ବିକାଶ ଅବହେଳା ପ୍ରତିବାଦ: ଜୁନ୍ ୧୬ରେ ‘କଣ୍ଟାବାଞ୍ଜି ବନ୍ଦ’ ଡାକରା
ବଲାଙ୍ଗୀର,୧୧।୬: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ବିକାଶ କ୍ଷେତ୍ରରେ ଦୀର୍ଘ ଦିନରୁ ଚାଲିଆସୁଥିବା ପ୍ରଶାସନିକ ଅବହେଳା ଓ ଉଦାସୀନତା ବିରୋଧରେ ଏବେ ଜନଅସନ୍ତୋଷ ତେଜିବାରେ ଲାଗିଛି। ଏହାର ପ୍ରତିବାଦରେ ଆସନ୍ତା ଜୁନ୍ ୧୬ ତାରିଖ (ମଙ୍ଗଳବାର) ଦିନ ସମ୍ପୂର୍ଣ୍ଣ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି। କଣ୍ଟାବାଞ୍ଜି ଟ୍ରକ୍ ମାଲିକ ସଂଘ (ଟ୍ରକ୍ ଓନର୍ସ ଆସୋସିଏସନ୍) ପକ୍ଷରୁ ଏହି ବୃହତ ଆନ୍ଦୋଳନର ଆହ୍ୱାନ କରାଯାଇଛି।
ସଂଘର ଅଭିଯୋଗ ଅନୁଯାୟୀ, କଣ୍ଟାବାଞ୍ଜି ଅଞ୍ଚଳ ବର୍ଷ ବର୍ଷ ଧରି ବିଭିନ୍ନ ମୌଳିକ ସୁବିଧା ଓ ପ୍ରମୁଖ ବିକାଶମୂଳକ ପ୍ରକଳ୍ପରୁ ବଞ୍ଚିତ ହୋଇ ରହିଛି। ସ୍ଥାନୀୟ ଭିତ୍ତିଭୂମିର ବିକାଶ ଏବଂ ଜନସାଧାରଣଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ତେଣୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଏବଂ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନର ନିଷ୍ପତ୍ତି ନିଆଯାଇଛି।
ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ଜନହିତକର ଢଙ୍ଗରେ କରାଯିବ ବୋଲି ଆସୋସିଏସନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ଜନତାଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସଂଘ କହିଛି।
“କଣ୍ଟାବାଞ୍ଜିର ବିକାଶ ହିଁ ଆମର ଏକମାତ୍ର ପ୍ରାଥମିକତା” — ଏହି ନାରାକୁ ସାମ୍ନାକୁ ରଖି ସଂଘ ପକ୍ଷରୁ ସମସ୍ତ ସ୍ଥାନୀୟ ବ୍ୟବସାୟୀ ସଂଗଠନ, ସାମାଜିକ ଅନୁଷ୍ଠାନ, ପରିବହନ ଓ ଶ୍ରମିକ ସଂଘ, ଯୁବ ସଂଗଠନ ସମେତ ସାଧାରଣ ଜନତାଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଆସନ୍ତା ୧୬ ତାରିଖ ଦିନ ସମସ୍ତେ ନିଜ ନିଜ ସ୍ତରରେ ସମର୍ଥନ ଜଣାଇ ଅଞ୍ଚଳର ସ୍ୱାର୍ଥ ରକ୍ଷା ପାଇଁ ଏକତା ପ୍ରଦର୍ଶନ କରିବାକୁ ସଂଘ ଆହ୍ୱାନ ଦେଇଛି।

