରଣାନ୍ତକ ଇଞ୍ଜେକ୍ସନ’ର ଶିକାର ହୋଇଛନ୍ତି। କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁଣି ଥରେ ପ୍ରଶାସନର ନିଦ ହଜିଛି।
ହଳଦୀ ଗାଁର ଅଭିଯୁକ୍ତ କ୍ୱାକ୍ ଟୁନୁ ବଗର୍ତ୍ତୀ ଗଣମାଧ୍ୟମ ସାମ୍ନାରେ କିଛି ‘ତଥାକଥିତ ସାମ୍ବାଦିକ’ ଓ ମଧ୍ୟସ୍ଥିଙ୍କ ସମ୍ପର୍କରେ ଯେଉଁ ଖୁଲାସା କରିଥିଲା, ତାହା ଏକ ବଡ଼ ଦଲାଲ ସିଣ୍ଡିକେଟ୍ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମୃତଦେହକୁ ବାଇକରେ ବୋହି ଫିଙ୍ଗିଦେବା ଏବଂ ମୁହଁ ବନ୍ଦ ରଖିବାକୁ ୧ ଲକ୍ଷ ଟଙ୍କାର ‘ଡିଲ୍’ କରିବା ପଛରେ ଥିବା ପ୍ରଭାବଶାଳୀ ଚେହେରା ଗୁଡ଼ିକ କିଏ? କାହିଁକି ଏହି ନକଲି କ୍ଲିନିକ ଓ ବେଆଇନ ମେଡିକାଲ ଷ୍ଟୋର ଗୁଡ଼ିକ ଉପରେ ଜିଲ୍ଲାବ୍ୟାପୀ ଚଢ଼ାଉ କରାଯାଉ ନାହିଁ?
ଜିଲ୍ଲାରେ ଜଣକ ପରେ ଜଣେ ରୋଗୀ କ୍ୱାକ୍‌ଙ୍କ ଶିକାର ହେଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଆଭିମୁଖ୍ୟ ଜନସାଧାରଣଙ୍କୁ ନିରାଶ କରିଛି। ପୂର୍ବରୁ ଘଟଣା ବାବଦରେ ଅବଗତ ଅଛନ୍ତି କି ବୋଲି ପଚାରିବାରୁ “ବୁଝିକି କହୁଛି” କହିବା ଏବଂ ପରବର୍ତ୍ତୀ ସମୟରେ ବାରମ୍ବାର କଲ୍ କଲେ ମଧ୍ୟ ରିସିଭ୍ ନକରିବା ମନ୍ତ୍ରୀଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଜିଲ୍ଲାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ୱ କରୁଛନ୍ତି, ସେଠାରେ ସ୍ୱାସ୍ଥ୍ୟ ସେବା କୋମାରେ ରହିବା ଦୁର୍ଭାଗ୍ୟଜନକ।
ପ୍ରଶ୍ନ ଉଠୁଛି :
ଆଉ କେତେ ଜୀବନ ଗଲେ ପ୍ରଶାସନର ନିଦ ଭାଙ୍ଗିବ?
ତହସିଲଦାର, ସିଡିଏମ୍ଓ ଏବଂ ପୋଲିସକୁ ନେଇ ଗଠିତ ‘ଏନଫୋର୍ସମେଣ୍ଟ ଟିମ୍’ କେବଳ କାଗଜପତ୍ରରେ ସୀମିତ କି? ଯଦି ତଦନ୍ତ ଚାଲିଛି, ତେବେ କ୍ୱାକ୍‌ମାନେ ଏତେ ନିର୍ଭୟରେ ପୁଣି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି କେମିତି?
ଏସବୁ ଘଟଣାରେ ତୁରନ୍ତ ସାରା ଜିଲ୍ଲାରେ ଥିବା ବେଆଇନ କ୍ଲିନିକ ଓ ଔଷଧ ଦୋକାନ ଉପରେ ଚଢ଼ାଉ କରାଯାଇ କ୍ୱାକ୍‌ମାନଙ୍କୁ ସୁରକ୍ଷା ଦେଉଥିବା ଦଲାଲ ମାନଙ୍କୁ ଗିରଫ କରାଯାଉ ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ବୁଦ୍ଧିଜୀବୀ ଦାବୀ କରିଛନ୍ତି ।
ଯଦି ଜିଲ୍ଲାପାଳ ଏବଂ ସିଡିଏମ୍ଓ କଠୋର ଆଭିମୁଖ୍ୟ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ‘ମରଣର ବ୍ୟବସାୟ’ ବଲାଙ୍ଗୀରର ଗାଁ ଗାଁକୁ ଶ୍ମଶାନରେ ପରିଣତ କରିଦେବ। ଦେଖିବାକୁ ବାକି ରହିଲା, ସଫେଦ ପୋଷାକଧାରୀଙ୍କ ଚାପରେ ସତ୍ୟ ପୋତି ହୋଇଯାଉଛି ନା ଗରିବ ନିରୀହ ଜନତାଙ୍କୁ ନ୍ୟାୟ ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories