ବଲାଙ୍ଗୀର ମୁରିବାହାଲରେ ଜଳ ପ୍ରକଳ୍ପ ନାଁରେ ଜଳଜଳ ଦୁର୍ନୀତି: କୂଅ କାନ୍ଥରେ ସିମେଣ୍ଟ ବଦଳରେ କୁଟା ଓ ବସ୍ତା !
ବଲାଙ୍ଗୀର,୪।୬: ରାଜ୍ୟ ସରକାର ପ୍ରତିଟି ଗାଁକୁ ପାନୀୟ ଜଳ ଯୋଗାଇବା ପାଇଁ ପାଣି ପରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ସରକାରୀ ଯୋଜନାକୁ ବାଟମାରଣା କରାଯାଉଥିବାର ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଲକି ଗ୍ରାମପଞ୍ଚାୟତର ବାଙ୍କେଲ ଗାଁରେ ନିର୍ମାଣାଧୀନ ଜଳ ପ୍ରକଳ୍ପରେ ଯେଉଁଭଳି ଦୁର୍ନୀତି ହୋଇଛି, ତାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।
ପାଇପ୍ ଯୋଗେ ଗ୍ରାମ୍ୟ ଜଳ ଯୋଗାଣ ପାଇଁ ନିର୍ମାଣ ହେଉଥିବା କୂଅରେ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ସବୁ ସୀମା ପାର୍ କରିଯାଇଛି। କୂଅର କାନ୍ଥ ମଧ୍ୟରେ ସିମେଣ୍ଟ ଓ ବାଲିର ମିଶ୍ରଣ ବଦଳରେ ପୁରୁଣା ସିମେଣ୍ଟ ବସ୍ତା ଏବଂ କୁଟା ଭର୍ତ୍ତି କରାଯାଇ ତା’ ଉପରେ ପ୍ଲାଷ୍ଟରିଂ କରି ଦୁର୍ନୀତିକୁ ଲୁଚାଇବାକୁ ପ୍ରୟାସ କରାଯାଇଛି। କଂକ୍ରିଟରେ ସିମେଣ୍ଟର ଭାଗ ଏତେ ନଗଣ୍ୟ ଯେ, କାଠିରେ ଘଷିଲେ ବାଲି ଓ ସିମେଣ୍ଟ ଝଡ଼ି ପଡ଼ି ଭିତରେ ଥିବା ଲୁହାଛଡ଼ ଦେଖାଯାଉଛି।
ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଠିକାଦାର ସୁକଦେବ ତାଣ୍ଡି ନିଜ ମନମାନିରେ ଅତି ନିମ୍ନମାନର କାମ କରୁଛନ୍ତି। କାର୍ଯ୍ୟର ମାନକୁ ନେଇ ଲୋକେ ପ୍ରଶ୍ନ କଲେ, ଠିକାଦାର ଓ ଶ୍ରମିକମାନେ ଓଲଟା ଯୁକ୍ତିତର୍କ କରି ଗ୍ରାମବାସୀଙ୍କୁ ଅପମାନିତ କରୁଛନ୍ତି। ଧଳା ହାତୀ ସାଜିଥିବା ଏହି ପ୍ରକଳ୍ପ ସ୍ଥଳରେ କୌଣସି ସୂଚନା ଫଳକ (Information Board) ମଧ୍ୟ ଲଗାଯାଇ ନାହିଁ। ପ୍ରଶ୍ନ ଉଠୁଛି, କାମ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ (JE) କିମ୍ବା ଏସଡିଓ (SDO) କୁଆଡ଼େ ଯାଇଥିଲେ? ସେମାନଙ୍କ ଅନୁପସ୍ଥିତି ଓ ନିରବତା କ’ଣ ପିସି (PC) କାରବାରର ସଙ୍କେତ ନୁହେଁ କି?
ଏହି ଦୁର୍ନୀତି ବାବଦରେ ଯେତେବେଳେ ମୁରିବାହାଲ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ବିଶ୍ୱଜିତ୍ ଜେନାଙ୍କୁ ପଚାରିବାରୁ ସେ ଅଜବ କଥା କହିଛନ୍ତି। ପ୍ରକଳ୍ପ ପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି ତାହା ତାଙ୍କର ‘ମନେ ନାହିଁ’ ବୋଲି ସେ କହିଛନ୍ତି। ସେହିପରି ଏସଡିଓ ରାକେଶ କୁମାର ମଧ୍ୟ ଅଟକଳ ପରିମାଣ ଜାଣିନାହାନ୍ତି ଏବଂ ଏବେ ସୂଚନା ଫଳକ ଲଗାଇବା ପାଇଁ ଠିକାଦାରଙ୍କୁ କହିବେ ବୋଲି କହି ନିଜ ଦାୟିତ୍ୱ ସାରିଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦୁର୍ନୀତିର ଚେର କେତେ ଗଭୀରକୁ ଯାଇଛି, ତାହା ସ୍ପଷ୍ଟ କରୁଛି।
“ଏହା କେବଳ ଅବହେଳା ନୁହେଁ, ବରଂ ଜନସାଧାରଣଙ୍କ ଜୀବନ ସହ ଖେଳ। ଠିକାଦାର ଏବଂ ବିଭାଗୀୟ ଅଧିକାରୀ ନିଜ ପକେଟ ଗରମ କରିବା ପାଇଁ ଗାଁ ଲୋକଙ୍କୁ ମରଣ ଯନ୍ତାକୁ ଠେଲି ଦେଉଛନ୍ତି।” ବାଙ୍କେଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ତେବେ ଏହି ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ସହ ଠିକାଦାର ସୁକଦେବ ତାଣ୍ଡି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଯନ୍ତ୍ରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ତୁରନ୍ତ ଏହାର ସମାଧାନ ନହୁଏ, ତେବେ ଆଗାମୀ ଦିନରେ ବାଙ୍କେଲ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

