Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ଷକ ସାଜିଲେ ଭକ୍ଷକ: ପାଟଣାଗଡ଼ ଡାକ୍ତରଖାନାରେ ସିକ୍ୟୁରିଟିଙ୍କ ବର୍ବରତା, ଭିଡିଓ ରେକର୍ଡ କରିବାରୁ ଯୁବକଙ୍କୁ ବାଡ଼େଇ ବାଡ଼େଇ କଲେ ଲହୁ ଲୁହାଣ।

ବଲାଙ୍ଗୀର,୯।୬: ଡାକ୍ତରଖାନା ପରିସରରେ ରୋଗୀ ଜଗୁଆଳିଙ୍କ ଗୁଣ୍ଡାରାଜ୍। ସ୍ତ୍ରୀର ଚିକିତ୍ସା ପାଇଁ ଆସିଥିବା ଜଣେ ଅସହାୟ ଯୁବକଙ୍କୁ ବଳପୂର୍ବକ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ସୁରକ୍ଷାକର୍ମୀ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ (SDH) ଆସିଛି ଏଭଳି ଏକ ଅମାନୁଷିକ ତଥା ସମ୍ବେଦନଶୀଳ ଅଭିଯୋଗ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କ ଅନୁପସ୍ଥିତିର ଭିଡିଓ ରେକର୍ଡିଂ କରିବା ସମ୍ପୃକ୍ତ ଯୁବକଙ୍କ ପାଇଁ କାଳ ସାଜିଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ପାଟଣାଗଡ଼ ଥାନା ଅନ୍ତର୍ଗତ ସିଲେଟପରା ଗ୍ରାମର ଭୀମ ସୁନାଙ୍କ ସ୍ତ୍ରୀଙ୍କୁ କୌଣସି ଏକ ବିଷାକ୍ତ ସରୀସୃପ କାମୁଡ଼ି ଦେଇଥିଲା। ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ଆତଙ୍କିତ ଅବସ୍ଥାରେ ଭୀମ ତାଙ୍କୁ ଧରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ମାତ୍ର ଜରୁରୀକାଳୀନ ସମୟରେ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଥିବା ଡାକ୍ତର ଅମ୍ବିତ୍ ବୁଡେକ ନିଜ ଚାମ୍ବରରେ ଅନୁପସ୍ଥିତ ଥିଲେ। ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଙ୍କ ଦେଖା ନମିଳିବାରୁ ଭୀମ ବାଧ୍ୟ ହୋଇ ପ୍ରମାଣ ସ୍ୱରୂପ ନିଜ ମୋବାଇଲ୍‌ ଫୋନରେ ଖାଲି ପଡ଼ିଥିବା ଡାକ୍ତରୀ ଚାମ୍ବରର ଭିଡିଓ ରେକର୍ଡ କରିବା ଆରମ୍ଭ କରିଥିଲେ।
ଭିଡିଓ ରେକର୍ଡିଂ ଚାଲିଥିବା ସମୟରେ ହଠାତ୍ ଡାକ୍ତର ଅମ୍ବିତ୍ ବୁଡେକ ସେଠାରେ ପହଞ୍ଚିଥିଲେ। ନିଜର ଅବହେଳା ଧରାପଡ଼ିଯିବା ଭୟରେ ସେ ଭୀମଙ୍କୁ ତୁରନ୍ତ ସେହି ଭିଡିଓ ଡିଲିଟ୍ କରିବାକୁ ଆଦେଶ ଦେଇଥିଲେ। ମାତ୍ର ଭୀମ ଏଥିରେ ରାଜି ନହେବାରୁ ଉତ୍କ୍ଷିପ୍ତ ହୋଇ ଡାକ୍ତରଖାନାର ସୁରକ୍ଷା ଦାୟିତ୍ୱରେ ଥିବା କିଛି ସିକ୍ୟୁରିଟି କର୍ମୀଙ୍କୁ ପ୍ରୋତ୍ସାହିତ କରିଥିଲେ। ସିକ୍ୟୁରିଟି କର୍ମଚାରୀମାନେ ଭୀମଙ୍କୁ ଜବରଦସ୍ତ ତଳକୁ ଡାକି ନେଇ ପ୍ରଥମେ ତାଙ୍କ ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଭିଡିଓଟିକୁ ଡିଲିଟ୍ କରିଦେଇଥିଲେ। ଏତିକିରେ ସେମାନଙ୍କ ଆକ୍ରୋଶ ଶାନ୍ତ ହୋଇନଥିଲା; ସୁରକ୍ଷାକର୍ମୀମାନେ ସଂଘବଦ୍ଧ ଭାବେ ଲାଠିରେ ଭୀମଙ୍କୁ ନିର୍ମମ ଭାବେ ପିଟିବା ସହ ଲହୁ ଲୁହାଣ କରିଥିଲେ।
ଏନେଇ ପୀଡ଼ିତ ଭୀମ ଙ୍କ ସ୍ତ୍ରୀ “କୌଣସି ଦୋଷ ନଥାଇ ଡାକ୍ତରଖାନାର ସିକ୍ୟୁରୀଟି ମାନେ ମୋ ସ୍ୱାମୀଙ୍କୁ ପଶୁ ଭଳି ଅମାନୁଷିକ ଭାବେ ପିଟିଛନ୍ତି। ଆମେ ଏହାର ନ୍ୟାୟ ଚାହୁଁଛୁ।” ବୋଲି କହିଛନ୍ତି ।
ସିକ୍ୟୁରିଟିଙ୍କ ମାରପିଟ୍ ଓ ଲାଠି ମାଡ଼ରେ ଭୀମଙ୍କ ପିଠି ଏବଂ ଶରୀରର ବିଭିନ୍ନ ସ୍ଥାନରେ କଳା ଚିହ୍ନ ବସିଯାଇଛି। ସେ ଗୁରୁତର ଆହତ ହୋଇ ବର୍ତ୍ତମାନ ସେହି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ହିଁ ଚିକିତ୍ସିତ ହେଉଛନ୍ତି। ଯନ୍ତ୍ରଣାରେ ଯୁବକ ଜଣକ ଛଟପଟ ହେଉଥିବା ବେଳେ ତାଙ୍କ ଶରୀରରେ ହୋଇଥିବା ଗଭୀର ଆଘାତ ସମ୍ପର୍କରେ ଡାକ୍ତରୀ ପ୍ରେସକ୍ରିପସନ୍‌ରେ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି। ସେପଟେ ଡାକ୍ତରଖାନା ପରିସରରେ ପରିବାରର ମହିଳା ଓ ସମ୍ପର୍କୀୟମାନେ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ନ୍ୟାୟ ଭିକ୍ଷା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ସାଧାରଣ ଜନତାଙ୍କୁ ସୁରକ୍ଷା ଓ ସହଯୋଗ ଯୋଗାଇବା ପାଇଁ ମୁତୟନ ଥିବା ସୁରକ୍ଷାକର୍ମୀ କେଉଁ ଆଧାରରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ନିର୍ମମ ଭାବେ ମାଡ ମାରିଲେ ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଡାକ୍ତର ଅମ୍ବିତ୍ ବୁଡେକ ଏବଂ ଆଇନକୁ ହାତକୁ ନେଇଥିବା ଗୁଣ୍ଡା ସଦୃଶ ସିକ୍ୟୁରିଟି କର୍ମଚାରୀଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଢ଼ ଓ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଜନସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories