ଟିଟଲାଗଡ଼ରେ ଭୟାବହ ଅଗ୍ନିକାଣ୍ଡ: ଏସି ବ୍ଲାଷ୍ଟ୍ ହୋଇ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ ।
ବଲାଙ୍ଗୀର,୪।୬: ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ସହରରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ସହରର ୧୨ ନମ୍ବର ୱାର୍ଡ ତଥା କଟକିଆ ପଡ଼ାରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ପରିବାରର ସର୍ବସ୍ୱ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧ ଟା ସମୟରେ ଟିଟିଲାଗଡ କଟକିଆ ପଡ଼ାରେ ଥିବା ଏକ ଘର ଉପର ଦେଇ ଯାଇଥିବା ହାଇଭୋଲ୍ଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ହଠାତ୍ ଘରର ଏସି (AC) ଆସିଯାଇଥିଲା। ଏହାଫଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ଏସିଟି ବ୍ଲାଷ୍ଟ୍ ହୋଇଥିଲା। ବିସ୍ଫୋରଣ ପରେ ପରେ ନିଆଁ ସମଗ୍ର ଘରକୁ ବ୍ୟାପି ଯାଇଥିଲା।
ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, ନିମିଷକ ମଧ୍ୟରେ ଘରେ ଥିବା ସମସ୍ତ ଆସବାବପତ୍ର ଓ ଆବଶ୍ୟକୀୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘର ଭିତରୁ ବାହାରୁଥିବା ପ୍ରବଳ କଳା ଧୂଆଁରେ ସମଗ୍ର ଅଞ୍ଚଳ ଆତଙ୍କିତ ହୋଇପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଲୋକେ ତୁରନ୍ତ ଘର ଭିତରକୁ ଯିବାକୁ ସାହସ କରି ପାରିନଥିଲେ।
ତେବେ ଏହି ବଡ଼ ଦୁର୍ଘଟଣାରେ ଏକ ବଡ଼ ବିପତ୍ତି ଟଳିଯାଇଛି। ନିଆଁ ଲାଗିବା ସମୟରେ ପରିବାରର ସମସ୍ତ ସଦସ୍ୟ ତୁରନ୍ତ ଘରୁ ବାହାରକୁ ଚାଲି ଆସିଥିବାରୁ ସମସ୍ତେ ସୁରକ୍ଷିତ ଅଛନ୍ତି।
ଖବର ପାଇ ଟିଟଲାଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ବେଶ୍ କିଛି ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରାଯାଇଛି। ସହର ମଧ୍ୟଭାଗରେ ଏଭଳି ଅଗ୍ନିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

