ବାଙ୍କେଲ ଜଳ ପ୍ରକଳ୍ପ ନାଁରେ ମହାଦୁର୍ନୀତି ଘଟଣା ! କାନ୍ଥରେ ସିମେଣ୍ଟ ବଦଳରେ କୁଟା-ବସ୍ତା: ‘ମହାଖୁଲାସା ପରେ ବି ପ୍ରଶାସନ କାହିଁକି ନିରବ ? ତଦନ୍ତ ଭୟରେ ଫୋନ୍ ଉଠାଉନାହାନ୍ତି ଏସଡିଓ ଓ ଯନ୍ତ୍ରୀ
ବଲାଙ୍ଗୀର,୯।୪: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଯୋଜନାରେ ବାଟମାରଣାର ଯେଉଁ ସାଂଘାତିକ ଚିତ୍ର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ଗ୍ରାମପଞ୍ଚାୟତର ବାଙ୍କେଲ ଗାଁରୁ ସାମ୍ନାକୁ ଆସିଛି, ତାହା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। କାଠିରେ ଘଷିଲେ କଂକ୍ରିଟ୍ ଝଡ଼ିବା ଏବଂ କୂଅ କାନ୍ଥ ଭିତରୁ ପୁରୁଣା ସିମେଣ୍ଟ ବସ୍ତା ଓ କୁଟା ବାହାରିବା ଭଳି ସଙ୍ଗୀନ ଦୁର୍ନୀତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏବେ ବିଭାଗୀୟ ସ୍ତରରେ ହଇଚଇ ଆରମ୍ଭ ହୋଇଛି। ହେଲେ ଆଶ୍ଚର୍ଯ୍ୟର ବିଷୟ, ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବାର ଏତେ ସମୟ ପରେ ବି ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଖବର ପ୍ରସାରଣ ପରେ ନିଜ ଦୁର୍ନୀତିର ଚେର ଧରାପଡ଼ିଯିବା ଭୟରେ ଏବେ ମୁରିବାହାଲ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏସଡିଓ ରାକେଶ କୁମାର ଏବଂ କନିଷ୍ଠ ଯନ୍ତ୍ରୀ (JE) ବିଶ୍ୱଜିତ୍ ଜେନା ଗଣମାଧ୍ୟମଠାରୁ ଦୂରେଇ ରହିବା ସହ ଫୋନ୍ ଉଠାଉ ନାହାନ୍ତି। ପୂର୍ବରୁ ପ୍ରକଳ୍ପର ଅଟକଳ ରାଶି ‘ମନେ ନାହିଁ’ କହି ନିଜ ଦାୟିତ୍ୱହୀନତାର ପରିଚୟ ଦେଇଥିବା ଏହି ବାବୁମାନେ ଏବେ ସମ୍ପୂର୍ଣ୍ଣ ଫୋନ୍ ଉଠାଉ ନାହାଁନ୍ତି । ପ୍ରଶ୍ନ ଉଠୁଛି, ଯଦି କାମ ସ୍ଵଚ୍ଛ ହୋଇଛି, ତେବେ ଅଧିକାରୀ ଦୁହେଁ ମୁହଁ ଲୁଚାଉଛନ୍ତି କାହିଁକି? ଗଣମାଧ୍ୟମର ସାମ୍ନା କରିବାକୁ ସେମାନଙ୍କର ଏହି ଭୟ ହିଁ ପ୍ରମାଣ କରୁଛି ଯେ ଠିକାଦାର ସୁକଦେବ ତାଣ୍ଡିଙ୍କ ସହ ସେମାନଙ୍କର ମଧୁଚନ୍ଦ୍ରିକା କେତେ ଗଭୀର।
