Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଳମ୍ବିତ ରାତିରେ ୧୨ ଚକିଆ ଟ୍ରକ ଯୋଗେ ଖଇର କାଠ ଚୋରାଚାଲାଣ : ମୁରିବାହାଲ ବନ ବିଭାଗର ଚଢ଼ାଉ ।

ବଲାଙ୍ଗୀର, ୮।୬ : ଆଜି ବିଳମ୍ବିତ ରାତି ପ୍ରାୟ ୨ ଟାରେ ୧୨ ଚକିଆ ଟ୍ରକ ଯୋଗେ ଖଇର କାଠ ଚୋରାଚାଲାଣ ହେଉଥିବା ସମୟରେ ମୁରିବାହାଲ ବନବିଭାଗକୁ ମିଳିଛି ଏକ ବଡ଼ ସଫଳତା । ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ଖଇର କାଠ ସହ ଏକ ୧୨ ଚକିଆ ଟ୍ରକକୁ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମୁରିବାହଲ ରେଞ୍ଜ ଅନ୍ତର୍ଗତ ଗରେଇ ପଞ୍ଚାୟତର ଡୁମେରମୁଣ୍ଡା ଗ୍ରାମ ନିକଟ ଦେଇ ଏହି କାଠ ଚୋରା ଚାଲାଣ ହେଉଥିବା ନେଇ ବନ ବିଭାଗକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାକୁ ଆଧାର କରି ମୁରିବାହାଲ ବନବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ଅଜିତ ବେହେରା, ଆକାଶ ପ୍ରଧାନଙ୍କ ସମେତ ଆଇପିସିଇଏ (Ipcea) ସ୍କ୍ୱାର୍ଡ ମିଳିତ ଭାବେ ସେଠାରେ ଚଢାଉ କରିଥିଲେ। ଟ୍ରକଟି ସେହି ବାଟ ଦେଇ ଯାଉଥିବା ସମୟରେ ବନ ବିଭାଗ ଟିମ୍ ଏହାକୁ ଅଟକାଇ ଥିଲେ। ତେବେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଚୋରା ଚାଲାଣକାରୀ ମାଫିଆ ଏବଂ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜବତ ହୋଇଥିବା ଖଇର କାଠର ପରିମାଣ ପ୍ରାୟ ୩୧ କ୍ଵିଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ବନ ବିଭାଗ ଗାଡ଼ି ସହ ସମସ୍ତ କାଠକୁ ଜବତ କରିବା ସହ ଫେରାର ମାଫିଆ ଓ ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories