Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜି: ରକ୍ତର ସଂକଟ ବେଳେ ଆଗେଇ ଆସିଲା ନାରୀଶକ୍ତି, ସଂଗୃହିତ ହେଲା ୩୨ ୟୁନିଟ୍ ରକ୍ତ

ବଲାଙ୍ଗୀର,୯।୫: ବର୍ତ୍ତମାନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତଭଣ୍ଡାରଗୁଡ଼ିକରେ ସୃଷ୍ଟି ହୋଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ କଣ୍ଟାବାଞ୍ଜିଠାରେ ଏକ ମହତ ପ୍ରୟାସ ଦେଖିବାକୁ ମିଳିଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ପରିସରରେ ଅଖିଲ ଭାରତୀୟ ମାରୱାଡ଼ି ଯୁବା ମଞ୍ଚ, ପ୍ରଗତି ଶାଖା ଏବଂ ମାରୱାଡ଼ି ମହିଳା ସମିତିର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ବିଶେଷ ଶିବିରରେ ଦିନ ଦୁଇଟା ସୁଦ୍ଧା ମୋଟ ୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ, ଏଥର ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଆଗେଇ ଆସି ରକ୍ତଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି।
ସାରା ଦେଶରେ ଯୁବା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ‘ମହା ରକ୍ତଦାନ ଅଭିଯାନ’ ଅନ୍ତର୍ଗତ ଓଡ଼ିଶାର ରାଜ୍ୟ ସଂଯୋଜକ ବୀର ଶର୍ମାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଏହିଭଳି ଶିବିରମାନ ଆୟୋଜନ କରାଯାଉଛି। ଏହି କ୍ରମରେ କଣ୍ଟାବାଞ୍ଜିରେ ଯୁବା ମୋହନ ସୋନିଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।
ରକ୍ତଦାନ କ୍ଷେତ୍ରରେ ମହିଳାମାନଙ୍କର ଏଭଳି ସ୍ୱେଚ୍ଛାକୃତ ଏବଂ ଉତ୍ସାହଜନକ ସହଭାଗିତାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବାଗ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମହିଳାମାନଙ୍କର ଏହି ମହତ କାର୍ଯ୍ୟ ସମାଜର ଅନ୍ୟମାନଙ୍କ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ଏବଂ ପ୍ରେରଣାଦାୟୀ ସାବ୍ୟସ୍ତ ହେବ।
ସ୍ଥାନୀୟ ଯୁବା ମଞ୍ଚ ସଭାପତି ଶିବଚନ୍ଦ ଅଗ୍ରୱାଲ, ସମ୍ପାଦକ ଚିରାଗ ଅଗ୍ରୱାଲ, ବିପୁଳ ଆର୍ଯ୍ୟ ଏବଂ ପୁଷ୍ପକାନ୍ତ ଗୋୟଲ।ପ୍ରଗତି ଶାଖା ଅଧ୍ୟକ୍ଷା ରୁଚି ଖଣ୍ଡେଲୱାଲ ଓ ପୂଜା ଅଗ୍ରୱାଲ।
ମହିଳା ସମିତି ଅଧ୍ୟକ୍ଷା ପୁନମ ଖଣ୍ଡେଲୱାଲ ଓ ସମ୍ପାଦିକା ଅନିତା ଡାଲମିଆ। ଏହି ସେବାକାର୍ଯ୍ୟକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏହି ଅବସରରେ କଣ୍ଟାବାଞ୍ଜି ଅଞ୍ଚଳରେ ବିଭିନ୍ନ ସମୟରେ ନିରନ୍ତର ରକ୍ତଦାନ କରି ସମାଜସେବା ଜାରି ରଖିଥିବା ସ୍ଥାନୀୟ ପ୍ରମୁଖ ସଂଗଠନଗୁଡ଼ିକୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିକାଶ ଶାଖା, ତେରାପନ୍ଥ, ପ୍ରେସ କ୍ଲବ, ମା’ ଦ୍ୱାରସନୀ କ୍ଲବ, ସାଇ ଭାଇ କ୍ଲବ, ସାମ୍ବାଦିକ ସଂଘ, ଅଲ୍ ଇଣ୍ଡିଆ ମୋବାଇଲ ବିକ୍ରେତା ସଂଘ, ରାମ ସେନା ଏବଂ ଅଟୋ ୟୁନିୟନ ସଂଘ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।
ଖରାଦିନେ ରକ୍ତର ଘୋର ଅଭାବ ଚାଲିଥିବା ବେଳେ ମାରୱାଡ଼ି ଯୁବା ମଞ୍ଚ ଓ ମହିଳା ସମିତିର ଏହି ମିଳିତ ପ୍ରୟାସ ଏବଂ ମହିଳାମାନଙ୍କର ଅଗ୍ରଣୀ ଭୂମିକାକୁ ସ୍ଥାନୀୟ ଜନସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories