କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ: ଦୁର୍ନୀତି ବିରୋଧରେ ନିଦ ଭାଙ୍ଗିବାକୁ ଚାଲିଲା ‘ଘଣ୍ଟ ବାଦ୍ୟ’ ପ୍ରତିବାଦ ।
ବଲାଙ୍ଗୀର,୪।୬: ପ୍ରଶାସନିକ ସ୍ଥାଣୁତା ଓ ଦୁର୍ନୀତିର ଚରମ ସୀମା! ଯେତେବେଳେ ଜନସାଧାରଣଙ୍କ ସ୍ୱର ଶୁଣିବାକୁ ସରକାରୀ ବାବୁମାନଙ୍କ କାନରେ ବତା ବାଜେନାହିଁ, ସେତେବେଳେ ଜନତାଙ୍କୁ ଆପଣାଇବାକୁ ପଡ଼େ ଭିନ୍ନ ପନ୍ଥା। ଏଭଳି ଏକ ଅଭାବନୀୟ ତଥା ଅଭିନବ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ଧୁମାଭଟା ପଞ୍ଚାୟତରେ।
ସୂଚନା ଅନୁଯାୟୀ, ଏହି ପଞ୍ଚାୟତରେ ବ୍ୟାପକ ମାଲମାଲ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବାରମ୍ବାର ଦାବିପତ୍ର ଦିଆଯାଇଥିଲେ ହେଁ, ପ୍ରଶାସନ ସତେ ଯେମିତି ଆଖିରେ ଅନ୍ଧପୁଟୁଳି ଓ କାନରେ ତୁଳା ଗୁଞ୍ଜି ବସିରହିଛି। ପ୍ରଶାସନର ଏହି ନିଦାବିଷ୍ଣୁ ମନୋଭାବ ବିରୁଦ୍ଧରେ ଏବେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପ୍ରଶାସନର ଏହି କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ସ୍ଥାନୀୟ ଜଳିଆ ଗାଁର ସମାଜସେବୀ ସିପୁନ ଖମାରୀ ଓ ପଞ୍ଚାୟତବାସୀ ଏକ ଶାଣିତ ପ୍ରତିବାଦର ରାସ୍ତା ଆପଣାଇଛନ୍ତି। ହାତରେ ଘଣ୍ଟ ଧରି ଜୋରସୋରରେ ବଜାଇ ସରକାରୀ କାର୍ଯ୍ୟାଳୟ ପରିସରରେ ସେମାନେ ଏକ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପ୍ରତିବାଦକାରୀଙ୍କ କହିବା କଥା ହେଲା- “ଯଦି ପ୍ରଶାସନ ସାଧାରଣ ଅଭିଯୋଗ ଶୁଣୁନାହିଁ, ତେବେ ଏହି ଘଣ୍ଟ ଗର୍ଜନ ନିଶ୍ଚୟ ସେମାନଙ୍କ ବନ୍ଦ କାନକୁ ଖୋଲିବ ଏବଂ ନିଦ୍ରାଭ୍ରାନ୍ତ ଅଧିକାରୀଙ୍କ ନିଦ ଭାଙ୍ଗିବ।”
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନର ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣଙ୍କ ଟିକସ ପଇସାରେ ଚଳୁଥିବା ଅଧିକାରୀମାନେ କେବେ ନିଜର ନୈତିକ ଦାୟିତ୍ୱ ବୁଝିବେ ଏବଂ ଏହି ମହାଦୁର୍ନୀତିର ନିରପେକ୍ଷ ତଦନ୍ତ ହେବ, ତାହା ଏବେ ଦେଖିବାକୁ ବାକି ରହିଲା।