ଏହା କେବଳ ଆର୍ଥିକ ହେରଫେର ନୁହେଁ, ବରଂ ବାଙ୍କେଲ ଗ୍ରାମବାସୀଙ୍କୁ ଏକ ‘ମରଣ ଯନ୍ତା’ ଭିତରକୁ ଠେଲି ଦେବାର ଏକ ସୁଚିନ୍ତିତ ପ୍ରୟାସ। ପାନୀୟ ଜଳ ଭଳି ଏକ ଅତ୍ୟାବଶ୍ୟକ ପ୍ରକଳ୍ପରେ ସିମେଣ୍ଟ ବଦଳରେ କୁଟା-ବସ୍ତା ଭର୍ତ୍ତି କରି କାନ୍ଥ ନିର୍ମାଣ କରାଯିବା ସିଧାସଳଖ ଭାବେ ଗ୍ରାମବାସୀଙ୍କ ଜୀବନ ସହ ଖେଳ। କାଲି ସକାଳେ ଯଦି ଏହି ନିମ୍ନମାନର କୂଅ ଭୁଶୁଡ଼ି ପଡ଼େ ଏବଂ କୌଣସି ବଡ଼ ଧରଣର ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ହେବ? ନିଜ ପକେଟ ଗରମ କରିବା ପାଇଁ ଠିକାଦାର ଓ ଯନ୍ତ୍ରୀ ସାଧାରଣ ଲୋକଙ୍କ ସୁରକ୍ଷାକୁ ବଳି ଚଢ଼ାଇ ଦେଇଛନ୍ତି।
ସରକାର ପ୍ରତିଟି କାର୍ଯ୍ୟରେ ସ୍ଵଚ୍ଛତା ଓ ଜନଭାଗିଦାରୀର ନାରା ଦେଉଥିବା ବେଳେ, ବାଙ୍କେଲର ଏହି ପ୍ରକଳ୍ପ ସ୍ଥଳରେ କୌଣସି ସୂଚନା ଫଳକ (Information Board) ନଲାଗିବା ପ୍ରଶାସନର ପାରିବାପଣିଆ ଉପରେ ଶକ୍ତ ଆଘାତ କରିଛି। କେତେ ଟଙ୍କାର ବ୍ୟୟ ଅଟକଳ, କେଉଁ ସରକାରୀ ପାଣ୍ଠିରୁ ଏହି ଟଙ୍କା ଆସୁଛି ଏବଂ କାମ କେବେ ଶେଷ ହେବ—ତାହା ଗ୍ରାମବାସୀଙ୍କ ଜାଣିବାର ଅଧିକାର ଅଛି। ହେଲେ ଏହାକୁ ଲୁଚାଇ ରଖିବା ହିଁ ଦର୍ଶାଉଛି ଯେ ଏଠାରେ ବ୍ୟାପକ ପିସି (PC) କାରବାର ଓ କୋଟି କୋଟି ଟଙ୍କାର ମାଲମାତାଲ୍ ଚାଲିଛି।
ଅପରପକ୍ଷରେ, ଠିକାଦାରଙ୍କ ଦାଦାଗିରି ଓ ଓଲଟା ଗ୍ରାମବାସୀଙ୍କୁ ଅପମାନିତ କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣଙ୍କ ରକ୍ତଝାଳ ବୁହା ଟ୍ୟାକ୍ସ ପଇସାରେ ନିଜ ପକେଟ ଗରମ କରୁଥିବା ଏହି ଭ୍ରଷ୍ଟାରଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ବାଙ୍କେଲ ଗ୍ରାମବାସୀ ଏବେ ଆରପାର୍ ଲଢ଼େଇ ପାଇଁ କୋମର ବାନ୍ଧିଛନ୍ତି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରି ଠିକାଦାର ସୁକଦେବ ତାଣ୍ଡିଙ୍କୁ ବ୍ଲାକଲିଷ୍ଟ ନକରେ ଏବଂ ସମ୍ପୃକ୍ତ ଦାୟିତ୍ୱହୀନ ଯନ୍ତ୍ରୀ ବିଶ୍ୱଜିତ୍ ଜେନା ଓ ଏସଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନିଏ, ତେବେ ଆଗାମୀ ଦିନରେ ବାଙ୍କେଲ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଏବେ ଦେଖିବାକୁ ବାକି ରହିଲା ବଲାଙ୍ଗୀର ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ଏହି ସଂଘାତିକ ମହାଦୁର୍ନୀତିର କେବେ ତଦନ୍ତ କରୁଛନ୍ତି ନା ଏହିପରି ଭ୍ରଷ୍ଟ ଅଧିକାରୀ ଓ ଠିକାଦାରଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି।

